‘ମ୍ୟାନ୍ ଭର୍ସେସ୍ ୱାଇଲ୍‌ଡ’ କାର୍ଯ୍ୟକ୍ରମର ଉପସ୍ଥାପକ ତଥା ବ୍ରିଟିସ୍ ଦୁଃସାହସୀ ବିଅର୍ ଗ୍ରିଲ୍‌ସ ସାମାଜିକ ଗଣମାଧ୍ୟମ ଟୁଇଟର୍‌ରେ ଲୁଙ୍ଗି ପିନ୍ଧି ନଦୀ କୂଳରେ ଛିଡ଼ା ହୋଇଥିବାର ଏକ ଫଟୋ ଛାଡ଼ିଛନ୍ତି। ସେ ଏହା ଜରିଆରେ ତାଙ୍କର ଟିଭି କାର୍ଯ୍ୟକ୍ରମ ‘ରନିଙ୍ଗ୍‌ ୱାଇଲ୍‌ଡ ଉଇଥ୍ ବିଅର୍ ଗ୍ରିଲ୍‌ସ’ର ପରବର୍ତ୍ତୀ ଅତିଥି କିଏ ହୋଇପାରନ୍ତି ତାହା ଠଉରାଇବା ପାଇଁ ପ୍ରଶଂସକଙ୍କୁ ଆହ୍ବାନ କରିଛନ୍ତି।

Advertisment

କିନ୍ତୁ ତାଙ୍କ ପରିଧାନ ଭାରତୀୟ ପ୍ରଶଂସକଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। କିଏ ବ୍ୟଙ୍ଗ କରି ପବନ ପ୍ରତି ସତର୍କ ରହିବାକୁ କହିଛନ୍ତି ତ ଆଉ କିଏ ଲୁଙ୍ଗିକୁ ଦୁଃସାହସର ପ୍ରତୀକ ରୂପେ ବ୍ୟାଖ୍ୟା କରିଛନ୍ତି। କିଛି ଦିନ ହେଲା ଚର୍ଚ୍ଚା ହୋଇଆସୁଛି ଯେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ କ୍ରିକେଟର୍ ବିରାଟ କୋହଲି ଆଗକୁ ବିଅର୍‌ଙ୍କ ଲୋକପ୍ରିୟ ବାସ୍ତବଧର୍ମୀ କାର୍ଯ୍ୟକ୍ରମର ଅତିଥି ହୋଇପାରନ୍ତି।

ଅତୀତରେ ସେ ଭାରତୀୟ ଅଭିନେତା ରଜନୀକାନ୍ତ, ଅକ୍ଷୟ କୁମାର, ଭିକି କୌଶଲ ଓ ରଣବୀର ସିଂହଙ୍କୁ ତାଙ୍କ କାର୍ଯ୍ୟକ୍ରମର ଅତିଥି କରିସାରିଛନ୍ତି। ୨୦୧୯ରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସେ ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନର ଘଞ୍ଚ ଜଙ୍ଗଲରେ ଏକ ବିଶେଷ ଅଭିଯାନର ସୁଟିଂ କରିଥିଲେ। ତେବେ ସ୍କଟ୍‌ଲାଣ୍ଡରେ ଲୁଙ୍ଗି ପିନ୍ଧି ସେ କାହା ସହିତ ସୁଟିଂ କରିଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ। ଆସନ୍ତା ମାସ ଉକ୍ତ କାର୍ଯ୍ୟକ୍ରମ ପ୍ରସାରିତ ହେବ ବୋଲି ଜଣାପଡ଼ିଛି।