କଣ୍ଢେଇ କହିଲେ ଆମ ଆଖି ଆଗକୁ ଚାଲି ଆସେ ବାର୍ବି। ଏହି କଣ୍ଢେଇର ପୂରା ନାଁ ବାର୍ବାରା ମିଲିସେଣ୍ଟ୍ ରବର୍ଟସ୍, ସଂକ୍ଷେପରେ ବାର୍ବି। ଏଇ ୨୦୨୪ ମସିହା ମାର୍ଚ୍ଚ ମାସ ୯ ତାରିଖକୁ ବାର୍ବିକୁ ପଞ୍ଚଷଠି ପୂରିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ଷାଠିଏ ବର୍ଷରୁ ଅଧିକ ବୟସର ହେବାକୁ ବସିଥିବା ଆମର ଏଇ କଣ୍ଢେଇ ବାର୍ବିକୁ ବୟସର ଛାପ ଆଦୌ ସ୍ପର୍ଶ କରିପାରିନାହିଁ। ପୁରାଣର ଏଥେନା କି ଇତିହାସର କ୍ଲିଓପାଟ୍ରା କି ଆମର କଳ୍ପନାର ଯେକୌଣସି ଅନନ୍ତ ଯୌବନା ନାରୀର କଥା କୁହାଯାଉ ତାହାର ତୁଳନାରେ ବାର୍ବି ଡଲ୍ ସବୁବେଳେ ଦେଖିବାକୁ ଗତକାଲି ଯେମିତି ଥିଲା ଆଜି ଠିକ୍ ସେମିତି; ସୁବେଶା, ସୁନ୍ଦରୀ ଓ ଆଧୁନିକା।
ଆଜି ବି ପୃଥିବୀ ସାରା ସବୁ କିଶୋରୀ, ନାରୀ ନିଜକୁ ବାର୍ବି ଭଳି ଅଙ୍ଗ ସୌଷ୍ଠବର ଅଧିକାରିଣୀ ହେବାକୁ ଇଚ୍ଛାପୋଷଣ କରିଥାନ୍ତି। ଆଜି ଆମେ ଯାହାକୁ ଫ୍ୟାସନ୍ ଜଗତରେ ‘ଜିରୋ ସାଇଜ୍’ ବୋଲି କହିଥାଉ ତାହା ବାର୍ବିର ଅବଦାନ। ଜଣେ ଆମେରିକୀୟ ମହିଳା ଉଦ୍ୟୋଗପତି ରଥ୍ ହାଣ୍ଡଲର୍ କୌଣସି ନାରୀର ଶାଶ୍ୱତ ଫ୍ୟାସନେବଲ୍ ରୂପଟି କେମିତି ହେବ ତାହାର ଏକ ଛାଞ୍ଚର ଅବଧାରଣା ନିର୍ମାଣ କରି ତା’ର ନାମକରଣ କରିଥିଲେ ବାର୍ବି। ରଥ୍ ହାଣ୍ଡଲର୍ଙ୍କ ଏଇ ଅବଧାରଣା ଉପରେ ଆମେରିକୀୟ ଖେଳଣା କମ୍ପାନି ମାଟେଲ୍ ଗୋଟିଏ ଫ୍ୟାସନ୍-ଡଲ୍ ବା ଫ୍ୟାସନ୍ କଣ୍ଢେଇ ଆକାରରେ ବାର୍ବିକୁ ପ୍ରସ୍ତୁତ କରିଥିଲେ।
ବାର୍ବିର ଲୋକପ୍ରିୟତା ତାକୁ ଭିନ୍ନ ଭିନ୍ନ ପ୍ରକାରରେ ପ୍ରାୟ ୧୫୦ ଗୋଟି ବୃତ୍ତିରେ ଅବସ୍ଥାପିତ କରିଛି। କେତେବେଳେ ସେ ଗୋଟିଏ ସ୍କୁବା ଡ୍ରାଇଭର୍ ହୋଇଛି ତ କେତେବେଳେ ହୋଇଛି ଡାକ୍ତର, ସ୍କୁଲ୍ ଗାର୍ଲ ଓ କେତେବେଳେ ହିରୋଇନ୍। ପୁଣି କେତେବେଳେ ସେ ସାଜିଛି ଜଣେ ନିଉଜ୍ ଆଙ୍କର୍। ବିବିଧ ବେଶଭୂଷା, ବିଭିନ୍ନ ଭୂମିକା ଓ ସାଜସଜ୍ଜାରେ ଆକର୍ଷଣର େକନ୍ଦ୍ରବିନ୍ଦୁ ପାଲଟିଛି। ସାରା ପୃଥିବୀରେ କଣ୍ଢେଇପ୍ରେମୀ ଝିଅମାନଙ୍କ ପାଖରେ ଅନ୍ତତଃ ନିଶ୍ଚୟ ଗୋଟିଏ ବାର୍ବି ଡଲ୍ ଥାଏ। ବାର୍ବି ସବୁବେଳେ ଗୌରବର୍ଣ୍ଣା ନୁେହଁ। ଫ୍ୟାସନ୍ ଷ୍ଟାଟିଷ୍ଟିକ୍ସ ଅନୁସାରେ, ବାର୍ବିର ଦେହର ରଙ୍ଗ ଆଠ ପ୍ରକାରର। ତା’ ମୁହଁର ଭାବଭଂଗିମା ଚଉଦ ପ୍ରକାରର, ଆଖିର ରଂଗ ଅଠର ପ୍ରକାରର ଆଉ ଷ୍ଟାଇଲିସ୍ ଦେଖାଯିବା ପାଇଁ ପ୍ରାୟ ତେଇଶି ପ୍ରକାରର ରଙ୍ଗିନ୍ କେଶ ବାର୍ବିର ମଥାରେ ଦେଖାଯାଇଥାଏ।
କୃଷ୍ଣାଙ୍ଗୀ ବାର୍ବିର ନାଁ କିନ୍ତୁ ବାର୍ବି ନୁେହଁ। ସେତେବେଳେ ତା’ର ନାଁ ‘କଲର୍ଡ୍ ଫ୍ରାନ୍ସି’। ୧୯୯୨ରେ ବାର୍ବି ଜୀବନରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିଥିଲା। ସେହି ବର୍ଷ ସେ ଜଣେ ଆମେରିକୀୟ ମହିଳା ହିସାବରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲଢ଼ିଥିଲା। ତା’ ପରଠାରୁ ଏଯାଏ ସେ ପାଞ୍ଚଥର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲଢ଼ିସାରିଛି। ସେ ଦୃଷ୍ଟିରୁ ଦେଖିଲେ ହିଲାରି କ୍ଲିଣ୍ଟନ୍ ହେଉଛନ୍ତି ଦ୍ୱିତୀୟ ଆମେରିକୀୟ ମହିଳା ଯିଏକି ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲଢ଼ିଛନ୍ତି।
ବାର୍ବିର ପ୍ରେମିକର ନାଁ ହେଉଛି କେନ୍ କାର୍ସନ୍। ସେ ଦେଖିବାକୁ ଚିରକାଳ ରାଜକୁମାର ଭଳି ଅନିନ୍ଦ୍ୟ କିଶୋର, ହସିଲେ ଦୁଇଗାଲରେ ତା’ର ଭଉଁରୀ ଖେଳିଯାଏ। ଏମିତି କେହି କିଶୋରୀ ନାହିଁ ଯିଏ ତାଙ୍କୁ ଦେଖିଲେ ତାଙ୍କ ପ୍ରେମରେ ନ ପଡ଼ିବ।
ବାର୍ବି...ସ୍ବପ୍ନର ରାଜକୁମାରୀ
/sambad/media/post_attachments/wp-content/uploads/2024/05/sfhhsfhfshf.jpg)