ଫେସିଆଲ୍ କିମ୍ବା ହେୟାର୍ ଷ୍ଟ୍ରେଟ୍ନିଂ ଭଳି ପାର୍ଲର୍ ଟ୍ରିଟ୍ମେଣ୍ଟ୍ର ଚାହିଦା ଏବେ ବଢୁଛି। ଅଧିକାଂଶ ଯୁବପିଢ଼ି କେଶକୁ ସିଧା କରିବା ପାଇଁ ହେୟାର୍ ଷ୍ଟ୍ରେଟ୍ନିଂ ଟ୍ରିଟ୍ମେଣ୍ଟ୍କୁ ଆପଣାଉଛନ୍ତି। ହେଲେ ଏହି ରୂପସଜ୍ଜା ଉପାଦାନ ବର୍ତ୍ତମାନ କ୍ଷତିକାରକ ସାବ୍ୟସ୍ତ ହୋଇଛି। ହେୟାର୍ ଷ୍ଟ୍ରେଟ୍ନିଂ ପରେ ଜଣେ ୨୬ ବର୍ଷୀୟ ଯୁବତୀ କିଡ୍ନି ସମସ୍ୟାରେ ପୀଡ଼ିତ ହୋଇଥିବା ଜାଣିବାକୁ ପାଇଛନ୍ତି ଡାକ୍ତର। ‘ଦ ନ୍ୟୁ ଇଂଲଣ୍ଡ ଜର୍ନାଲ୍ ଅଫ୍ ମେଡିସିନ୍’ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଯୁବତୀଜଣକ ଜୁନ୍ ୨୦୨୦, ଏପ୍ରିଲ୍ ୨୦୨୧ ଓ ଜୁଲାଇ ୨୦୨୨ରେ ଲୋକପ୍ରିୟ ହେୟାର୍ ଟ୍ରିଟ୍ମେଣ୍ଟ୍ ପାଇଁ ପାର୍ଲର୍ ଯାଇଥିଲେ। ମହିଳାଙ୍କ ନାମ ଗୋପନ ରଖାଯାଇ କୁହାଯାଇଛି ଯେ, ପୂର୍ବରୁ ତାଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନଥିଲା, କିନ୍ତୁ ପ୍ରତ୍ୟେକ ଥର ଷ୍ଟ୍ରେଟ୍ନିଂ ପରେ ତାଙ୍କର ବାନ୍ତି, ଡାଇରିଆ, ଜ୍ୱର ଓ ପିଠି ଯନ୍ତ୍ରଣା ହୋଇଥିଲା। ଚିକିତ୍ସା ସମୟରେ ତାଙ୍କ ମସ୍ତିଷ୍କ ଚର୍ମରେ କିଛି ଲାଲ୍ ଦାଗ ଭଳି ସଂକ୍ରମଣ ଓ ଅଲ୍ସର୍ ବଢ଼ିବାକୁ ଲାଗିଥିଲା।
ତାଙ୍କ ରକ୍ତରେ କ୍ରିଏଟିନିନ୍ ସ୍ତର ବଢ଼ିବା ପରେ ଡାକ୍ତରମାନେ କିଡ୍ନିରେ ତ୍ରୁଟି ଥିବା ଜାଣିବାକୁ ପାଇଥିଲେ। ଏହାପରେ ପରିସ୍ରାରୁ ରକ୍ତ ପଡ଼ିବାରୁ ଡାକ୍ତରମାନେ ସିଟି ସ୍କାନ୍ କରାଇଥିଲେ। କିନ୍ତୁ ଏଥିରେ କିଡ୍ନି ସଂକ୍ରମଣ କିମ୍ବା କିଡ୍ନି ଅବରୋଧ (ବ୍ଲକେଜ୍)ର କୌଣସି ଲକ୍ଷଣ ଦେଖାଯାଇ ନଥିଲା। ପରିଶେଷରେ ଯୁବତୀ ଜଣକ ଡାକ୍ତରମାନଙ୍କୁ କହିଥିଲେ ଯେ, ତାଙ୍କ କେଶରେ ଗ୍ଲାୟୋକ୍ସିଲିକ୍ ଏସିଡ୍ ଥିବା ଏକ କ୍ରିମ୍ ବ୍ୟବହାର କରାଯାଇଥିଲା। ଏହାପରେ ସେହି କେମିକାଲ୍ ଥିବା ଉତ୍ପାଦକୁ ମୂଷାଙ୍କ ଉପରେ ପରୀକ୍ଷା କରାଯାଇଥିଲା। ଏଥିରୁ ଜଣାଗଲା, ଏସିଡ୍ ତାଙ୍କ ଚର୍ମ ଦେଇ କିଡ୍ନିରେ ପହଞ୍ଚିଥିଲା, ଯାହା ପରେ କ୍ଷତି ଘଟାଇଥିଲା।
ଅଧ୍ୟୟନରେ କୁହାଯାଇଛି ଯେ, ଅକ୍ସାଲେଟ୍ ନେଫ୍ରୋପାଥି କାରଣରୁ ଯୁବତୀଙ୍କର ବାରମ୍ବାର କ୍ରନିକ୍ କିଡ୍ନି ସମସ୍ୟା ହୋଇଥିଲା। ଏଥିପାଇଁ ଗ୍ଲାୟୋକ୍ସିଲିକ୍ ଏସିଡ୍ ଥିବା କେମିକାଲ୍ ହେୟାର୍ ଷ୍ଟ୍ରେଟ୍ନିଂ ଉତ୍ପାଦ ଦାୟୀ ବୋଲି ଅଧ୍ୟୟନକାରୀ ସୂଚିତ କରିଛନ୍ତି। ମେରିଲ୍ୟାଣ୍ଡ୍ ବିଶ୍ୱବିଦ୍ୟାଳୟର ମେଡିସିନ୍ ଓ ଫାର୍ମାସିର ସହଯୋଗୀ ପ୍ରଫେସର ଡ. ଜୋସୁଆ ଡେଭିଡ୍ କିଙ୍ଗ୍ ଲାଇଭ୍ ସାଇନ୍ସକୁ କହିଛନ୍ତି ଯେ, ଏହି ପରୀକ୍ଷା ନିହାତି ଭାବେ ଉତ୍ପାଦରେ ଗ୍ଲାୟୋକ୍ସିଲିକ୍ ଏସିଡ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ସହ ବିଭିନ୍ନ କ୍ରିମ୍ ଉତ୍ପାଦନକାରୀ କିପରି ସ୍ୱାସ୍ଥ୍ୟ ନିରାପଦ ଯୌଗିକ ବ୍ୟବହାର କରିବେ ସେଥିପାଇଁ ଜନ ସଚେତନତା ସୃଷ୍ଟି କରିବ।