ଆସନ୍ତା ୨୧ ତାରିଖରେ ବିଶ୍ବବ୍ୟାପୀ ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ବାର୍ବି କଣ୍ଢେଇକୁ ନେଇ ନିର୍ମିତ ହଲିଉଡ୍‌ ସିନେମା ‘ବାର୍ବି’। ଗ୍ରେଟା ଗେରୱିଗ୍‌ ନିର୍ଦ୍ଦେଶିତ ଏହି ହାସ୍ୟରସାତ୍ମକ ଫିଲ୍ମ ଭିଏତନାମରେ ମଧ୍ୟ ମୁକ୍ତିଲାଭ କରିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ମାତ୍ର ଏକ ନିର୍ଦ୍ଦିଷ୍ଟ କାରଣ ପାଇଁ ଦେଶ ଭିତରେ ତାହାର ପ୍ରଦର୍ଶନକୁ ଭିଏତନାମ ସରକାର ନିଷିଦ୍ଧ କରିଛନ୍ତି। ସେଥିରେ ପ୍ରଦର୍ଶିତ ମାନଚିତ୍ରରେ ଦକ୍ଷିଣ ଚୀନ୍‌ ସାଗରର କିଛି ବିବାଦୀୟ ଅଞ୍ଚଳ ଚୀନ୍‌ ଅଧିକୃତ ବୋଲି ଦର୍ଶାଯାଇଥିବାରୁ ଭିଏତନାମ ସରକାର ଏଭଳି ପଦକ୍ଷେପ ନେଇଥିବା ଜଣାଯାଇଛି।

Advertisment

ସୂଚନାଯୋଗ୍ୟ, ମୂଲ୍ୟବାନ୍‌ ତୈଳ ଓ ବାଷ୍ପର ଭଣ୍ଡାର ଭାବେ ଦକ୍ଷିଣ ଚୀନ୍‌ ସାଗରର ଖ୍ୟାତି ରହିଥିବା ବେଳେ ତାହା ଦେଇ ଏକାଧିକ ଜାହାଜ ଚଳାଚଳ ମାର୍ଗ ରହିଛି। ତେବେ ଚୀନ୍‌ ନିଜର ବିସ୍ତାରବାଦୀ ନୀତି ଅନୁଯାୟୀ ଉକ୍ତ ସାଗରରେ ନିଜର ମାଲିକାନାକୁ ସମ୍ପ୍ରସାରଣ କରିଚାଲିଛି, ଯାହା ସଂଲଗ୍ନ ରାଷ୍ଟ୍ରମାନଙ୍କୁ କ୍ଷୁବ୍‌ଧ କରିଛି। ବିଶେଷ କରି ଦକ୍ଷିଣ ଚୀନ୍‌ ସାଗରର ‘ନାଇନ୍‌-ଡ୍ୟାସ ଲାଇନ୍‌’ ଭାବେ ପରିଚିତ ଏକ ଅଞ୍ଚଳକୁ ଚୀନ୍‌ ନିଜର ବୋଲି ଦାବି କରି ନିଜ ବିସ୍ତାରବାଦୀ ଆଭିମୁଖ୍ୟକୁ ସ୍ପଷ୍ଟ କରି ଚାଲିଛି। ତେବେ ତାହା ଉପରେ ଭିଏତନାମ ସରକାରଙ୍କର ଅଧିକାର ରହିଛି ବୋଲି ସରକାର ଦାବି କରି ଆସୁଛନ୍ତି। ତେଣୁ ଉକ୍ତ ଚଳଚ୍ଚିତ୍ରରେ ଏକାଧିକ ବାର ପ୍ରଦର୍ଶିତ ହୋଇଥିବା ଏହି ବିବାଦୀୟ ‘ନାଇନ୍‌-ଡ୍ୟାସ ଲାଇନ୍‌’କୁ ଭିଏତନାମ ବିରୋଧ କରିଛି। ଗତ ବର୍ଷ ମଧ୍ୟ ଅନୁରୂପ କାରଣ ପାଇଁ ଭିଏତନାମରେ ଚଳଚ୍ଚିତ୍ର ‘ଅନ୍‌ଚାର୍ଟେଡ୍‌’କୁ ନିଷିଦ୍ଧ ଘୋଷଣା କରାଯାଇଥିଲା। ‘କ୍ରେଜି ରିଚ୍‌ ଏସିଆନ୍‌’ ଓ ‘ଆବ୍‌ଡୋମିନେବଲ୍‌’ ପରି ହଲିଉଡ୍‌ ଫିଲ୍ମକୁ ଭିଏତନାମରେ ସମାନ ଦଶା ଭୋଗିବାକୁ ପଡ଼ିଥିଲା।