ପ୍ରତିଟି ମଣିଷ ସୌନ୍ଦର୍ଯ୍ୟର ପୂଜାରୀ। ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରେ, ବିମୋହିତ କରେ- ତାହା ପ୍ରାକୃତିକ ହୋଇପାରେ, ଅଥବା ମାନବୀୟ। ଏଥିପାଇଁ ତ ଦିନେ ଚିଲିକାର ଅପରୂପ ସୌନ୍ଦର୍ଯ୍ୟରେ ମନ୍ତ୍ରମୁଗ୍ଧ ହୋଇ କବିବର ରାଧାନାଥ ରାୟ ଲେଖିଥିଲେ- ‘ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ...।’ ଉଭୟ ପ୍ରାକୃତିକ ଓ ମାନବୀୟ ସୌନ୍ଦର୍ଯ୍ୟ ଈଶ୍ବରଙ୍କ ଅବଦାନ, କିନ୍ତୁ ଚିକିତ୍ସା ବିଜ୍ଞାନର ଅଗ୍ରଗତିକୁ ଉପଯୋଗ କରି ଧନୀକ ବର୍ଗ ଶାରୀରିକ ସୌନ୍ଦର୍ଯ୍ୟକୁ ଅଧିକ ଆକର୍ଷଣୀୟ କରିବାରେ ଲାଗିଛନ୍ତି। ବିଜ୍ଞାନର ଏହି ସୌନ୍ଦର୍ଯ୍ୟବର୍ଦ୍ଧକ ପଦ୍ଧତିକୁ ନେଇ ଏଥରର ଆମ ପ୍ରତିବେଦନ।
ଉପସ୍ଥାପନା: ସସ୍ମିତା ସାହୁ
କୁହାଯାଏ, ଟଙ୍କା ଥିଲେ ମଣିଷ ଆପେ ସୁନ୍ଦର ଦିଶେ। ଏହି ଉକ୍ତିର ବାସ୍ତବତା ଅଛି କି? ଅସଲରେ ଅଭାବରେ ନଥିବା ବ୍ୟକ୍ତି ସଦା ପ୍ରଫୁଲ୍ଲ ରହୁଥିବାରୁ ସୁନ୍ଦର ଦେଖାଯାଏ ବୋଲି ଧାରଣା ରହିଛି। କିନ୍ତୁ ଏବେ ଏହି ପରିଭାଷା ବଦଳିଯାଇଛି। ଟଙ୍କା ଥିବା ବ୍ୟକ୍ତି ଅତ୍ୟାଧୁନିକ ତଥା ବ୍ୟୟବହୁଳ ଚିକିତ୍ସା ଜରିଆରେ ନିଜର କୁରୂପକୁ ବି ଅପରୂପ କରିପାରୁଛି। ଶିଳ୍ପା ସେଟ୍ଟୀ, ପ୍ରିୟଙ୍କା ଚୋପ୍ରା, ଜାହ୍ନବୀ କପୁର, ଅନୁଷ୍କା ଶର୍ମା ଓ ଅଦିତି ରାଓଙ୍କ ଭଳି ଶହ ଶହ ସେଲିବ୍ରିଟି ଏହି ଉପାୟରେ ହିଁ ନିଜ ସୌନ୍ଦର୍ଯ୍ୟକୁ ପରିବର୍ଦ୍ଧିତ କରିଛନ୍ତି। ନିଜ ବଙ୍କାଳିଆ ନାକ ହେଉ ବା ଅସୁନ୍ଦର ଓଠ, ଅନାକର୍ଷଣୀୟ ଚିବୁକ ହେଉ ବା ବହଳିଆ ଭ୍ରୂଲତା, ଏସବୁକୁ ମନ ଚାହୁଥିବା ସୁନ୍ଦର ଆକାର ଦେଇ ଚେହେରାକୁ ଲୋଭନୀୟ କରିହେଉଛି। ଅତ୍ୟାଧୁନିକ କସ୍ମେଟିକ୍ ସର୍ଜରି ଯୋଗୁଁ ଏସବୁ ସମ୍ଭବ ହୋଇପାରୁଛି।
ତେବେ ଏହି କୃତ୍ରିମ ସୌନ୍ଦର୍ଯ୍ୟବର୍ଦ୍ଧନ ପ୍ରକ୍ରିୟା ଯେ କେବଳ ଅଭିନେତାଅଭିନେତ୍ରୀ କିମ୍ବା ମଡେଲ୍ମାନେ ଆପଣାଉଛନ୍ତି, ତାହା ନୁହେଁ; କର୍ପୋରେଟ୍ ହାଉସ୍ରେ ଉଚ୍ଚ ପଦବିରେ ଚାକିରି କରିଥିବା ମହିଳା, ବିବାହ ପୂର୍ବରୁ ଅଧିକ ସୁନ୍ଦରୀ ଦେଖାଯିବାକୁ ଆଗ୍ରହୀ ଯୁବତୀ, ଏପରିକି ନିର୍ବାଚନ ପ୍ରଚାରକୁ ଯାଉଥିବା ନେତାମାନେ ମୋଟାଅଙ୍କର ଅର୍ଥ ବ୍ୟୟରେ କସ୍ମେଟିକ୍ ସର୍ଜରି କରାଉଛନ୍ତି। ବିଦେଶରେ ଲୋକପ୍ରିୟ କେମିକାଲ୍ ପିଲିଂ, ବୋଟକ୍ସ, ଫିଲର୍ସ, ଫ୍ୟାଟ୍ ଫ୍ରି ସର୍ଜରି ଆଦି ସୌନ୍ଦର୍ଯ୍ୟବର୍ଦ୍ଧକ ଚିକିତ୍ସା ଏବେ ଭାରତରେ ଆଦୃତ ହେବାରେ ଲାଗିଛି। ତେବେ ଏହା ଅନେକ କ୍ଷେତ୍ରରେ ସଫଳ ହେଉଥିବା ବେଳେ କେତେକ କ୍ଷେତ୍ରରେ ହାନିକାରକ ସାବ୍ୟସ୍ତ ହେଉଛି।
ବୋଟକ୍ସ ନିଶାରେ ସେଲିବ୍ରିଟି
ବୋଟକ୍ସ ତ୍ବଚା ଚିକିତ୍ସା ବହୁ ପୂର୍ବରୁ ବଲିଉଡ୍ ଓ ଫ୍ୟାସନ୍ ଜଗତରେ ବ୍ୟବହୃତ ହୋଇ ସାରିଥିବା ବେଳେ ଏବେ ଏହା ସମ୍ପର୍କରେ ସର୍ବସାଧାରଣରେ ଆଲୋଚନା ହେଉଛି। ଅଭିନେତ୍ରୀ ମନ୍ଦିରା ବେଦୀ ଏହା ସପକ୍ଷରେ ଗଣମାଧ୍ୟମରେ ସ୍ପଷ୍ଟ ମତ ବି ରଖିଛନ୍ତି। ‘ନେଟ୍ଫ୍ଲିକ୍ସ’ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଫାବୁଲସ୍ ଲାଇଭ୍ସ୍ ଅଫ୍ ବଲିଉଡ୍ ୱାଇଭ୍ସ’ର ଏକ ଅଧ୍ୟାୟରେ ଅଭିନେତ୍ରୀ ନିଲମ୍ କୋଠାରୀ ମଧ୍ୟ ବୋଟକ୍ସ ତ୍ବଚା ଚିକିତ୍ସା କରାଉଥିବା ଦେଖିବାକୁ ମିଳିଥିଲା। ଏଥିସହ ସେ କହିଥିଲେ, ଲୋକମାନେ ଏହି ସୌନ୍ଦର୍ଯ୍ୟ ଚିକିତ୍ସାକୁ କାହିଁକି ବିବାଦୀୟ ଭାବୁଛନ୍ତି? ଏହି ପ୍ରକ୍ରିୟା ଦ୍ବାରା ଜଣେ ଆକର୍ଷଣୀୟ ଦେଖାଯିବା ସହ ତା’ର ଆତ୍ମବିଶ୍ବାସ ବଢ଼ିଥାଏ। କେବଳ ବୋଟକ୍ସ ନୁହେଁ, ଏହି ଧାରାବାହିକ ଏମିତି ବିଭିନ୍ନ କସ୍ମେଟିକ୍ ସର୍ଜରିର ପ୍ରଚାର କରିଥିଲା। ଏହା ବାଦ୍ ମହିପ୍ଙ୍କ ଝିଅ ସନାୟା କପୁର, କାଜୋଲ୍ ଦେବଗନ୍ଙ୍କ ଝିଅ ନାଇସା ଦେବଗନ୍, ଶାହରୁଖ୍ଙ୍କ ଝିଅ ସୁହାନା ଖାନ୍ ବି ଏହି ବୋଟକ୍ସ ତ୍ବଚା ଚିକିତ୍ସା ନିୟମିତ ବ୍ୟବଧାନରେ କରାଉଥିବା ମିଡିଆ ରିପୋର୍ଟରୁ ଜଣାପଡ଼େ। ବିଶେଷଜ୍ଞ ଡାକ୍ତରମାନଙ୍କ ମତରେ, ଠିକ୍ ଭାବେ କରାଗଲେ ବୋଟକ୍ସ ପଦ୍ଧତି ହାନିକାରକ ନୁହେଁ, ସମ୍ପୂର୍ଣ୍ଣ ସୁରକ୍ଷିତ।
ବୋଟକ୍ସ କ’ଣ?
‘ବୋଟକ୍ସ’ ହେଉଛି ଏକ କସ୍ମେଟିକ୍ ଚିକିତ୍ସା ପ୍ରକ୍ରିୟା, ଯେଉଁଥିରେ ‘ବୋଟଲିନମ୍ ଟକ୍ସିନ୍’ ନାମକ ରସାୟନକୁ ମୁହଁରେ ଇଞ୍ଜେକ୍ସନ୍ ଦ୍ବାରା ଅନ୍ତକ୍ଷେପଣ କରାଯାଇଥାଏ। ଏହାର ପ୍ରଭାବରେ ଇଞ୍ଜେକ୍ସନ୍ ଦିଆଯାଇଥିବା ଓଠ, ନାକ, ଗାଲ, କପାଳ, ଆଖିର ପାର୍ଶ୍ବ ଆଦି ସ୍ଥାନର ମାଂସପେଶୀ ପାରାଲାଇଜ୍ ବା ନିସ୍ତେଜ ହୋଇଯାଏ। ଫଳରେ ସେହିସ୍ଥାନରେ କୌଣସି ସଞ୍ଚାଳନ ନ ଥିବା ଯୋଗୁଁ ଚର୍ମରେ କୁଞ୍ଚନ ଆସେନାହିଁ, ତ୍ବଚା ମସୃଣ ହୁଏ ଏବଂ କୌଣସି ପ୍ରକାର ଗାର/ଦାଗ ତ୍ବଚାରେ ପଡ଼ି ନଥାଏ। ଏଣୁ ତ୍ବଚା ଉଜ୍ଜ୍ବଳ ଦେଖାଯିବା ସହ ବୟସର ଛାପ ଜଣାପଡ଼ି ନଥାଏ। ଆଖି ଚାରିପାଖରେ ଦେଖାଯାଉଥିବା ସୂକ୍ଷ୍ମ ରେଖା ଓ କୁଞ୍ଚନ ଅପସାରଣ ପାଇଁ ଏହାକୁ ଏକ ନିରାପଦ ଚିକିତ୍ସା ଭାବରେ ବିବେଚନା କରାଯାଏ। ଥରେ ବୋଟକ୍ସ କଲେ ୩ରୁ ୪ ମାସ ପର୍ଯ୍ୟନ୍ତ ଚେହେରାରେ ଏହାର ପ୍ରଭାବ ରହିଥାଏ। ଧୀରେ ଧୀରେ ବୋଟଲିନମ୍ ଟକ୍ସିନ୍ର ପ୍ରଭାବ କ୍ଷୀଣ ହେବା ସହ ସ୍ନାୟୁଗୁଡ଼ିକ ପୁଣି ମାଂସପେଶୀକୁ ସଙ୍କେତ ପଠାଇବା ଆରମ୍ଭ କରନ୍ତି ଏବଂ ତ୍ବଚା ପୁଣି ସଙ୍କୁଚିତ ହେବା ପାଇଁ ସକ୍ଷମ ହୁଅନ୍ତି। କପାଳ ଓ ଆଖି ଚାରିପାଖର କୁଞ୍ଚନ ହଟାଇବାକୁ ବୋଟକ୍ସର ଗୋଟିଏ ଲେଖାଏଁ ସେସନ୍ରେ ୮ରୁ ୧୫ ହଜାର ଟଙ୍କା ବ୍ୟୟ କରିବାକୁ ପଡ଼ିଥାଏ। ସେହିପରି ଓଠର କୁଞ୍ଚନ ଅପସାରଣ ଲାଗି ୭୦୦୦ ଟଙ୍କା ଦେବାକୁ ପଡ଼େ। ସ୍ଥଳବିଶେଷରେ ଦର କମ୍ ବେଶୀ ହୋଇଥାଏ।
ଚର୍ଚ୍ଚାରେ ବୋଟକ୍ସ ପାର୍ଟି!
ସହରାଞ୍ଚଳର ସମ୍ଭ୍ରାନ୍ତଶ୍ରେଣୀୟ ମହିଳାମାନେ କିଟି ପାର୍ଟି କରି ମଉଜମସ୍ତି କରିବା କିଛି ନୂଆ ନୁହେଁ। କିନ୍ତୁ ନୂଆ କଥା ହେଲା କିଟି ପାର୍ଟି ସଂସ୍କୃତି ସହ ଏବେ ଦେଖିବାକୁ ମିଳିଲାଣି ବୋଟକ୍ସ ପାର୍ଟି! କିଟି ପାର୍ଟିର ସବୁ ବ୍ୟବସ୍ଥା ସହ ଯୋଡ଼ି ହୋଇଯାଉଛି ବୋଟକ୍ସ। ପାର୍ଟିରେ ମହିଳାଙ୍କ ସହ ସାମିଲ୍ ହେଉଛନ୍ତି ଜଣେ ଦକ୍ଷ ଡାକ୍ତର। ମୁହଁରୁ ବୟସର ଛାପ ହଟାଇ ଦେବାକୁ ବ୍ୟଗ୍ର ସମଭାବାପନ୍ନ ମହିଳାଙ୍କୁ ସେ ବୋଟକ୍ସ ଇଂଜେକସନ୍ ଦେଇ ଚମକଦାର ତ୍ବଚାର ଅଧିକାରୀ କରାଉଛନ୍ତି । ଅତି ଗୋପନୀୟ ଭାବେ ଆୟୋଜନ କରାଯାଉଥିବା ଏହି ପାର୍ଟି କାହା ଫାର୍ମହାଉସ୍ରେ ତ କାହା ଘରେ ବା ହୋଟେଲର ଚାରିକାନ୍ଥ ଭିତରେ ଅନୁଷ୍ଠିତ ହୋଇଥାଏ। ଏ ପାର୍ଟିର ଭିତିରି ଉଦ୍ଦେଶ୍ୟ ହେଉଛି ଶସ୍ତା ଦରରେ ବୋଟକ୍ସ କିଣି ବ୍ୟବହାର କରିବା।
ଆୟୋଜକ ଏକସଙ୍ଗେ ଅଧିକ ପରିମାଣରେ ବୋଟକ୍ସ କ୍ରୟ କରିବା ଫଳରେ ଦାମ୍ ଟିକେ କମ୍ ପଡ଼ିଥାଏ। କିନ୍ତୁ ଡାକ୍ତରମାନଙ୍କ କହିବା ଅନୁସାରେ, ଲାଇସେନ୍ସପ୍ରାପ୍ତ ବୋଟକ୍ସ ସରକାରଙ୍କ ନିୟନ୍ତ୍ରଣରେ ରହୁଥିବାରୁ ଆୟୋଜକ ମାଫିଆମାନଙ୍କଠାରୁ ବୋଟକ୍ସ ମଗାଇଥାନ୍ତି, ଯେଉଁ ବୋଟକ୍ସ ମୃତଶରୀରର ତ୍ବଚାର କୋଲାଜେନ୍ରୁ ସଂଗୃହୀତ ହୋଇଥାଏ। ତେବେ ଡାକ୍ତରଙ୍କ ବିନା ପରାମର୍ଶରେ ଏଭଳି ବୋଟକ୍ସ ଇଞ୍ଜେକ୍ସନ୍ ନେବା ମୃତ୍ୟୁର କାରଣ ହୋଇପାରେ। ଚେହେରାର କୁଞ୍ଜନ ଦୂର କରିବାକୁ ବୋଟକ୍ସ ଇଞ୍ଜେକ୍ସନ୍ ନେଇଥିବା ଦୁଇଜଣ ମହିଳା ଶ୍ବାସକ୍ରିୟାଜନିତ ସମସ୍ୟାରେ ପୀଡ଼ିତ ହୋଇ ପ୍ରାଣ ହରାଇଥିବା ବି ଜଣାପଡ଼ିଛି।
ତ୍ବଚାର କମନୀୟତା ପାଇଁ ଫିଲର୍ସ
ମୁଖମଣ୍ଡଳର ବୈଶିଷ୍ଟ୍ୟ ଆକର୍ଷଣୀୟ କରିବା ତଥା ଯୁବସୁଲଭ ଚେହେରା ପାଇଁ ଆଜିକାଲି ସମ୍ଭ୍ରାନ୍ତଶ୍ରେଣୀୟ ବ୍ୟକ୍ତି ତ୍ବଚାରେ ଡର୍ମାଲ୍ ଫିଲର୍ସ ବ୍ୟବହାର କରୁଛନ୍ତି। ଆସନ୍ତୁ ଜାଣିବା ଫିଲର୍ସର ଆବଶ୍ୟକତା କ’ଣ? ବୟସ ବଢ଼ିବା ସହ ଶରୀରରେ କୋଲାଜେନ୍, ହ୍ୟାଲୁରୋନିକ୍ ଏସିଡ୍ ଓ ଏଲାଷ୍ଟିନ୍ ମାତ୍ରା କମିଯାଏ। ଏହି ତିନିଟି ପ୍ରୋଟିନ୍ ହେଉଛି ତ୍ୱଚା, ମାଂସପେଶୀ, ହାଡ଼ ଓ ସ୍ନାୟୁ ଗଠନର ମୁଖ୍ୟ ଉପାଦାନ। ତ୍ୱଚାରେ କୋଲାଜେନ୍, ହ୍ୟାଲୁରୋନିକ୍ ଏସିଡ୍ ଓ ଏଲାଷ୍ଟିନ୍ ପରିମାଣ ହ୍ରାସ ହେବା ଦ୍ୱାରା ତ୍ୱଚା ଲୋଚାକୋଚା ଦିଶେ ଏବଂ କମନୀୟତା ହରାଇ କୁଞ୍ଚିତ ହୁଏ। ଇଞ୍ଜେକ୍ସନ୍ ମାଧ୍ୟମରେ ମୁହଁର ବିଭିନ୍ନ ଅଂଶରେ ହ୍ୟାଲୁରୋନିକ୍ ଏସିଡ୍ ପ୍ରୟୋଗ ଏହି ସମସ୍ୟାର କିଛିଟା ସମାଧାନ କରିଥାଏ। ଭାରତରେ ପ୍ରସାଧନ ବ୍ୟବସାୟରେ ଥିବା ବିଭିନ୍ନ ସଂସ୍ଥା ଏହା ଉପଲବ୍ଧ କରାଉଛନ୍ତି। ଏଥିଲାଗି ଅତି କମ୍ରେ ୧୮ ହଜାରରୁ ନେଇ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ।
ମୁହଁର ପ୍ଲାଷ୍ଟିକ୍ ସର୍ଜରି
ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ? ହେଲେ ସବୁବେଳେ ସୁନ୍ଦର ଦେଖାଯିବା କ’ଣ ସମ୍ଭବ! ବୟସ ବଢ଼ିବା ସହ ମଣିଷର ସୌନ୍ଦର୍ଯ୍ୟ ହ୍ରାସପାଏ। କିନ୍ତୁ ଚିକିତ୍ସା ବିଜ୍ଞାନ ଏବେ ବ୍ୟକ୍ତିଙ୍କୁ ଦୀର୍ଘକାଳ ସୁନ୍ଦର ରଖିବା ସାମର୍ଥ୍ୟ ଅର୍ଜନ କରିଛି। ଫେସିଆଲ୍ ପ୍ଲାଷ୍ଟିକ୍ ସର୍ଜରି ଦିନକୁ ଦିନ ଚମତ୍କାର ଦେଖାଇଚାଲିଛି।
ଏସିଡ୍ ପୀଡ଼ିତ କହନ୍ତୁ କିମ୍ବା ପୋଡ଼ାଜଳା ବା ଦୁର୍ଘଟଣାରେ ନଷ୍ଟ ହୋଇଯାଇଥିବା ଚର୍ମକୁ ଠିକ୍ କରିବାରେ ପ୍ଲାଷ୍ଟିକ୍ ସର୍ଜରି ସହାୟକ ହୋଇପାରୁଛି। ଏବେ କିନ୍ତୁ ଅଧିକ ସୁନ୍ଦର ଦେଖାଯିବା ପାଇଁ ପ୍ଲାଷ୍ଟିକ୍ ସର୍ଜରି ଯୁବପିଢ଼ିଙ୍କ ପସନ୍ଦ ପାଲଟିଛି। ଅଭିନେତାଅଭିନେତ୍ରୀ, ମଡେଲ୍ ଓ ସମ୍ଭ୍ରାନ୍ତଶ୍ରେଣୀୟ ବ୍ୟକ୍ତି ଆକର୍ଷଣୀୟ ଦେଖାଯିବା ପାଇଁ ଏହା କରୁଛନ୍ତି। ନାକ, ଆଖି ପତା ବା ଓଠକୁ ସଜାଡ଼ି ଦେଇ ମୁହଁକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେଲିବ୍ରିଟିମାନେ ପ୍ଲାଷ୍ଟିକ୍ ସର୍ଜରି କରି ସଫଳ ବି ହୋଇଛନ୍ତି। ବୟସ ବଢ଼ିବା ପରେ ମଧ୍ୟ କେମିତି ସୌନ୍ଦର୍ଯ୍ୟ ଅତୁଟ ରହିବ ଓ ବୟସ କମ୍ ଲାଗିବ ସେଥିପାଇଁ ଫେସିଆଲ୍ ପ୍ଲାଷ୍ଟିକ୍ ସର୍ଜରି ବେଶ୍ ସହାୟକ ହେଉଛି। ଆସନ୍ତୁ ଏମିତି କିଛି ସର୍ଜରି ସମ୍ପର୍କରେ ଆଲୋଚନା କରିବା।
l ସୁନ୍ଦର ଆକୃତି ପାଇଁ ‘ଫେସ୍ଲିଫ୍ଟ ସର୍ଜରି’
ବୈଜ୍ଞାନିକ ଦୃଷ୍ଟିକୋଣରୁ ମୁହଁର ଏକ ଜ୍ୟାମିତିକ ଆକାର ରହିଥାଏ। ‘ବ୍ରହ୍ମାଣ୍ଡ ସୁନ୍ଦରୀ’ ବା ‘ବିଶ୍ବସୁନ୍ଦରୀ’ ମୁକୁଟ ଲାଗି ପ୍ରତିଯୋଗୀ ସାଜିଥିବା ସୁନ୍ଦରୀମାନଙ୍କୁ ଯେଉଁ ସବୁ ଆଧାରରେ ଚୟନ କରାଯାଇଥାଏ, ସେ ମଧ୍ୟରୁ ଏହା ଅନ୍ୟତମ। ମୁହଁର ଏହି ଜ୍ୟାମିତିକ ଆକାରକୁ ସଜାଡ଼ିବାକୁ ‘ଫେସ୍ଲିଫ୍ଟ ସର୍ଜରି’ କରାଯାଇଥାଏ। ଫେସ୍ଲିଫ୍ଟ ସର୍ଜରି ସବୁବେଳେ ଚାହିଦାରେ ରହିଆସିଛି ଓ ରହିବ ମଧ୍ୟ। ଏହି ସର୍ଜରିର ସ୍ଥାୟିତ୍ବ ଯୋଗୁଁ ଏହାକୁ ମୁଖ ନବୀକରଣର ରାମବାଣ ବିବେଚନା କରାଯାଏ। ଏହି ସର୍ଜରିରେ ମୁହଁର ଜ’ ଲାଇନ୍କୁ ବିକଶିତ କରାଯିବା ସହ ଗାଲର ମାଂସପେଶୀକୁ କଠିନ କରିବା, ମୁଁହର ତଳ ଅଂଶ ଯଥା ଓଠ ଚାରିପାଖ, ଚିବୁକ ଓ ବେକର ଚର୍ମକୁ ବି ଟାଣ କରାଯାଇଥାଏ। ଯୁବସୁଲଭ ସୌନ୍ଦର୍ଯ୍ୟ ପ୍ରଦାନ କରିବା ସହ ଏକ ଆକର୍ଷକ ମୁଖମଣ୍ଡଳ ଦେବା ଫେସ୍ଲିଫ୍ଟ ସର୍ଜରିର ମୁଖ୍ୟ ଉଦ୍ଦେଶ୍ୟ।
l ନାକକୁ ସୁନ୍ଦର କରୁଛି ‘ରାଇନୋପ୍ଲାଷ୍ଟି’
କୁହାଯାଏ, ଯାହାର ନାକ ସୁନ୍ଦର ସେ ଆପେ ସୁନ୍ଦର। ନାକ ମୁହଁ ତୁଳନାରେ ବଡ଼ ହୋଇଥିଲେ, ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଫଳରେ ବ୍ୟକ୍ତିର ଆତ୍ମବିଶ୍ବାସ କମିଯାଏ ଓ ଅନ୍ୟମାନଙ୍କ ସମ୍ମୁଖରେ ଅସହଜ ଅନୁଭବ କରେ। ଏହି ସମସ୍ୟାର ସମାଧାନସ୍ବରୂପ ଆସିଛି ‘ରାଇନୋପ୍ଲାଷ୍ଟି’ ସର୍ଜରି। ଏଥିରେ ନାକର ବ୍ରିଜ୍, ଟିପ୍ ଉପରେ କାମ କରାଯାଏ। ନାକ ଭିତରେ ବା ବାହାରେ ସର୍ଜରି କରି ନାକକୁ ସୁନ୍ଦର ଆକାର ଦିଆଯାଏ।
l ଆଖି ପାଇଁ ‘ବ୍ଲେଫାରୋପ୍ଲାଷ୍ଟି’
ଆଖି ହେଉଛି ଆକର୍ଷଣର କେନ୍ଦ୍ରବିନ୍ଦୁ। ବୟସାଧିକ୍ୟ େଯାଗୁଁ ଆଖିରେ କୁଞ୍ଚନ ପଡ଼ିବା, ଆଖି ଚାରିପାଖେ ରେଖା ସୃଷ୍ଟି ହେବା, ଆଖି ତଳ କଳାପଡ଼ିବା ଓ ତ୍ବଚା ଫୁଲିବା ଫଳରେ ଆଖି ସଙ୍କୁଚିତ ଦେଖାଯିବା ସହ ଅତ୍ୟଧିକ କୁଞ୍ଚନ ଯୋଗୁଁ ମୁଖଭଙ୍ଗୀ ବିକୃତ ଦେଖାଯାଏ। ଏସବୁରୁ ବର୍ତ୍ତିବା ପାଇଁ ‘ବ୍ଲେଫାରୋପ୍ଲାଷ୍ଟି’ କରାଯାଇଥାଏ। ଏହାକୁ ଆଖିପତା ସର୍ଜରି ବି କୁହାଯାଏ। ଏଥିରେ ଆଖିର ତଳପତାରୁ ଅତିରିକ୍ତ ଚର୍ବି ଓ ତ୍ବଚାକୁ ହଟାଯାଇଥାଏ। ଏଥିସହ ଉପର ପତାକୁ ଉପରକୁ ଉଠାଯାଇଥାଏ। ତଳକୁ ଝୁଲି ରହିଥିବା ତଳ ଆଖିପତାକୁ ବି ଏହା ଠିକ୍ କରିଥାଏ। ଭ୍ରୂଲତା ଓ ଏହାର ଆଖପାଖ ଅଂଶକୁ ବି ବ୍ରୋ-ଲିଫ୍ଟ ପ୍ରକ୍ରିୟାରେ ସଜଡ଼ା ଯାଇଥାଏ, ଯାହାକି ମୁହଁର ଉପର ଅଂଶକୁ ସୁନ୍ଦର କରିଥାଏ।
l ବେକକୁ ରୂପ ଦିଏ ‘ନେକ୍ ଲିଫ୍ଟ’
ମୁହଁ ସହ ବେକର ଯତ୍ନ ବି ଜରୁରି। ବୟସାଧିକ୍ୟ ଯୋଗୁଁ ବେକ ତ୍ବଚାର ଲଚକ୍ପଣ କମିଯିବା ବେଳେ ତ୍ବଚା ଝୁଲିପଡ଼େ ଓ ଚର୍ମ କୁଞ୍ଚନ ସୃଷ୍ଟିହୁଏ। ଏହାକୁ ରୋକିବାକୁ ଏବଂ ଏକ ଯୁବସୁଲଭ ବେକ ଦେବାକୁ ‘ନେକ୍ ଲିଫ୍ଟ’ ସର୍ଜରି କରାଯାଇଥାଏ, ଯାହାକି ଫେସ୍ଲିଫ୍ଟ ସର୍ଜରିକୁ ଅଧିକ ଉନ୍ନତ କରିଥାଏ।