ଆଣବିକ ଶକ୍ତି ବିଶ୍ବର ମୋଟ ଶକ୍ତି ଚାହିଦାର ୧୦ ପ୍ରତିଶତ ପୂରଣ କରୁଛି। ତେବେ ଏହାର ସବୁଠୁ ବିପଜ୍ଜନକ ଉପାଦାନଟି ହେଉଛି ଏଥିରୁ ନିର୍ଗତ ତେଜସ୍କ୍ରିୟ ବର୍ଜ୍ୟ। ଏହି ବର୍ଜ୍ୟକୁ ସାଧାରଣତଃ ଭୂତଳରେ ଗଚ୍ଛିତ କରି ରଖାଯାଉଥିବା ବେଳେ ସେଗୁଡ଼ିକୁ ଅବ୍ୟବହୃତ ଅବସ୍ଥାରେ ଛାଡ଼ିବା ଅପେକ୍ଷା ତାହାର ସୁବିନିଯୋଗ ପାଇଁ ଓହିଓ ଷ୍ଟେଟ୍‌ ୟୁନିଭର୍ସିଟିର ଗବେଷକମାନେ ପ୍ରୟାସ କରିଛନ୍ତି। ସେମାନେ ଏହି ଆଣବିକ ବର୍ଜ୍ୟରୁ ଏଭଳି ଏକ ବ୍ୟାଟେରି ବିକଶିତ କରିଛନ୍ତି, ଯାହା ବିନା ଚାର୍ଜିଂରେ ଦଶନ୍ଧି ଦଶନ୍ଧି ଧରି ବିଦ୍ୟୁତ୍‌ ଶକ୍ତି ଯୋଗାଇ ପାରିବ।

Advertisment

ପାରମ୍ପରିକ ବ୍ୟାଟେରିଗୁଡ଼ିକୁ ବାରମ୍ବାର ଚାର୍ଜ କରିବା ସହ ସେଗୁଡ଼ିକୁ କିଛି ବର୍ଷରେ ବଦଳାଇବାକୁ ପଡ଼ିଥାଏ, ମାତ୍ର ଆଣବିକ ବର୍ଜ୍ୟରୁ ନିର୍ମିତ ବ୍ୟାଟେରି ଦଶନ୍ଧି ଦଶନ୍ଧି ଧରି କାର୍ଯ୍ୟକ୍ଷମ ରହିପାରିବ।

ଗାମା ବିକିରଣକୁ ଶୋଷି ଆଲୋକ ନିର୍ଗତ କରୁଥିବା ସିଣ୍ଟିଲେଟର କ୍ରିଷ୍ଟାଲକୁ ସେମାନେ ଏଥିରେ ବ୍ୟବହାର କରିଛନ୍ତି। ଉକ୍ତ କ୍ରିଷ୍ଟାଲରୁ ନିର୍ଗତ ଆଲୋକକୁ ଏକ ସୌରସେଲ୍‌ ସହିତ ଯୋଡ଼ି ବିଦ୍ୟୁତ୍‌ ଶକ୍ତିରେ ପରିଣତ କରାଯାଇଛି। ପାରମ୍ପରିକ ବ୍ୟାଟେରିଗୁଡ଼ିକର କ୍ଷମତା ସମୟ କ୍ରମେ କମି କମି ଆସିବା ସହ ସେଗୁଡ଼ିକୁ ବଦଳାଇବାକୁ ପଡ଼ିଥାଏ, ମାତ୍ର ଏହି ଆଣବିକ ବର୍ଜ୍ୟରୁ ନିର୍ମିତ ବ୍ୟାଟେରି ତେଜସ୍କ୍ରିୟ ସାମଗ୍ରୀ ସକ୍ରିୟ ଥିଲା ଯାଏ ଦଶନ୍ଧି ଦଶନ୍ଧି ଧରି କାର୍ଯ୍ୟକ୍ଷମ ରହିଥାଏ। ଗବେଷକମାନେ ଉଭୟ ସିଜିଅମ୍‌-୧୩୭ ଓ କୋବାଲ୍‌ଟ-୬୦ ପରି ତେଜସ୍କ୍ରିୟ ବର୍ଜ୍ୟ ପଦାର୍ଥକୁ ନେଇ ପରୀକ୍ଷଣ କରିଥିଲେ। ସମ୍ପ୍ରତି ଏହି ପଦ୍ଧତିରୁ କିଛି ମାଇକ୍ରୋଵାଟ୍ ଶକ୍ତି ଉତ୍ପନ୍ନ ହୋଇପାରୁଛି। ଏହି ବ୍ୟାଟେରି ଏବେ ମାଇକ୍ରୋସେନ୍‌ସର୍ ଓ ବିକିରଣ ମନିଟରିଂ ଉପକରଣ ଭଳି କମ୍‌ ଶକ୍ତିସଂପନ୍ନ ସରଞ୍ଜାମକୁ ଚଳାଯାଇପାରିବ। ତେବେ ତେଜସ୍କ୍ରିୟ ବର୍ଜ୍ୟକୁ ବଡ଼ ଧରଣର ସିଣ୍ଟିଲେଟର କ୍ରିଷ୍ଟାଲରେ ପରିବେଷ୍ଟିତ କରି ଶକ୍ତି ଉତ୍ପାଦନକୁ ବହୁଗୁଣିତ କରାଯାଇପାରିବ ବୋଲି ଗବେଷକମାନେ ଆଶା ରଖିଛନ୍ତି।

ଯେଉଁଠି ଶକ୍ତି ଉତ୍ସକୁ ବଦଳାଇବା କଷ୍ଟକର କିମ୍ବା ଅସମ୍ଭବ, ସେ କ୍ଷେତ୍ରରେ ଏହି ବ୍ୟାଟେରିର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। ବିଶେଷ କରି ଭବିଷ୍ୟତର ଅନ୍ତରୀକ୍ଷ ଅଭିଯାନରେ ଏହା ଏକ ଉତ୍କୃଷ୍ଟ ଉପକରଣ ହୋଇପାରିବ। ସେହିପରି ଗଭୀର ଜଳ ଭିତରେ କାର୍ଯ୍ୟକ୍ଷମ ଅନୁସନ୍ଧାନ ଉପକରଣଗୁଡ଼ିକ ପାଇଁ ମଧ୍ୟ ଏହା ବେଶ୍‌ ଉପଯୋଗୀ ହୋଇପାରିବ। ଉକ୍ତ ବ୍ୟାଟେରିକୁ ଅଧିକ କ୍ଷେତ୍ରରେ ବିନିଯୋଗ କରାଯାଇପାରିଲେ ଏହା ବିପଦପୂର୍ଣ୍ଣ ବର୍ଜ୍ୟବସ୍ତୁ ସଂରକ୍ଷଣର ଆବଶ୍ୟକତାକୁ ହ୍ରାସ କରିବା ସହ ସବୁଜ ତଥା ଦୀର୍ଘକାଳୀନ ଶକ୍ତି ଉତ୍ପାଦନର ଏକ ଉତ୍କୃଷ୍ଟ ଉତ୍ସ ହୋଇପାରିବ।