ବେଳେ ବେଳେ ନିଜର ଭୁଲ ନିଷ୍ପତ୍ତି ପାଇଁ କିପରି ପରେ ପଶ୍ଚାତାପ କରିବାକୁ ପଡ଼େ, ତାହା ଜଣାପଡ଼ିଛି ଅଭିନେତ୍ରୀ କରୀନା କପୁରଙ୍କ କ୍ଷେତ୍ରରେ। ୨୦୦୪ ମସିହାରେ ସୁଭାଷ ଘାଇଙ୍କ ପ୍ରଯୋଜିତ ହିନ୍ଦୀ ଫିଲ୍ମ ‘ଐତରାଜ’ ବେଳର କଥା। ସେତେବେଳକୁ ‘କହୋ ନା ପ୍ୟାର ହୈ’, ‘ରିଫ୍ୟୁଜି’, ‘ଅଶୋକ’, ‘କଭି ଖୁସି କଭି ଗମ୍‌’, ‘ମୁଝେ ସାଦି କରୋଗେ’, ‘ଏଲ୍‌ଓସି କାର୍ଗିଲ’ ଆଦି ଫିଲ୍ମରେ ନାୟିକା ସାଜି କରୀନା ପ୍ରତିଷ୍ଠିତ ହୋଇସାରିଥା’ନ୍ତି। ତାଙ୍କୁ ଆବ୍ବାସ-ମସ୍ତାନ ନିର୍ଦ୍ଦେଶିତ ‘ଏତରାଜ’ରେ ଥିବା ଦୁଇଟି ପ୍ରଭାବୀ ମହିଳା ଚରିତ୍ର ମଧ୍ୟରୁ ଗୋଟିଏ ଗ୍ରହଣ କରିବା ପାଇଁ ପ୍ରଥମେ ପ୍ରସ୍ତାବ ଦିଆଯାଇଥିଲା। ସେଥି ମଧ୍ୟରୁ ଗୋଟିଏ ଥିଲା ନାୟକ ଅକ୍ଷୟ କୁମାରଙ୍କ ପତ୍ନୀ ଚରିତ୍ର ଏବଂ ଅନ୍ୟ ମହିଳା ଚରିତ୍ରଟି ଥିଲା ଖଳନାୟକ ଅମରେଶ ପୁରୀଙ୍କ ପତ୍ନୀ ଭୂମିକା।

Advertisment

ସେ ସ୍ବାଭାବିକ ଭାବେ ନାୟକ ଅକ୍ଷୟ କୁମାରଙ୍କ ପତ୍ନୀ ଭୂମିକାରେ ଅବତୀର୍ଣ୍ଣ ହେବାକୁ ପସନ୍ଦ କରିଥିଲେ। ଦ୍ବିତୀୟ ମହିଳା ଭୂମିକାଟି ପ୍ରିୟଙ୍କା ଚୋପ୍ରାଙ୍କୁ ଦିଆଯାଇଥିଲା। ସେହି ବର୍ଷ ମୁକ୍ତିଲାଭ କରିଥିବା ପ୍ରିୟଙ୍କା ଅଭିନୀତ ‘ପ୍ଲାନ’, ‘କିସମତ’ ଓ ‘ଅସମ୍ଭବ’ ଆଦି ହିନ୍ଦୀ ଫିଲ୍ମ ସାଂଘାତିକ ଭାବେ ବ୍ୟାବସାୟିକ ବିଫଳତା ଚାଖିଥିବାରୁ ପ୍ରିୟଙ୍କା ଅନନ୍ୟୋପାୟ ହୋଇ ସେହି ଭୂମିକାରେ ଅବତୀର୍ଣ୍ଣ ହେବାକୁ ରାଜି ହୋଇଥିଲେ। ତେବେ ଉକ୍ତ ଭୂମିକାଟି ଏତେ ପ୍ରଭାବୀ ଥିଲା ଯେ ତାହା ତାଙ୍କ ଅଭିନୟ ଜୀବନକୁ ଏକ ନୂତନ ମୋଡ଼ ଆଣିଦେଇଥିଲା। ଏପରିକି ନକାରାତ୍ମକ ମହିଳା ଚରିତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କୁ ଫିଲ୍ମଫେଆର ସମ୍ମାନ ମିଳିଥିଲା। ତାହାର ପ୍ରଭାବ ହିଁ ପ୍ରିୟଙ୍କାଙ୍କୁ ପରେ ଶୀର୍ଷରେ ପହଞ୍ଚାଇଦେଇଥିଲା। ଅପରପକ୍ଷେ, କରୀନା ନିଜର ସେହି ଭୁଲ୍‌ ନିଷ୍ପତ୍ତି ପାଇଁ ମନସ୍ତାପ କରୁଛନ୍ତି। ଅବଶ୍ୟ ପରେ ସେ ତାରକା ଅଭିନେତା ସୈଫ ଅଲୀ ଖାଁଙ୍କୁ ବିବାହ କରି ସୁଖୀ ଘରସଂସାର ଉପଭୋଗ କରୁଛନ୍ତି। ମାତ୍ର ପ୍ରିୟଙ୍କାଙ୍କ ପରବର୍ତ୍ତୀ ସଫଳତାକୁ ଦେଖି ‘ଏତରାଜ’ରେ ଭୂମିକା ଚୟନରେ ଭୁଲ୍‌ ନିଷ୍ପତ୍ତି କଥା କରୀନାଙ୍କ ମନକୁ ନିଶ୍ଚିତ ରୂପେ କଷ୍ଟ ଦେଉଥିବ ବୋଲି ଚର୍ଚ୍ଚା ହେଉଛି।