ପରଂବ୍ରହ୍ମ ପ୍ରଭୁ ଶ୍ରୀବିଷ୍ଣୁ ଜଗତର ହର୍ତ୍ତା, କର୍ତ୍ତା ଓ ଭାଗ୍ୟବିଧାତା। ସେ ସର୍ବଶକ୍ତିମାନ୍। କିନ୍ତୁ ସେ ଯେତେବେଳେ ଲୀଳାବିଧୃତ କଳେବର ଧାରଣ କରନ୍ତି, ତାଙ୍କର ଲୀଳାସଙ୍ଗୀ ଭାବରେ ସେ ତପୀ, କପି, ଗୋପୀ ଆଦିଙ୍କୁ ସଂଗରେ ଧରି ଆସିଥାନ୍ତି। ସେମାନଙ୍କ ମଧ୍ୟରୁ କିଏ ପିତା, କିଏ ମାତା, କିଏ ସୋଦର ଓ କିଏ ଦାସ ଭାବରେ ତାଙ୍କର ସାନ୍ନିଧ୍ୟରେ ଥାନ୍ତି। ରାମ ଅବତାର କାଳରେ ରାବଣ ପ୍ରଥମେ ମହାପ୍ରଭୁଙ୍କର ଯେଉଁ ଦୃଶ୍ୟ ଦେଖିଥିଲେ, ସେଥିରୁ ଏହା ସହଜରେ ଅନୁମେୟ। ବିଶ୍ୱନାଥ ଖୁଣ୍ଟିଆ ତାର ବର୍ଣ୍ଣନା କରି ଲେଖିଛନ୍ତି-
“ଡୋଳେ ଦେଖିଲା ଦୁର୍ବାଦଳ ଶ୍ୟାମ ଶରୀର...
ବିଚିତ୍ର ମୃଗଛାଲ ପରେ ବିଜୟ ସୁଗ୍ରୀବ ଉରେ ଆଉଜିଣ
ଦକ୍ଷିଣ ଭୁଜ ତାରା ସୁତ ସ୍କନ୍ଦେ ହନୁ ଚାପେ ବାମଚରଣ।”
ଏଥିସହିତ ବିଭୀଷଣ, ଜାମ୍ବବାନ ଆଦି ତାଙ୍କୁ ବେଢ଼ି ରହିଥିବାର ବର୍ଣ୍ଣନା ମଧ୍ୟ ସେ କରିଛନ୍ତି।
ଦ୍ୱାପରର କ୍ରୀଡ଼ା ବର୍ଣ୍ଣନା ତ ସର୍ବବିଦିତ। ସେହିପରି କଳିଯୁଗରେ ମହାପ୍ରଭୁ ଦାରୁବ୍ରହ୍ମ ହେଲେ ମଧ୍ୟ, ସର୍ବଦା ସ୍ୱଜନପରିବୃତ। ସମସ୍ତ ଦେବଦେବୀଙ୍କ ସହିତ ସହସ୍ରାଧିକ ସେବକ ତାଙ୍କର ସ୍ୱଜନ। ଛଳନାମୟ ପ୍ରଭୁ ସେହି ସେବକମାନଙ୍କର ଆଉଟିକିଏ ନିକଟତର ହେବାପାଇଁ ରଚନା କରନ୍ତି ଅଣସର ଲୀଳା। ଏକାନ୍ତରେ ପନ୍ଦରଦିନ ସେମାନଙ୍କ ସହିତ ରହନ୍ତି ଜର ବାହାନାରେ। ଦଇତା ସେବକ କରନ୍ତି ଉପଚାର। ଫୁଲୁରିତେଲ, ଓଷୁଅ ଲାଗି, ଖଳିଲାଗି ଆଦି ଗୋଟିକ ପରେ ଗୋଟିଏ ପ୍ରଭୁଙ୍କୁ ସୁସ୍ଥ କରିବାପାଇଁ ଉଦ୍ଦିଷ୍ଟ ଥାଏ। ଏହାପରେ ହୁଏ ଘଣାଲାଗି। ସାଧାରଣତଃ ତେଲ ପେଡ଼ିବାପାଇଁ ବ୍ୟବହୃତ ପାରମ୍ପରିକ ଯନ୍ତ୍ରକୁ ଘଣା କୁହାଯାଏ। ତେଲ ପେଡ଼ିବାପାଇଁ ଏହାର ଚାରିପଟେ ବୁଲିବାକୁ ହୁଏ। ନିୟମ ଅନୁସାରେ ଆଷାଢ଼ କୃଷ୍ଣ ତ୍ରୟୋଦଶୀ ଦିନ ବାସୁଙ୍ଗାପାଟରେ ତିଆରି ପାଟଡୋରରେ ବିଗ୍ରହଙ୍କୁ ସେହିପରି ଭାବରେ ଚାରିପଟରୁ ଘେରାଇ ଦୃଢ଼ ଭାବରେ ବନ୍ଧାଯାଇଥାଏ। ଏଥିପାଇଁ ଦୁଇଟି ବଡ଼ ପାଟ ଡୋର ଓ ତିନିଟି ସାନ ପାଟ ଡୋର ପାଟରା ସେବକମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ। ଦଇତାସେବକମାନେ ଏହି ପାଟଡୋରକୁ ନାଗ-ନାଗୁଣୀ କହିଥାନ୍ତି। ସେମାନଙ୍କର ସୂଚନାମତେ, ମହାପ୍ରଭୁମାନଙ୍କର ନାଭିଦେଶ, ଯେଉଁଠାରେ ବ୍ରହ୍ମ ସଂସ୍ଥାପିତ ହୋଇଥାନ୍ତି, ସେହି ଅଂଶ ଉପର ଦେଇ ଏହି ଡୋରି ଶକ୍ତ ଭାବରେ ବନ୍ଧା ଯାଇଥାଏ।
ବାସୁଙ୍ଗା ପାଟ ମହାପ୍ରଭୁଙ୍କର ଅତିପ୍ରିୟ। ସର୍ବଦା ଏହାର ବ୍ୟବହାର ତାଙ୍କର ବିଭିନ୍ନ କାର୍ଯ୍ୟରେ ହୋଇଥାଏ। ତାଙ୍କର ଦାରୁ ଶଗଡ଼ିକୁ ଯେପରି ପଟ୍ଟବସ୍ତ୍ରରେ ଆବୃତ କରି ବାସୁଙ୍ଗା ପାଟଦଉଡ଼ି ଭିଡ଼ାଯାଇଥାଏ, ସେହିପରି ପହଣ୍ଡିରେ ଯେଉଁ କାଞ୍ଚନମାଳା ଡୋର ବ୍ୟବହୃତ ହୁଏ, ତାହା ମଧ୍ୟ ବାସୁଙ୍ଗା ପାଟ ଡୋରି। ଏପରିକି ତାଙ୍କ ପରିଜନମାନେ ଯେଉଁ ମୁକୁଟ ପିନ୍ଧନ୍ତି ତାହା ମଧ୍ୟ ବାସୁଙ୍ଗା ପାଟରେ ତିଆରି ହୋଇଥାଏ। ରଥକୁ ହେଉ ବା ସ୍ନାନବେଦୀକୁ ହେଉ, ବାହୁଟ କଣ୍ଟ ସହିତ ବାସୁଙ୍ଗାପାଟ ଡୋରରେ ରୁନ୍ଧା ହୋଇ ପ୍ରଭୁ ବାହାର ଯାତ୍ରା କରିଥାନ୍ତି।
ବାସୁଙ୍ଗାପାଟ ଓ ପ୍ରଭୁ ଜଗନ୍ନାଥ
/sambad/media/post_attachments/wp-content/uploads/2022/06/jagannatha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)