ବାଦୁଡ଼ି ଦ୍ବୀପ : ହୀରାକୁଦ ଜଳଭଣ୍ଡାରର ‘ହାଡ଼ଖାଇ ଟାପୁ’

ହୀରାକୁଦ ଜଳଭଣ୍ଡାର ମଧ୍ୟରେ ଥିବା ବାଦୁଡ଼ି ଦ୍ବୀପ (ବ୍ୟାଟ୍‌ସ ଆଇଲ୍ୟାଣ୍ଡ୍‌) ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ‌ଜଳଭଣ୍ଡାର ମଧ୍ୟରେ ଥିବା ଏହି ଛୋଟ ଦ୍ବୀପରେ ଗୋଟିଏ ପଟେ ବହୁ ସଂଖ୍ୟାରେ ବାଦୁଡ଼ି ରହୁଥିବା ବେଳେ ଅନ୍ୟ ପଟେ ନିଜ ପରିବାର ସହିତ ରହୁଛନ୍ତି କିଛି ମତ୍ସ୍ୟଜୀବୀ। ବାଦୁଡ଼ି ଓ ମତ୍ସ୍ୟଜୀବୀଙ୍କ ମଧ୍ୟରେ ରହିଛି ଅତୁଟ ବନ୍ଧୁତା। ବାଦୁଡ଼ିମାନେ ଏଠାରେ ରହୁଥିବା ଲୋକଙ୍କ ପାଇଁ ପରୋକ୍ଷରେ ରୋଜଗାର ବୃଦ୍ଧିରେ ସହାୟକ ହେଉଛନ୍ତି।

Newstalkie

ହୀରାକୁଦ ଜଳଭଣ୍ଡାରକୁ ଲାଗିଛି ଡେବ୍ରିଗଡ଼ ଅଭୟାରଣ୍ୟ। ଅଭୟାରଣ୍ୟରେ ରହିଛନ୍ତି ମହାବଳ ବାଘଠାରୁ ଆରମ୍ଭ କରି ବିଭିନ୍ନ ପ୍ରଜାତିରେ ବନ୍ୟପ୍ରାଣୀ। ଗୋଟିଏ ପଟେ ବିଭୋର କରିବା ଭଳି ହୀରାକୁଦ ଜଳଭଣ୍ଡାରର ବିସ୍ତୀର୍ଣ୍ଣ ନୀଳ ଜଳରାଶିର ସୌନ୍ଦର୍ଯ୍ୟ ତ ଅନ୍ୟପଟେ ଘଞ୍ଚ ଜଙ୍ଗଲରେ ଭରପୂର ପରିବେଶ ପର୍ଯ୍ୟଟନପ୍ରେମୀଙ୍କୁ ଆକୃଷ୍ଟ କରୁଛି। ପରିବେଶ ପର୍ଯ୍ୟଟନ ଚାହିଦାକୁ ଦୃଷ୍ଟିରେ ରଖି ଡେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟରେ ବନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଛି ପ୍ରକୃତି ନିବାସ (ନେଚର୍ କ୍ୟାମ୍ପ୍‌)। ରାଜ୍ୟ ତଥା ରାଜ୍ୟ ବାହାରରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଢର୍‌ରୋକୁସୁମ୍ ଗାଁ ପାଖରେ ଥିବା ଅଭୟାରଣ୍ୟର ପ୍ରବେଶପଥ ଠାରୁ ସାଢ଼େ ୪ କିଲୋମିଟର ଦୂରତାର ପ୍ରକୃତି ନିବାସ ରହିଥିବା ବେଳେ ‘ହୀରାକୁଦ କ୍ରୁଜ୍’ ପ୍ୟାକେଜ୍‌ ଜରିଆରେ ବାଦୁଡ଼ି ଦ୍ବୀପକୁ ଯିବାକୁ ହୋଇଥାଏ। ପ୍ରକୃତି ନିବାସରୁ ବାଦୁଡ଼ି ଦ୍ବୀପକୁ ଯିବାକୁ ହେଲେ ହୀରାକୁଦ ଜଳଭଣ୍ଡାରରେ ବୋଟ୍‌ ‌‌ଯୋଗେ ପାଖାପାଖି ୩ କିଲୋମିଟର ଯାତ୍ରା କରିବାକୁ ପଡ଼ିଥାଏ।

ଦୁଇ ହେକ୍ଟର ଜମି ବିଶିଷ୍ଟ ଏହି ଛୋଟ ଦ୍ବୀପରେ ବହୁ ବିଶାଳ ବୃକ୍ଷ ରହିଥିବା ବେଳେ ସେହି ପ୍ରାକୃତିକ ପରିବେଶରେ ରହୁଛନ୍ତି ୭ଟି ପରିବାର।
ମାଛମାରି ଜୀବିକା ନିର୍ବାହ କରୁଥିବା ଏହି ପରିବାର ବହୁ ବର୍ଷ ହେଲା ଏଠାରେ ବସବାସ କରୁଛନ୍ତି। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍‌ ପାହାଡ଼ଶ୍ରୀଗିଡ଼ା ପଞ୍ଚାୟତ ଅଞ୍ଚଳର ଏମାନେ ମୂଳ ନିବାସୀ। ଛୋଟ ପିଲାମାନଙ୍କୁ ପଢ଼ାପଢ଼ି ପାଇଁ ସେମାନେ ଗାଁରେ ରହୁଥିବା ସଂପର୍କୀୟମାନଙ୍କ ପାଖରେ ଛାଡ଼ି ଦେଇଥିବା ବେଳେ ଚାରିପଟେ ବହୁ ଦୂର ପର୍ଯ୍ୟନ୍ତ ପାଣି ଘେରି ରହିଥିବା ଏହି ଦ୍ବୀପରେ ବିତୁଛି ସେମାନଙ୍କ ଜୀବନ। କେବଳ ଗ୍ରୀଷ୍ମଦିନେ ଜଳଭଣ୍ଡାରର ଜଳସ୍ତର ବହୁମାତ୍ରାରେ ହ୍ରାସ ପାଇଲେ ଅଳ୍ପ କେଇଦିନ ପାଇଁ ‌ଡେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟରେ ଥିବା ଆଉ ଏକ ମତ୍ସ୍ୟଜୀବୀ ଗାଁ ମୁଣ୍ଡୋମହୁଲ ପଟୁ ଚାଲିଚାଲି ଯିବା ସମ୍ଭବ ହୋଇଥାଏ। ଆଗରୁ ଏହି ଦ୍ବୀପକୁ ସ୍ଥାନୀୟ ଭାଷାରେ ‘ହାଡ଼ଖାଇ ଟାପୁ’ କୁହାଯାଉଥିଲା। ପୂର୍ବରୁ କିଛି ବର୍ଷ ଜଳଭଣ୍ଡାର ପାଣିରେ ଭାସି ଆସିଥିବା ବିଭିନ୍ନ ପ୍ରାଣୀର କଙ୍କାଳ ଏହି ଦ୍ବୀପରେ ଲାଗିଥିବା ଗ୍ରୀଷ୍ମଦିନେ ଦେଖିବାକୁ ମିଳିଥିଲା। ତେଣୁ, ଏହି ଦ୍ବୀପର ନାମ ସେପରି ରଖାଯାଇଥିବା ସ୍ଥାନୀୟ ଲୋକେ କହନ୍ତି।

ଅତି ଜରୁରି ହେଲେ ଡଙ୍ଗା ଯୋଗେ ଜଳଭଣ୍ଡାରରେ ଯାତ୍ରାକରି ନିଜ ଗାଁକୁ ଯାଇଥାନ୍ତି। ମତ୍ସ୍ୟଜୀବୀଙ୍କଠାରୁ ମାଛ କିଣୁଥିବା ବେପାରୀ ହିଁ ସେମାନଙ୍କ ପାଇଁ ସବୁ ଜିନିଷପତ୍ର ଯୋଗାଇଥିବା ହେମନ୍ତ ଦରୱାନ କହିଛନ୍ତି। ଦ୍ବୀପରେ ରହୁଥିବା ଜଣେ ବୃଦ୍ଧା ଜପ ଜାଲଙ୍କୁ ଭତ୍ତା ମିଳୁଥିବା ବେଳେ ଅନ୍ୟ ଦୁଇ ତିନି ଜଣ କିନ୍ତୁ ଏଥିରୁ ବଞ୍ଚିତ ଥିବା ସେ କହିଛନ୍ତି। ତେବେ, ବାଦୁଡ଼ି ଦେଖିବା ପାଇଁ ଯାଉଥିବା ପର୍ଯ୍ୟଟକମାନେ ଏହି ଦ୍ବୀପରେ ହୀରାକୁଦ ଜଳଭଣ୍ଡାରର ବିଭିନ୍ନ ପ୍ରଜାତିର ସ୍ବାଦିଷ୍ଠ ମାଛଭଜାର ମଜା ନେଇପାରୁଛନ୍ତି। ପର୍ଯ୍ୟଟକଙ୍କ ଆଗମନ ଯୋଗୁ ସେମାନଙ୍କ ରୋଜଗାର ବି କେତେକାଂଶରେ ବଢୁଛି।

(ସମ୍ବଲପୁରରୁ ରତ୍ନାକର ଭୋଇ)

ସମ୍ବନ୍ଧିତ ଖବର