ଶାରଦୀୟ ନବରାତ୍ରି ପରି ବାସନ୍ତିକ ନବରାତ୍ରି ମଧ୍ୟ ଦେବୀ ଦୁର୍ଗାଙ୍କ ପୂଜାର ପ୍ରକୃଷ୍ଟ ସମୟ। ଶାରଦୀୟ ନବରାତ୍ରି ଆଶ୍ବିନ ଶୁକ୍ଳ ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ପାଳିତ ହେଉଥିବା ବେଳେ, ବାସନ୍ତିକ ନବରାତ୍ରି ଚୈତ୍ର ଶୁକ୍ଳ ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ପାଳିତ ହୋଇଥାଏ। ‘ମାର୍କଣ୍ଡେୟ ପୁରାଣ’ ଅନୁସାରେ, ଦୁରାଚାରୀ ଦୈତ୍ୟ ମହିଷାସୁରର ନିଧନ ନିମନ୍ତେ ଦେବତାମାନଙ୍କର ସମ୍ମିଳିତ ତେଜରୁ ଦେବୀ ଦୁର୍ଗାଙ୍କର ଅାବିର୍ଭାବ ଘଟିଥିଲା। ତାହା ସତ୍ୟଯୁଗର କଥା। ତାହାର ପରବର୍ତ୍ତୀ କାଳରେ, ସାବର୍ଣ୍ଣି ମନ୍ବନ୍ତରରେ ସୁରଥ ରାଜା ଓ ସମାଧି ବୈଶ୍ୟ ନିଜ ନିଜର ଦୁର୍ଗତି ଦୂର କରିବା ପାଇଁ ମାର୍କଣ୍ଡେୟ ମୁନିଙ୍କ ପରାମର୍ଶରେ ଦେବୀ ଦୁର୍ଗାଙ୍କର ପୂଜା କରିଥିଲେ। ତାହା ମଧ୍ୟ ସେହି ସତ୍ୟଯୁଗର କଥା।
ଶ୍ରୀରାମ ଯେଉଁ ସମୟରେ ରାବଣ ବଧ ନିମନ୍ତେ ଦେବୀ ଦୁର୍ଗାଙ୍କର ପୂଜା କରିଥିଲେ, ତାହା ଥିଲା ଦେବୀଙ୍କର ଶୟନର ସମୟ। କାରଣ, ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀରେ ଦେବୀ ଦୁର୍ଗା ଶୟନ କରିଥାନ୍ତି। ତେଣୁ ତାହା ‘ଅକାଳବୋଧନ’ ଦୁର୍ଗାପୂଜା। ସେଥିପାଇଁ ଶ୍ରୀରାମ ସେହି ଶାରଦୀୟ ଦୁର୍ଗାପୂଜାର ପ୍ରବର୍ତ୍ତକ ବୋଲି କୁହାଯାଏ।
ଶ୍ରୀରାମଙ୍କର ସମୟ ତ୍ରେତୟାଯୁଗ। ରାବଣର ଭାଇ ବିଭୀଷଣଙ୍କ ପରାମର୍ଶରେ ନିଜର ଦୁର୍ଗତି ଦୂର ପାଇଁ ସେ ଦେବୀଦୁର୍ଗାଙ୍କର ପୂଜା କରିଥିଲେ। କାରଣ, ବନବାସ କାଳରେ ଦୁରାଚାରୀ ରାବଣ ତାଙ୍କର ପତ୍ନୀ ସୀତାଙ୍କୁ ଚୋରାଇ ନେଇଥିଲା। ରାବଣ ଦେବୀ ଦୁର୍ଗାଙ୍କୁ ପୂଜା କରି ତାଙ୍କର ଆଶିଷ ଲାଭ କରିଥିଲା। ତେଣୁ ରାବଣବଧ ନିମନ୍ତେ ଦେବୀ ଦୁର୍ଗାଙ୍କର ଆଶିଷ ଲାଭ ଅତ୍ୟାବଶ୍ୟକ ଥିଲା। ଶ୍ରୀରାମ ଯେଉଁ ସମୟରେ ରାବଣ ବଧ ନିମନ୍ତେ ଦେବୀ ଦୁର୍ଗାଙ୍କର ପୂଜା କରିଥିଲେ, ତାହା ଥିଲା ଦେବୀଙ୍କର ଶୟନର ସମୟ। କାରଣ, ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀରେ ଦେବୀ ଦୁର୍ଗା ଶୟନ କରିଥାନ୍ତି। ତେଣୁ ତାହା ‘ଅକାଳବୋଧନ’ ଦୁର୍ଗାପୂଜା। ସେଥିପାଇଁ ଶ୍ରୀରାମ ସେହି ଶାରଦୀୟ ଦୁର୍ଗାପୂଜାର ପ୍ରବର୍ତ୍ତକ ବୋଲି କୁହାଯାଏ। ଏଣୁ ସେହି ଦୁର୍ଗାପୂଜା ଅବସରରେ ରାବଣ ପୋଡ଼ି ମଧ୍ୟ ହୁଏ।
କିନ୍ତୁ ବାସନ୍ତିକ ଦୁର୍ଗାପୂଜା ହେଉଛି, ପ୍ରଥମ ଦୁର୍ଗାପୂଜା। ସୁରଥ ରାଜା ଓ ସମାଧି ବୈଶ୍ୟ ଚୈତ୍ର ମାସରେ, ବସନ୍ତ କାଳରେ ସେହି ଦୁର୍ଗା ପୂଜା କରିଥିବା ଜଣାଯାଏ।
ମାତ୍ର ଶାରଦୀୟ ଦୁର୍ଗାପୂଜାର ମହା ସମାରୋହ ମଧ୍ୟରେ ଏହି ମୂଳ ବାସନ୍ତିକ ଦୁର୍ଗାପୂଜା ଆଜି ତାହାର ପ୍ରାଧାନ୍ୟ ହରାଇ ବସିଥିବା ପରି ମନେହେଉଛି।
-ଅସିତ ମହାନ୍ତି