ମାନବ ଶରୀରର ସମସ୍ତ ଅଙ୍ଗ ମଧ୍ୟରୁ ସବୁଠାରୁ ବୃହତ୍ ହେଉଛି ଚର୍ମ। ଶରୀର ଭିତରକୁ ଯାହା କିଛି ପ୍ରବେଶ କରେ ତାହା ଏଥିରେ ପ୍ରତିଫଳିତ ହୁଏ ଏବଂ ପରିବେଶରେ ଥିବା ସୂକ୍ଷ୍ମାତିସୂକ୍ଷ୍ମ କ୍ଷତିକାରକ କଣିକାରୁ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ଏହା ସୁରକ୍ଷା ଦେଇଥାଏ। ସାଧାରଣତଃ ବର୍ଷା ଋତୁରେ ବିଭିନ୍ନ ପ୍ରକାର ଚର୍ମ ସମସ୍ୟା ଦେଖାଦିଏ। ଏଥିସହିତ ବର୍ଷା ଋତୁରେ ଆଲର୍ଜି ମଧ୍ୟ ବୃଦ୍ଧି ପାଇଥାଏ। ସେ ନେଇ ଚର୍ମ ଓ ଯୌନରୋଗ ବିଶେଷଜ୍ଞ ଡାକ୍ତର ବିଶ୍ବଜିତ୍ ସାମଲଙ୍କ ସହିତ କଥାବାର୍ତ୍ତା।
ବର୍ଷାଦିନିଆ ଆଲର୍ଜିରୁ ରକ୍ଷା ପାଇବା କିପରି?
ବର୍ଷା ଋତୁରେ କିଛି ଫୁଲଗଛ ଆଲର୍ଜିର କାରଣ ହୋଇଥାନ୍ତି। ଏହିପରି ଉଦ୍ଭିଦକୁ ଆପଣଙ୍କ ଘର, ବାଲ୍କୋନିରୁ ଦୂରକୁ ହଟାନ୍ତୁ। ଆପଣଙ୍କ ଘରେ ଗୃହପାଳିତ ପଶୁ ଥିଲେ, ବର୍ଷାଦିନେ ସେମାନଙ୍କଠାରୁ ଦୂରେଇ ରହନ୍ତୁ, କାରଣ ସେମାନଙ୍କ ପାଇଁ ଆଲର୍ଜି ସମସ୍ୟା ବଢ଼ିପାରେ। ଆପଣଙ୍କ ଘରର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ। ବର୍ଷାଦିନେ ସ୍ନାନ କରିବା ପରେ ଚର୍ମରେ ନିଶ୍ଚୟ ମଶ୍ଚରାଇଜର୍ ଲଗାନ୍ତୁ।
ବର୍ଷାଦିନେ କେଉଁ କେଉଁ ଚର୍ମ ରୋଗ ହେବାର ଆଶଙ୍କା ଥାଏ?
ଯାଦୁ, କାଛୁ, ପାଣିକନ୍ଦା, କୁଣ୍ଡିଆ ପ୍ରଭୃତି ଚର୍ମ ସମସ୍ୟା ଦେଖାଯାଏ। ବର୍ଷା ଦିନରେ ଲୁଗାପଟା ସାଧାରଣତଃ ଭଲରେ ଶୁଖି ନଥାଏ। ଓଦା ଲୁଗାରେ ବେଳେବେଳେ ଫଙ୍ଗସ୍ ଧରିଦିଏ। ଏହା ଚର୍ମ ସଂସ୍ପର୍ଶରେ ଆସିବା ପରେ ଶରୀର କୁଣ୍ଡାଇ ହୋଇ ଲାଲ୍ ପଡ଼ିଯାଏ। ଧୀରେ ଧୀରେ ଏହା ବିଭିନ୍ନ ପ୍ରକାର ଚର୍ମ ରୋଗର କାରଣ ହୋଇଥାଏ।
ମଧୁମେହ କାରଣରୁ ଚର୍ମ ସଂକ୍ରମଣର ଆଶଙ୍କା କାହିଁକି ବୃଦ୍ଧି ପାଏ?
ରକ୍ତରେ ଶର୍କରା ସ୍ତର ବୃଦ୍ଧି ହେତୁ ଜୀବାଣୁ ଦ୍ରୁତ ଗତିରେ ବ୍ୟାପିପାରନ୍ତି, ଯାହା ସଂକ୍ରମଣକୁ ବୃଦ୍ଧି କରିଥାଏ। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇ ଶରୀର ସଂକ୍ରମଣକୁ ରୋକିବାରେ ସକ୍ଷମ ହୁଏ ନାହିଁ। ଶୁଖିଲା ଚର୍ମ କୁଣ୍ଡେଇ ହୁଏ। ଯାହା ଶରୀରରେ ଜୀବାଣୁ ପ୍ରବେଶ କରିବାର ବାଟ ଫିଟାଇଦିଏ। ମଧୁମେହ ରୋଗୀଙ୍କଠାରେ କ୍ୟାଣ୍ଡିଡା ଫଙ୍ଗସ୍ ଶୀଘ୍ର ବୃଦ୍ଧିପାଏ।
ଏକ୍ଜିମାର ଲକ୍ଷଣ କ’ଣ ଓ ଏଥିପାଇଁ ଆମେ କେଉଁ ଔଷଧ ଖାଇବା ଉଚିତ?
ଏକ୍ଜିମା ବିଭିନ୍ନ କାରଣ ପାଇଁ ହୋଇପାରେ। ବେଳେବେଳେ ଚର୍ମ ଶୁଖିଲା ହୋଇ କୁଣ୍ଡାଇ ହୁଏ, ଧୀରେ ଧୀରେ ସେହି ଜାଗାରେ ଖଣ୍ଡିଆ ହୋଇଯାଏ ଓ ପୂଯ ବାହାରେ। ବହୁଦିନ ଏପରି ଲାଗି ରହିଲେ ଏକ୍ଜିମା ମାରାତ୍ମକ ହୋଇଥାଏ। ସେଥିପାଇଁ ଚର୍ମକୁ ସବୁବେଳେ ତେଲିଆ ଓ ଓଦାଳିଆ ରଖିବା ଉଚିତ।
ଚର୍ମ ସମସ୍ୟାର ଘରୋଇ ଉପଚାର କ’ଣ ରହିଛି?
ଚର୍ମ ପାଇଁ ନଡ଼ିଆ ତେଲ ସବୁଠାରୁ ଉତ୍ତମ। ଶରୀରକୁ ସବୁବେଳେ ମଏଶ୍ଚରାଇଜ୍ କରି ରଖିବା ଉଚିତ। ଏମିତିକି ଡ୍ରାଏ ସାବୁନ୍ ମଧ୍ୟ ବ୍ୟବହାର କରିବା ଅନୁଚିତ। ରାତିରେ ଶୋଇବା ପୂର୍ବରୁ ଶରୀରରେ ମଏଶ୍ଚରାଇଜର ଲଗାଇ ଶୋଇବା ଉଚିତ। ପ୍ରଚୁର ପାଣି ସହିତ ଫଳ ଖାଇବା ଦରକାର।