ବୈଶାଖ କୃଷ୍ଣପକ୍ଷ ଏକାଦଶୀର ନାମ ‘ବରୁଥିନୀ ଏକାଦଶୀ’। ସବୁ ଏକାଦଶୀ ପରି ଏ ଏକାଦଶୀର ଉପାସ୍ୟ ମଧ୍ୟ ବିଷ୍ଣୁ। ବିଷ୍ଣୁଙ୍କର ବୈଶାଖ ମାସର ନାମ ମଧୁସୂଦନ। ଏଣୁ ଏ ଏକାଦଶୀରେ ଉପବାସ ଓ ବ୍ରତ ପାଳନ କରି ମଧୁସୂଦନଙ୍କୁ ଉପାସନା କରାଯାଏ। ଏ ବ୍ରତକଥା ଏକ ପାରିବାରିକ କାହାଣୀ। ପ୍ରାଚୀନ କାଳରେ କାଶୀ ନଗରୀରେ ରହୁଥିଲେ ଜଣେ ଦରିଦ୍ର ବ୍ରାହ୍ମଣ। ସେ ଭିକ୍ଷା କରି ପରିବାର ପୋଷଣ କରନ୍ତି। ତାଙ୍କର ତିନି ପୁଅ। ସାନ ଦୁଇପୁଅ ଶାନ୍ତ ସ୍ୱଭାବର; କିନ୍ତୁ ବଡ଼ପୁଅ ଦୁଷ୍ଟ। ସେଥିପାଇଁ, ସାନ ଦୁଇପୁଅ ପିତାଙ୍କ ଉପଦେଶରେ ବିଦ୍ୟାଧ୍ୟୟନ କରି ବେଦଶାସ୍ତ୍ରରେ ପଣ୍ଡିତ ହେଲେ। କିନ୍ତୁ ବଡ଼ ପୁଅ ପାଠ ନପଢ଼ି ମୂର୍ଖ ହେଲା। ପୁଣି, ସେ ବଡ଼ ହେବା ପରେ, ଦିନେ ଏକ ସୁନ୍ଦରୀ ଯୁବତୀଙ୍କୁ ଭୁଲାଇ ଘରକୁ ନେଇ ଆସିଲା। ସେଥିପାଇଁ ପିତା ରୁଷ୍ଟ ହୋଇ ତାକୁ ଘରୁ ବାହାର କରିଦେଲେ। ସେ ଯାଇ ନିକଟବର୍ତ୍ତୀ ଅନ୍ୟ ଏକ ଗ୍ରାମରେ ରହିଲା।
ବରୁଥିନୀ ଏକାଦଶୀ ଏକ ରକ୍ଷାକାରିଣୀ ବ୍ରତ ହୋଇଥିବାରୁ, ତାହାର ଏପରି ନାମ ହୋଇଛି। ବୈଶାଖ ମାସରେ ଏହି ବ୍ରତ କଲେ ମଧୁସୂଦନ ବ୍ରତଧାରୀକୁ ରକ୍ଷା କରନ୍ତି ବୋଲି ବିଶ୍ୱାସ ଅଛି।
ସାନ ଦୁଇପୁଅ ବେଦପାଠ କରି ପଣ୍ଡିତ ହେଲେ। ସାନପୁଅ ହେଲା ସୁପଣ୍ଡିତ। ସେମାନେ ବେଦଗାନ କରି ଭିକ୍ଷାଟନ କରନ୍ତି। ଲୋକେ ତାଙ୍କର ସ୍ୱଭାବ ଓ ବିଦ୍ବତ୍ତା ଦେଖି ଭିକ୍ଷା ଦିଅନ୍ତି। ତେଣୁ ସେମାନେ ସୁଖରେ ଚଳନ୍ତି। ତେଣେ କିନ୍ତୁ ବଡ଼ପୁଅ ନିଜର ସ୍ୱଭାବ ଯୋଗୁଁ ଅଭାବ କଷ୍ଟରେ ଚଳେ। ଘଟଣାକ୍ରମେ ଦିନେ, ସବା ସାନପୁଅ ପାଖଗ୍ରାମରେ ଭିକ୍ଷାଟନ କଲାବେଳେ ବଡ଼ଭାଇ ସହ ତାର ସାକ୍ଷାତ ହେଲା। ବଡ଼ଭାଇ ସାନ ଭାଇକୁ ଦେଖି ବହୁ ଆଦର କଲା। ତା’ର କଷ୍ଟ କିପରି ଦୂରହେବ ସେ କଥା ପଚାରିଲା। ସାନଭାଇ କହିଲା- ବୈଶାଖ କୃଷ୍ଣପକ୍ଷ ଏକାଦଶୀରେ ବରୁଥିନୀ ଏକାଦଶୀ ବ୍ରତ କରି ମଧୁସୂଦନଙ୍କୁ ଧ୍ୟାନ ଓ ଉପାସନା କଲେ ତା’ର ଦୁଃଖ ଦୂର ହେବ। ସାନଭାଇର ଉପଦେଶ ମାନି ବଡ଼ ଭାଇ ସେହି ବ୍ରତ କଲା। ଫଳରେ, ରାତିରେ ମଧୁସୂଦନ ତାକୁ ସ୍ୱପ୍ନରେ ଦେଖାଦେଇ କହିଲେ- ମୋର ବରୁଥିନୀ ଏକାଦଶୀ କରିବାରୁ ତୋର ସମସ୍ତ ପାପ ଦୂର ହୋଇଛି। ଏବେ ଘରକୁ ଫେରିଯାଇ ସୁଖରେ ରହ। ଫଳରେ ବଡ଼ଭାଇ ତା’ ସ୍ତ୍ରୀ ସହ ନିଜ ଗ୍ରାମ ଓ ଘରକୁ ଫେରିଗଲା। ବେଦଶାସ୍ତ୍ର ଅଧ୍ୟୟନ ଓ ବ୍ରାହ୍ମଣୋଚିତ କର୍ମ କରି ସେ ସୁବ୍ରାହ୍ମଣ ହେଲା ଓ ସୁଖରେ ରହିଲା। ‘ବରୁଥିନୀ’ର ଅନେକ ଅର୍ଥ। ଏହା ମୁଖ୍ୟତଃ ରଥ, ସେନା ଓ ରକ୍ଷାକାରିଣୀ ସାଞ୍ଜୁ, ଢାଲ, ବର୍ମ ଆଦି ଅର୍ଥରେ ପ୍ରଯୁକ୍ତ ହୁଏ। ଏହାର ଗୋଟିଏ ଅର୍ଥ- ଅଭିରକ୍ଷକ। ଏଣୁ ବରୁଥିନୀ ଏକାଦଶୀ ଏକ ରକ୍ଷାକାରିଣୀ ବ୍ରତ ହୋଇଥିବାରୁ, ତାହାର ଏପରି ନାମ ହୋଇଛି। ବୈଶାଖ ମାସରେ ଏହି ବ୍ରତ କଲେ ମଧୁସୂଦନ ବ୍ରତଧାରୀକୁ ରକ୍ଷା କରନ୍ତି ବୋଲି ବିଶ୍ୱାସ ଅଛି।
-ଅସିତ ମହାନ୍ତି