ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ସହରଠୁ ୨୫ କିଲୋମିଟର ଦୂର କଷିପଡ଼ା ଗ୍ରାମ ନିକଟ କୁଣ୍ଡା ପାହାଡ଼ ପାଦଦେଶରେ ବିରାଜିତ ମା’ ସିଂହାସନୀଙ୍କ ପୀଠ। ମା’ଙ୍କ ପୀଠରେ ବର୍ଷସାରା ବୈଷ୍ଣବ ରୀତିନୀତିରେ ପୂଜାର୍ଚ୍ଚନା ହେଉଥିବାରୁ ଆମିଷ ବ୍ୟଞ୍ଜନକୁ ଭୋଗ ଭାବରେ ଅର୍ପଣ କରାଯାଏନି। ମାନସିକଧାରୀ କେବଳ ମନ୍ଦିର ବାହାରେ ନିଜେ ଆମିଷ ରୋଷେଇ କରିଥା’ନ୍ତି। ନବରାତ୍ରି ପୂଜା ଅବସରରେ ୯ଦିନବ୍ୟାପୀ ମା’ଙ୍କ ସ୍ବତନ୍ତ୍ର ରୀତିନୀତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥାଏ। ଅଷ୍ଟମୀ ମଧ୍ୟରାତିରେ ବ‌ିଶୋଇ ପରିବାରର ମୁଖ୍ୟକର୍ତ୍ତା ମା’ଙ୍କୁ ଆବାହନ କରିଥା’ନ୍ତି। ହୋମଯଜ୍ଞ ଆୟୋଜନ ପାଇଁ ଚଣ୍ଡୀ ଚାମୁଣ୍ଡାଙ୍କ ପାଇଁ ମନ୍ଦିର ପଛପଟ ଦ୍ବାରରେ ଅଷ୍ଟମୀ ଦିନ ମାଗୁର ମାଛ ବଳି ପକାଯିବାର ପରମ୍ପରା ଚାଲିଆସୁଛି। ୯ ଦିନବ୍ୟାପୀ ମା’ଙ୍କୁ ପାଚିଲା ଫଳ, ଖିରି, କାକରା, ଚୁଡ଼ାଘଷା, ଖେଚୁଡ଼ି, ଡାଲି, ବେସର, ଖଟା, ବୁଟଚଣା ଆଦି ଭୋଗ ଲାଗି କରାଯାଇଥାଏ। ସ୍ଥାନୀୟ ଆଦିବାସୀ ସଂପ୍ରଦାୟର ଲୋକମାନେ ଏହି ପୂଜାରେ ଭାଗ ନେଇଥା’ନ୍ତି।

Advertisment

ଜିଲ୍ଲାର ଏହି ପ୍ରମୁଖ ଦେବୀପୀଠକୁ ନେଇ ଅନେକ କିଂବଦନ୍ତି ରହିଛି। ଯେତେବେ‌ଳେ ଓଡ଼ିଶା ଉପ‌ରେ ଯବନ, ବିଦେଶୀ ଓ ସ୍ବଦେଶୀ କୁଳାଙ୍ଗାରମାନେ ଆକ୍ରମଣ କରିଥିଲେ ସେଥିରୁ ପୁରୀ ଜଗନ୍ନାଥ ମନ୍ଦିର ବି ବାଦ୍ ପଡ଼ି ନଥିଲା। ଏଥିପାଇଁ ଶ୍ରୀଜିଉଙ୍କୁ ରତ୍ନ ସିଂହାସନ ଛାଡ଼ିବାକୁ ପଡ଼ିଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରାଯାଇଥିବା କଥା ଇତିହାସରେ ଉଲ୍ଲେଖ ରହିଛି। ତକି ଖାଁ ନାମକ ଜଣେ ଯବନ ପୁରୀ ମନ୍ଦିର ଉପରେ ଆକ୍ରମଣ କରିଥିବା ବେଳେ ଖୋର୍ଦ୍ଧାଗଡ଼ ପୁରୀ ଗଜପତି ରାଜା ଦ୍ବିତୀୟ ରାମଚନ୍ଦ୍ର ଦେବ ସେତେବେଳେ ଆଠଗଡ଼ ରାଜା ଜଗନ୍ନାଥ ହରିଚନ୍ଦନ ଜଗଦେବଙ୍କ ସହାୟତା ଲୋଡ଼ିଥିଲେ। ରାମଚନ୍ଦ୍ର ଦେବଙ୍କୁ ତକି ଖାଁ କଟକ ଜେଲ୍‌ରେ ବନ୍ଦୀ କରି ରଖିଥିଲା। ରାଜପରିବାରର ସମସ୍ତ ସଦସ୍ୟ ଚତୁର୍ଦ୍ଧାମୂର୍ତ୍ତି, ପୂଜକ, ପଣ୍ଡା ଓ ମଠାଧୀଶଙ୍କ ସହ ରାତାରାତି ଚିଲିକା ବାଟ ଦେଇ ରାଜା ଜଗନ୍ନାଥ ଜଗଦେବ ହରିଚନ୍ଦନଙ୍କ ପାଖରେ ପହଞ୍ଚିଥିଲେ। ଆଉ ଯବନମାନଙ୍କ ଆକ୍ରମଣକୁ ଭୟ ନକରି ହାତିବାରୀ ଜଙ୍ଗଲ ନିକଟରେ ମାରଦାରେ ରାଜା ଜଗନ୍ନାଥ ଦେବ ଶ୍ରୀଜିଉଙ୍କ ଆତ୍ମଗୋପନର ବ୍ୟବସ୍ଥା କରିଥିଲେ। ମଥୁରା ଗ୍ରାମର ସୁଦକ୍ଷ କାରିଗରଙ୍କୁ ଡକାଇ ଦୁଇମାସ ମଧ୍ୟରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରି ଶ୍ରୀବିଗ୍ରହଙ୍କୁ ସ୍ଥାପନ କରିଥିଲେ।

ଆଟୁ ସଦୃଶ ଏହି ମନ୍ଦିର ନିର୍ମାଣ ହୋଇଥିଲା। ଆଠଗଡ଼ ରାଜ୍ୟ ସୀମା ପାର କରିବାକୁ ଯବନମାନଙ୍କ ସାହସ ନଥିଲା। ପରେ ତକି ଖାଁ କବଳରୁ ନିଜକୁ ମୁକ୍ତ କରି ରାଜା ଦ୍ବିତୀୟ ରାମଚନ୍ଦ୍ର ଦେବ ଗୁପ୍ତ ଭାବେ ବାଣପୁରର ବର୍ବରା ଜଙ୍ଗଲ ଦେଇ ଆଠଗଡ଼ ତାଲୁକାରେ ପ୍ରବେଶ କରିଥିଲେ। କିନ୍ତୁ ତକି ଖାଁ ତାଙ୍କୁ ସୈନ୍ୟସାମନ୍ତଙ୍କ ସହ ଅନୁସରଣ କରିଥିଲା। ରାଜା ରାମଚନ୍ଦ୍ର ଦେବ ଏହା ଜାଣିପାରି ଶିଆଳି ଲଟା ମଧ୍ୟରେ କଳାମୁଗୁନି ପଥର ପଛରେ ଆତ୍ମଗୋପନ କରି ମା’ବିମଳାଙ୍କୁ ପ୍ରାର୍ଥନା କରିଥିଲେ। ସ୍ବୟଂ ମା’ ବିମଳା ଏକ ବୃଦ୍ଧା ବେଶରେ ତକି ଖାଁକୁ ପଥଚ୍ୟୁତ କରାଇ ରାଜା ରାମଚନ୍ଦ୍ର ଦେବଙ୍କ ଜୀବନ ବଞ୍ଚାଇଥିଲେ। ସମୟଚକ୍ରରେ ରାଜା ପୂଜା କରୁଥିବା ପ୍ରସ୍ତର ମାଟିତଳେ ପୋତି ହୋଇଯାଇଥିଲା। ଅନେକ ବର୍ଷ ତଳେ କଷିପଡ଼ା ଜଙ୍ଗଲରେ ଓଡ଼ିଆ ଆଦିବାସୀ ଜାନି ସମ୍ପ୍ରଦାୟର ଜଣେ ବୃଦ୍ଧ ଏକ ଗାଈକୁ ସେହି ପ୍ରସ୍ତର ଉପରେ କ୍ଷୀର ନିର୍ଗତ କରୁଥିବାର ଦୃଶ୍ୟ ଦେଖିବାକୁ ପାଇଥିଲେ। ଆଠଗଡ଼ ରାଜା ଏ ନେଇ ଅବଗତ ହୋଇଥିଲେ। ରାତିରେ ମା’ ବିମଳା ସ୍ବପ୍ନରେ ଆସି ସିଂହାସନୀ ଶକ୍ତିପୀଠ ରୂପେ ବନଦୁର୍ଗା ମନ୍ତ୍ରରେ ପୂଜା କରିବାକୁ ରାଜାଙ୍କୁ ନି‌ର୍ଦ୍ଦେଶ ଦେଇଥିଲେ। ସେହିଦିନଠୁ ମା’ ଏକ ଛୋଟ ମନ୍ଦିରରେ ପୂଜା ପାଇ ଆସୁଛନ୍ତି।