ବାର୍ବି ଡଲ୍ ସବୁ ବର୍ଗର ବ୍ୟକ୍ତିବିଶେଷଙ୍କ ଅତି ପ୍ରିୟ। କିଛି ବ୍ୟକ୍ତିଙ୍କ ନିକଟରେ ବାର୍ବି ଡଲ୍ର ବିଭିନ୍ନ କଲେକ୍ସନ୍ ରହିଥିବାର ଦେଖିବାକୁ ମିଳେ। ହେଲେ ଏମିତି ଜଣେ ମହିଳା ଅଛନ୍ତି ଯିଏ ବାର୍ବି ଡାକ୍ତର ହେବାର ସ୍ବତନ୍ତ୍ର ପରିଚୟ ପାଇଛନ୍ତି। ଜର୍ମାନିରେ ରହନ୍ତି ୬୨ ବର୍ଷୀୟା ବେଟିନା ଡୋର୍ଫମେନ୍। ଛୋଟବେଳୁ ବେଟିନାଙ୍କର ବାର୍ବି ଡଲ୍ ପ୍ରତି ଦୁର୍ବଳତା ରହିଆସିଛି। ଏହାସହିତ ସେ ବିଭିନ୍ନ ପ୍ରକାର ଷ୍ଟାଇଲିସ୍ ବାର୍ବି ମଧ୍ୟ ତିଆରି କରିଛନ୍ତି। ପିଲାଦିନର ସଉକ ପୂରଣ କରିବା ଲାଗି ବେଟିନା ୧୯୫୯ ମସିହାରେ ନିଜସ୍ବ ଉଦ୍ୟମରେ ବାର୍ବି କମ୍ପାନି ଖୋଲିଥିଲେ। ସାରା ବିଶ୍ବର ପିଲା ଯେପରି ବାର୍ବି ପ୍ରିୟ ହୋଇପାରିବେ ସେଥିପାଇଁ ସେ ବିଭିନ୍ନ ଷ୍ଟାଇଲ୍ର ବାର୍ବି ଡିଜାଇନ୍ ପ୍ରସ୍ତୁତ କରୁଥିଲେ।
ସେ ବାର୍ବିର ଏଭଳି ଭର୍ସନ୍ ପ୍ରସ୍ତୁତ କରିଛନ୍ତି ଯାହାକୁ ଦେଖି ପିଲାମାନେ ଡାକ୍ତର, ଶିକ୍ଷକ, ପାଇଲଟ୍ ଆଦି ହେବାର ସ୍ବପ୍ନ ଦେଖିଥା’ନ୍ତି। ପିଲାଙ୍କ ଭାବନାକୁ ବେଟିନା ବାର୍ବି ଭିତରେ ଫୁଟାଇଥାଆନ୍ତି, ଯେଉଁ କାରଣରୁ ପିଲାଟି ତା’ ପ୍ରିୟ କଣ୍ଢେଇକୁ ଦେଖି ବଡ଼ ହେଲେ ବାର୍ବି ଭଳି କ୍ୟାରିୟର ଗଢ଼ିବାର ସ୍ବପ୍ନ ଦେଖିଥାଏ। ୨୦୦୫ରେ ବେଟିନା ବାର୍ବି ସଂଗ୍ରାହକ ଭାବେ ରେକର୍ଡ କଲେ। ଏହି ସମୟରେ ତାଙ୍କ ପାଖରେ ୨୫୦୦ ପ୍ରକାରର ବାର୍ବି କଲେକ୍ସନ୍ ରହିଥିଲା। ୟୁକେରେ ଟୋନି ମିଟିୟାଙ୍କୁ ବାର୍ବି ସଂଗ୍ରହରେ ପଛରେ ପକାଇ ସେ ଏହି ରେକର୍ଡ କରିଥିଲେ। ଟୋନିଙ୍କ ପାଖରେ ସେତେବେଳେ ୧,୧୨୫ଟି ବାର୍ବି ରହିଥିଲା। ଏବେ ବେଟିନାଙ୍କ ପାଖରେ ୧୮,୫୦୦ ବାର୍ବି କଲେକ୍ସନ୍ ରହିଛି।
୧୯୯୩ ମସିହାରୁ ବେଟିନା ଅଧିକରୁ ଅଧିକ ବାର୍ବି ସଂଗ୍ରହ କରିବାକୁ ଲାଗିଲେ। ବେଟିନା କହନ୍ତି, ତାଙ୍କୁ ଯେତେବେଳେ ମାତ୍ର ୫ ବର୍ଷ ହୋଇଥିଲା ସେ ପ୍ରଥମ ବାର୍ବି କିଣିବା ଆରମ୍ଭ କରିଥିଲେ। ତେବେ ଛୋଟବେଳୁ ସେ ‘ଡଲ୍ ହସ୍ପିଟାଲ୍’ ମଧ୍ୟ ଯାଉଥିଲେ। ଏହି ଡଲ୍ ହସ୍ପିଟାଲ୍ରେ ବହୁ ଡଲ୍ ମରାମତି ହେବାକୁ ଆସୁଥିଲେ। ସେଠାରେ ଡଲ୍ ମରାମତି ଦେଖି ଏହି କାମ ପ୍ରତି ବେଟିନା ଆଗ୍ରହ ପ୍ରକାଶ କରିଥିଲେ। ସେମାନଙ୍କ ସହିତ ମିଶି ଡଲ୍ ମରାମତି କରିବାରେ ଖୁସି ଅନୁଭବ କରୁଥିଲେ। କିନ୍ତୁ ଗ୍ରେଟା ଗେରୱିଙ୍କ ‘ବାର୍ବି’ ଫିଲ୍ମ ଦେଖିବା ପରେ ବେଟିନା ବାର୍ବି ପ୍ରତି ନିଜକୁ ଉତ୍ସର୍ଗ କରିଦେଲେ। ଏହି ଫିଲ୍ମରେ ଦେଖିଥିବା ବାର୍ବି କିଣିବାକୁ ସେ ପ୍ରଥମ ଅର୍ଡର କରିଥିଲେ। ବାର୍ବିକୁ ନୂଆ ଜୀବନ ଦେଉଥିବାରୁ ବେଟିନା ଏବେ ବାର୍ବି ଡାକ୍ତର ରୂପେ ପରିଚୟ ପାଇଛନ୍ତି।
ବାର୍ବି ଡଲ୍ ପ୍ରତି ଅତ୍ୟଧିକ ଭଲ ପାଇବାର ନିଶାକୁ ବେଟିନା ସମୟକ୍ରମେ ପେସାରେ ପରିବର୍ତ୍ତନ କରି ଦେଇଛନ୍ତି। ବେଟିନାଙ୍କ କମ୍ପାନିରେ କେବଳ ନୂଆ ବାର୍ବି ତିଆରି ହୋଇଥାଏ ତାହା ନୁହେଁ, ବରଂ ବାର୍ବି ମରାମତି ମଧ୍ୟ ହୋଇଥାଏ। ମରାମତି ପାଇଁ ସେ ଗ୍ରାହକଙ୍କଠାରୁ ୫୦୦ ଟଙ୍କାରୁ ଆରମ୍ଭ କରି ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ନେଇଥା’ନ୍ତି।