ବସନ୍ତ ଦାସ: ଏକ ଅମଳିନ ବ୍ୟକ୍ତିତ୍ବ

ଅମର ପ୍ରସାଦ ଶତପଥୀ

ଓଡ଼ିଶାର ବିଶିଷ୍ଟ ସାମ୍ବାଦିକ ଓ ସ୍ତମ୍ଭକାର ବସନ୍ତ ଦାସ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ବ। ଛାତ୍ର ଜୀବନରୁ ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ତତ୍କାଳୀନ ଛାତ୍ରସଂଘର ସେ ଅାଗଧାଡ଼ିର ନେତା ଥିଲେ। ରାଜନୀତି ବିଜ୍ଞାନରେ ଉପାଧ୍ୟୁତ୍ତର ଶିକ୍ଷା ପରେ ସରକାରୀ ଚାକିରିର ମୋହ ତ୍ୟାଗ କରି ସେ ସାମ୍ବାଦିକତାକୁ ଏକ ସମ୍ମାନଜନକ ଓ ସ୍ବାଧୀନ ବୃତ୍ତିଭାବେ ଆଦରି ନେଇଥିଲେ। ବହୁ ରାଜନେତାଙ୍କ ଘନିଷ୍ଠ ସଂପର୍କରେ ଥାଇ ମଧ୍ୟ ନିର୍ବାଚନ ରାଜନୀତିକୁ ନ ଆସି ରାଜନୈତିକ ସମୀକ୍ଷକ ଭାବେ ବେଶ୍‌ ସୁନାମ ଅର୍ଜନ କରିଥିଲେ। ଗାନ୍ଧୀ ଦର୍ଶନରେ ଆଶା ଓ ବିଶ୍ବାସ ରଖି ଖଦଡ଼ ପୋଷାକ ପରିଧାନ ସହ ସରଳ ଓ ନିରାଡମ୍ବର ଜୀବନଯାପନର ବାର୍ତ୍ତା ଅନ୍ୟମାନଙ୍କୁ ଦେଉଥିଲେ।

ସ୍ବର୍ଗତ ବସନ୍ତ ଦାସଙ୍କୁ ମୁଁ ୧୯୭୩ ମସିହାରୁ ଜାଣିଛି। ତାଙ୍କ ସହ ୪୮ବର୍ଷର ସଂପର୍କ। ସେ କଟକରେ ଦୈନିକ ଇଂରାଜୀ ସମ୍ବାଦପତ୍ର ଇଷ୍ଟର୍ଣ୍ଣ ଟାଇମ୍ସ ଓ ପରବର୍ତ୍ତୀ ସମୟରେ ଅମୃତବଜାର ପତ୍ରିକାର ଓଡ଼ିଶା ବ୍ୟୁରୋ ଚିଫ୍‌ ଭାବେ କାର୍ଯ୍ୟ କଲା ସମୟରୁ କଟକରେ ମୋ ଛାତ୍ରାବସ୍ଥାରୁ ତାଙ୍କ ସଂପର୍କରେ ଆସିଥିଲି। ସେବେଠାରୁ ତାଙ୍କ ସହ ବାନ୍ଧି ହୋଇଥିବା ସଂପର୍କର ରଜ୍ଜୁ କ୍ରମେ ଅଧିକ ଦୃଢ଼ ହୋଇଥିଲା। ଶେଷପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କ ସହିତ ଯୋଡ଼ି ହୋଇ ରହିବାର ସୁଯୋଗ ମିଳିଥିଲା। ଛାତ୍ର ଆନ୍ଦୋଳନ ସମୟରେ ବିଭିନ୍ନ ସମ୍ବାଦ ପ୍ରକାଶନରେ ଆମ ନାମ ଉଲ୍ଲେଖ ହୋଇଥିବା ଓ ବିଶେଷ କରି ପ୍ରତିଷ୍ଠିତ ଇଂରାଜୀ ପତ୍ରିକା ଅମୃତବଜାରରେ ନାମ ପ୍ରକାଶ ପାଇଲେ ଆମକୁ ସ୍ବର୍ଗରୁ ଚାନ୍ଦ ପାଇଲା ଭଳି ଲାଗୁଥିଲା। ସ୍ବୀକୃତିପ୍ରାପ୍ତ ସାମ୍ବାଦିକ ଭାବରେ କଟକର ‌ଗୋପବନ୍ଧୁ ଭବନରୁ କ୍ୟାଣ୍ଟନମେଣ୍ଟ ଛକକୁ ଯାଇଥିବା ରାସ୍ତା ପାର୍ଶ୍ବରେ ଏକ ସରକାରୀ ବଙ୍ଗଳାରେ ସେ ସେତେବେଳେ ରହୁଥିଲେ। ମୁଁ ଅନ୍ୟ କେତେକ ବନ୍ଧୁଙ୍କ ସହ ତାଙ୍କ ଘରକୁ ଯାଉଥିଲି।

ଗୋପାଳନ ପ୍ରତି ତାଙ୍କର ବିଶେଷ ରୁଚି ଥିଲା। ଆମ୍ଭମାନଙ୍କୁ ଗାଈ କ୍ଷୀର ଖୋଇବାରେ ସେ ଆନନ୍ଦ ପାଉଥିଲେ। ଆମିଷ ଭକ୍ଷଣ କରୁ ନ ଥିଲେ। ଗାନ୍ଧୀବାଦକୁ ନିଜ ଜୀବନରେ କିଛିଟା କାର୍ଯ୍ୟକାରୀ କରିଥିବାରୁ ଅନ୍ୟମାନଙ୍କ ପାଇଁ ପ୍ରେରଣାର କେନ୍ଦ୍ର ଥିଲେ। କଂଗ୍ରେସ ଦଳର ବହୁନେତାଙ୍କ ସହ ତାଙ୍କର ଘନିଷ୍ଠତା ଥିବା ସତ୍ତ୍ବେ ତତ୍‌କାଳୀନ କଂଗ୍ରେସ ଶାସନର ତ୍ରୁଟିବିଚ୍ୟୁତି ଲୋକଲୋଚନକୁ ଆଣିବା ଓ କଠୋର ସମାଲୋଚନା କରବାରେ ସେ ପଛାଉ ନ ଥିଲେ। କୌଣସି ଏକ ଗୁରୁତ୍ବପୂର୍ଣ୍ଣ ବିଷୟରେ ବ୍ୟଙ୍ଗାତ୍ମକ ଭାବରେ ପ୍ରକାଶ କରି ଅନ୍ୟମାନଙ୍କୁ ଆମୋଦିତ କରିବା ତାଙ୍କର ଏକ ବିଶେଷତ୍ବ ଥିଲା।

ସମସାମୟିକ ସମାଜ ବ୍ୟବସ୍ଥା, ରାଜନୀତିକ କାର୍ଯ୍ୟକ୍ରମଗୁଡ଼ିକୁ ଗମ୍ଭୀରତା ସହ ଅନୁଧ୍ୟାନ ଓ ଅନୁଶୀଳନ କରି ଲେଖାମାନ ପ୍ରକାଶ କରିବାରେ ତାଙ୍କର ପାରଦର୍ଶିତା ଥିଲା। ୧୯୯୦ ମସିହାରୁ ମୁଁ ବିଧାୟକ ଭାବେ ନିର୍ବାଚିତ ହେଲା ପରେ ତାଙ୍କ ସହ ସଂପର୍କ ଅଧିକ ନିବିଡ଼ ହେଲା ଏବଂ ବିଭିନ୍ନ ପ୍ରସଙ୍ଗରେ ତାଙ୍କଠାରୁ ମୁଁ ପରାମର୍ଶ ନେଉଥିଲି। ଏକ ପରିବାରିକ ସଂପର୍କରେ ସେ ମୋ ଭଳି ବହୁ ବ୍ୟକ୍ତିଙ୍କୁ ବନ୍ଧୁତାବଳୟରେ ବାନ୍ଧି ‌ପାରିଥିଲେ।

ବିିଭିନ୍ନ ଦଳର ମନ୍ତ୍ରୀ, ବିଧାୟକ ଓ ରାଜନେତାଙ୍କ ସାଙ୍ଗରେ ସଂପର୍କ ଥିବାରୁ ବହୁ ଘଟଣାବଳୀକୁ ନିକଟରୁ ଦେଖି ବିଶେଷଭାବରେ ଅଧ୍ୟୟନ କରି ସ୍ତମ୍ଭକାର ଭାବରେ ଲେଖାମାନ ପ୍ରକାଶ କରୁଥିଲେ। ତାଙ୍କ ରଚିତ ପୁସ୍ତକଗୁଡ଼ିକ ବେଶ୍‌ ତଥ୍ୟପୂର୍ଣ୍ଣ, ରୁଚିସଂପନ୍ନ ହୋଇଥିବାରୁ ପାଠକୀୟ ଆଦୃତି ଲାଭ କରିଛି। ବିଶେଷକରି ତାଙ୍କ ରଚିତ ପୁସ୍ତକମାନଙ୍କ ମଧ୍ୟରୁ ଓଡ଼ିଶା ରାଜନୀତିର ଗୋପନ କଥା ଓ ଇଂରାଜୀ ପୁସ୍ତକ ‘ଫୁଟ୍‌ ପ୍ରିଣ୍ଟସ୍‌ ଅଫ୍‌ ଦି ଇଭେଣ୍ଟଫୁଲ ଡେଜ୍‌’ ଏକ ତଥ୍ୟଭିତ୍ତିକ ରଚନା।

କୋଭିଡ୍‌ ଦ୍ବାରା ବହୁ ବ୍ୟକ୍ତିଙ୍କୁ ନିଷ୍ଠୁର କାଳ ଆମ ମଧ୍ୟରୁ ଛଡ଼ାଇ ନେଇଥିବାବେଳେ ଏହି ଧାରାରେ ବସନ୍ତ ଦାସଙ୍କ ଭଳି ସ୍ନେହୀ ମଣିଷଙ୍କୁ ଆମେ ହରାଇଛୁ। ଓଡ଼ିଶାର ବୌଦ୍ଧିକ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା। ଓଡ଼ିଶାର ରାଜନୈତିକ ଇତିହାସର ତଥ୍ୟ ଦେଉଥିବା ବ୍ୟକ୍ତି ଆସନ୍ତାକାଲି ପାଇଁ ଇତିହାସ ହୋଇଗଲେ। କିନ୍ତୁ ତାଙ୍କ ଲେଖାଗୁଡ଼ିକୁ କୋଭିଡ୍‌ ସଂକ୍ରମଣ ଛୁଇଁ ପାରିବ ନାହିଁ। ଏହା ଅଧିକ ବଳଶାଳୀ ହୋଇ ଅନ୍ଧାରରେ ଥିବା ବ୍ୟକ୍ତିମାନଙ୍କୁ ଆଲୋକ ପ୍ରଦାନ କରିବ। ୫୦ ବର୍ଷ ସାଧନାର ସ୍ମୃତିସୌଧ ଜାଜ୍ଜ୍ବଲ୍ୟମାନ ହୋଇ ରହିବ। ପ୍ରଚଣ୍ଡ ରୌଦ୍ରତାପରେ ବସନ୍ତ ମଳିନ ହୋଇ ପଡୁଥିବାବେଳେ ବିଶିଷ୍ଟ ସ୍ତମ୍ଭକାର, ଲେଖକ, ଦରଦୀ ମଣିଷ ବସନ୍ତ ଦାସ ଆମ ସ୍ମୃତିରେ ଅମଳିନ ହୋଇ ରହିବେ।

ସମ୍ବନ୍ଧିତ ଖବର