ଦୁଃସାହସିକ ବାଇକ୍ପ୍ରେମୀଙ୍କ ପାଇଁ ଭାରତୀୟ ବଜାରରେ ‘ଅଲଟ୍ରାଭାଓଲେଟ୍ ଏକ୍ସ୪୭ କ୍ରସ୍ଓଭର’ ନାମକ ଏକ ବ୍ୟାଟେରିଚାଳିତ ଆଡଭେଞ୍ଚର୍ ଟୁରିଂ ବାଇକ୍ ପ୍ରବେଶ କରିଛି। ବେଙ୍ଗାଲୁରୁରେ ଏହାର ଏକ୍ସ-ସୋରୁମ୍ ଦାମ୍ ୨.୭୪ ଲକ୍ଷ ଟଙ୍କା ରହିଛି। ଏହା ହେଉଛି ଆଡଭେଞ୍ଚର୍ ଟୁରିଂ ବାଇକ୍ ଓ ଷ୍ଟ୍ରିଟ୍ ନେକେଡ୍ ବାଇକ୍ର ଏକ ମିଶ୍ରଣ। ଲେଜର ରେଡ୍, ଏୟାରଷ୍ଟ୍ରାଇକ୍ ହ୍ୱାଇଟ୍ ଓ ସାଡୋ ବ୍ଲାକ୍ ପରି ତିନିଟି ରଙ୍ଗରେ ଉପଲବ୍ଧ ଏହି ବାଇକ୍ର ଡେଜର୍ଟ ୱିଙ୍ଗ ପରି ଏକ ସ୍ୱତନ୍ତ୍ର ସଂସ୍କରଣ ମଧ୍ୟ ରହିଛି ଯାହାର ପଛରେ ଲଗେଜ୍ ରାକ୍ ଓ ସାଡେଲ୍ ଷ୍ଟେ ଲାଗିଛି। ୟୁଭି ହାଇପରସେନ୍ସ ରାଡାର ପ୍ରଯୁକ୍ତିବିଦ୍ୟା ସଂପନ୍ନ ଏହି ବାଇକ୍ର ଅନ୍ୟାନ୍ୟ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ବ୍ଲାଇଣ୍ଡ ସ୍ପଟ୍ ଚିହ୍ନଟ, ଲେନ୍ ପରିବର୍ତ୍ତନ ସହାୟତା, ଓଭରଟେକ୍ ଆଲର୍ଟ ଓ ପଛରୁ ଧକ୍କା ସତର୍କତା ଆଦି ରହିଛି।
ଏଥିରେ ଡୁଆଲ୍ ଇଣ୍ଟିଗ୍ରେଟେଡ୍ କ୍ୟାମେରା ଅଛି ଯାହା ଡ୍ୟାସ୍-କ୍ୟାମ୍ର ଭୂମିକା ତୁଲାଇଥାଏ। ଡୁଆଲ୍ ଡିସପ୍ଲେ ସେଟ୍ଅପ୍ ସାହାଯ୍ୟରେ ଆଗ ଓ ପଛ କ୍ୟାମେରାର ସିଧାସଳଖ ଫିଡ୍ ଦେଖିହେବ। ଏହା ଏକ ବୈଦ୍ୟୁତିକ ମୋଟର ଦ୍ୱାରା ଚାଳିତ ଯାହା ୪୦ ବିଏଚ୍ପି ଶକ୍ତି ଓ ୧୦୦ ନିଉଟନ୍ମିଟର ଟର୍କ ଉତ୍ପାଦନ କରିପାରିବ। ଏହାର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୧୪୫ କି.ମି. ରହିଥିବା ବେଳେ ଏହା ୨.୭ ସେକେଣ୍ଡ୍ରେ ଶୂନରୁ ଘଣ୍ଟା ପ୍ରତି ୬୦ କି.ମି. ଏବଂ ୮.୧ ସେକେଣ୍ଡ୍ରେ ଶୂନରୁ ଘଣ୍ଟାପ୍ରତି ୧୦୦ କି.ମି. ବେଗ ହାସଲ କରିପାରିବ। ଏହା ୭.୧ କିଲୋଵାଟ୍ଆଵାର ଓ ୧୦.୩ କିଲୋଵାଟ୍ଆଵାର ଭଳି ଦୁଇଟି ବିକଳ୍ପ ବ୍ୟାଟେରି ପ୍ୟାକ୍ରେ ଉପଲବ୍ଧ, ଯାହାକୁ ଥରେ ଚାର୍ଜ କଲେ ଯଥାକ୍ରମେ ୨୧୧ କି.ମି. ଓ ୩୨୩ କି.ମି. ଚାଲିପାରିବ।