ଉତ୍ତରପ୍ରଦେଶର ଲଖିମପୁର ଖେରି ଅଞ୍ଚଳର ଚାଷୀମାନଙ୍କୁ ମାଙ୍କଡ଼ମାନଙ୍କ ପ୍ରାଦୁର୍ଭାବ ଅତିଷ୍ଠ କରି ପକାଇଛି। ସେମାନଙ୍କ ଉପଦ୍ରବରେ ଚାଷୀଙ୍କର ମୁଖ୍ୟ ଅର୍ଥକରୀ ଆଖୁ ଫସଲ ଉଜୁଡ଼ିଯିବାର ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ମାଙ୍କଡ଼ କବଳରୁ ଫସଲ ବଞ୍ଚାଇବା ଲାଗି ସ୍ଥାନୀୟ ଚାଷୀମାନେ ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ଜହନ ନଗର ଗାଆଁର ଚାଷୀମାନେ ଭାଲୁ ବେଶ ଧାରଣ କରି ଆଖୁ କିଆରି ମଝିରେ ଜଗି ରହୁଛନ୍ତି। ଫଳରେ ମାଙ୍କଡ଼ମାନେ ସେମାନଙ୍କୁ ଦେଖି ଭୟରେ ସ୍ଥାନ ଛାଡ଼ି ପଳାଇ ଯାଉଛନ୍ତି। ଏଭଳି ଏକ ଭାଲୁବେଶଧାରୀ ଚାଷୀଙ୍କ ଫଟୋ ଏବଂ ଉଦ୍ଦେଶ୍ୟ ସାମାଜିକ ଗଣମାଧ୍ୟମରେ ଛଡ଼ାଯିବା ପରେ ତାହାକୁ ୫ ଲକ୍ଷ ଦର୍ଶକ ଉପଭୋଗ କରିବା ସହ ଅନେକ ମଧ୍ୟ ରୋଚକ ଟିପ୍ପଣୀମାନ ଦେବାରେ ଲାଗିଛନ୍ତି।
ସ୍ଥାନୀୟ ଚାଷୀଙ୍କ କହିବା କଥା ହେଲା, ୪୦ରୁ ୪୫ ଟିକିଆ ଏକ ମାଙ୍କଡ଼ ଦଳ ଉକ୍ତ ଗାଁର କ୍ଷେତବାଡ଼ିରେ ପଶି ନାନା ଜାତିର ଫସଲ ଉଜାଡ଼ି ଚାଲିଛନ୍ତି। ଲୋକେ ସ୍ଥାନୀୟ ପ୍ରଶାସନ ପାଖରେ ଏ ବିଷୟରେ ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳିନଥିଲା। ତେଣୁ ପ୍ରତିକାର ସ୍ବରୂପ ସେମାନେ ଏଭଳି ଉପାୟ ପାଞ୍ଚିଛନ୍ତି। ଅବଶ୍ୟ, ଗୋଟିଏ ଭାଲୁ ମୁଖା ଓ ପୋଷାକ କିଣିବାରେ ୪,୦୦୦ ଟଙ୍କା ଯାଏ ପଡୁଛି। ତେବେ ଅର୍ଥକରୀ ଫସଲ ଆଖୁକୁ ବଞ୍ଚାଇବା ଲାଗି ଆଖପାଖ କ୍ଷେତର ଚାଷୀମାନେ ଚାନ୍ଦା କରି ଏପରି ଭାଲୁ ପୋଷାକ କିଣିବାକୁ ବାଧ୍ୟ ହେଉଛନ୍ତି। ଏ କଥା ପ୍ରଘଟ ହେଲା ପରେ ମାଙ୍କଡ଼ ଘଉଡ଼ାଇବା ପାଇଁ ବନ ବିଭାଗ ଆବଶ୍ୟକ ପଦକ୍ଷେପ ତୁରନ୍ତ ଗ୍ରହଣ କରିବ ବୋଲି ଜିଲ୍ଲା ବନ ଅଧିକାରୀ କଥା ଦେଇଛନ୍ତି।