ବିଶ୍ବବ୍ୟାପୀ ଟାଇପ୍‌୧ ମଧୁମେହ(ଟି୧ଡି) ସଂକ୍ରାନ୍ତରେ ସଚେତନତା ସୃଷ୍ଟି ପାଇଁ କଣ୍ଢେଇ ନିର୍ମାତା ମ୍ୟାଟେଲ୍‌ ପ୍ରଥମ ବାର୍ବି କଣ୍ଢେଇ ବଜାରକୁ ଛାଡ଼ିଛି। ୨୦୨୫ ବାର୍ବି ଫ୍ୟାସନିଷ୍ଟାସ୍ ଲାଇନର ଏକ ଅଂଶସ୍ବରୂପ, ନୂତନ କଣ୍ଢେଇରେ ୨୪ ଘଣ୍ଟା ସକ୍ରିୟ ରହୁଥିବା ଗ୍ଲୁକୋଜ୍ ମନିଟର୍(ସିଜିଏମ୍‌), ଏକ ଇନସୁଲିନ୍ ପମ୍ପ ଓ ବିଶ୍ୱ ମଧୁମେହ ସଚେତନତା ପ୍ରତୀକ ଖଞ୍ଜା ଯାଇଛି। 

Advertisment

ଟାଇପ୍ ୧ ମଧୁମେହ ଭୋଗୁଥିବା ଏକ ବାର୍ବି କଣ୍ଢେଇ ପ୍ରସ୍ତୁତ କରିବା ହେଉଛି କମ୍ପାନିର ଅନ୍ତର୍ଭୁକ୍ତୀକରଣ ଏବଂ ସ୍ବାସ୍ଥ୍ୟ ସଚେତନତା ସୃଷ୍ଟି ନିମନ୍ତେ ପ୍ରତିବଦ୍ଧତାର ପ୍ରକୃଷ୍ଟ ଉଦାହରଣ ବୋଲି ବାର୍ବି ଏବଂ ଡଲ୍‌ସର ଗ୍ଲୋବାଲ୍ ମୁଖ୍ୟ କ୍ରିଷ୍ଟା ବର୍ଗର କହିଛନ୍ତି। ଶିଶୁମାନଙ୍କ ମନରେ ଦୁନିଆ ପ୍ରତି ପ୍ରାରମ୍ଭିକ ଧାରଣା ଗଢ଼ିବାରେ ବାର୍ବି 
କଣ୍ଢେଇ ସାହାଯ୍ୟ କରେ ଏବଂ ଅଧିକ ପିଲା କଳ୍ପନା କରୁଥିବା କାହାଣୀ ଏବଂ ପସନ୍ଦ କରୁଥିବା ପୁତ୍ତଳିରେ ନିଜକୁ ଦେଖିପାରିବେ ବୋଲି ସେ କହିଛନ୍ତି। 
 ଏହି କଣ୍ଢେଇ ଡିଜାଇନରେ ଗୋଲାପୀ ହୃତ୍‌ପିଣ୍ଡ ଆକୃତିର ଏକ ଟି୧ଡି ଉପକରଣ ଅନ୍ତର୍ଭୁକ୍ତ, ଯାହା କଣ୍ଢେଇ ହାତରେ ଦୃଶ୍ୟମାନ। ତାହାର କଟିଦେଶରେ ଏକ ଇନସୁଲିନ୍ ପମ୍ପ ରହିଛି। ବାର୍ବି କଣ୍ଢେଇର ପୋଷାକରେ ଏକ ନୀଳ ପୋଲକା-ଡଟ୍ ଟପ୍ ଏବଂ ସ୍କର୍ଟ ରହିଛି ଯାହା ଅନ୍ତର୍ଜାତୀୟ ମଧୁମେହ ସଚେତନତା ପ୍ରତୀକକୁ ପ୍ରତିଫଳିତ କରୁଛି। ବିଶ୍ୱର ଅନେକ ପରିବାରକୁ ପ୍ରଭାବିତ କରୁଥିବା ଏଭଳି ଏକ ସ୍ବାସ୍ଥ୍ୟ ସମସ୍ୟା ସଂପର୍କରେ ଶିଶୁମାନଙ୍କୁ ଅବଗତ ଓ ସଚେତନ କରିବା ଏହି ନୂତନ କଣ୍ଢେଇର ଉଦ୍ଦେଶ୍ୟ।