ଅତିଥିମାନଙ୍କୁ ଉତ୍ତମ ସେବା ଯୋଗାଇବା ଉଦ୍ଦେଶ୍ୟରେ ଚୀନ୍‌ର ଆତିଥ୍ୟ ଶିଳ୍ପ କ୍ଷେତ୍ରରେ ‘ଶଯ୍ୟା ପ୍ରସ୍ତୁତି’ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ଏଥିରେ ଚୀନ୍‌ର ବିଳାସପୂର୍ଣ୍ଣ ହୋଟେଲଗୁଡ଼ିକରେ କର୍ମଚାରୀଙ୍କୁ ‘ଶଯ୍ୟା ପ୍ରସ୍ତୁତି’ର ତାଲିମ ଦିଆଯିବା ସହ ସେମାନଙ୍କ ଭିତରୁ ଅତି ନିପୁଣ କର୍ମଚାରୀଙ୍କୁ ଆଞ୍ଚଳିକ ବା ଜାତୀୟ ସ୍ତରରେ ଆୟୋଜିତ ଶଯ୍ୟା ପ୍ରସ୍ତୁତି ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ମିଳିଥାଏ। ଏଭଳି କାର୍ଯ୍ୟକ୍ରମ ହାସ୍ୟାସ୍ପଦ ଲାଗିପାରେ, ମାତ୍ର ଏହା ହୋଟେଲ କର୍ମଚାରୀଙ୍କ ଦକ୍ଷତା ଓ ଉତ୍ସର୍ଗୀକୃତ ଭାବନାକୁ ପ୍ରଦର୍ଶିତ କରିବା ସହ ଅନ୍ୟମାନଙ୍କୁ ଅନୁରୂପ ମାନ ହାସଲ ପାଇଁ ପ୍ରେରିତ କରୁଛି। ନିକଟରେ ଏଭଳି ଏକ ନିଆରା ପ୍ରତିଯୋଗିତାର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍‌ ପ୍ରସାରିତ ହୋଇଛି।

Advertisment

ଏଥିରେ ଦୁଇ ଜଣ ଯୁବକ ବିଛଣା ପ୍ରସ୍ତୁତ କରିବା ପାଇଁ ମୁକାବିଲା କରୁଥିବାର ଦୃଶ୍ୟ ରହିଛି। ସେମାନଙ୍କ ଚଳଚଞ୍ଚଳ କର୍ମନିପୁଣତା ଦେଖିଲେ ଯେ କେହି ମଧ୍ୟ ପ୍ରଶଂସା ନକରି ରହି ପାରିବନି। ବିଛଣା ଗଦି ଉପରେ ଠିକଣା ସ୍ଥାନରେ ତକିଆ ରହିବା ସହ ବିଛଣା ଚଦରର କୌଣସି ଭାଙ୍ଗ ଯେପରି ଜଣା ନ ପଡ଼ିବ, ସେଥିପ୍ରତି ସେମାନେ ବିଶେଷ ଯତ୍ନଶୀଳ ହୋଇଥାନ୍ତି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଚୀନ ଭଳି ଦେଶରେ ଏଭଳି ପ୍ରତିଯୋଗିତା ଏକ ଗମ୍ଭୀର ପ୍ରସଙ୍ଗ। ବାସ୍ତବରେ ଜଣକର ଦକ୍ଷତା ଯେତେ ସାଧାରଣ ହେଉନା କାହିଁକି, ଯଦି ଜଣେ ନିଜ କାମରେ ନିପୁଣ ତେବେ ତାହା ଦ୍ବାରା ସେ ଅନ୍ୟକୁ ମନ୍ତ୍ରମୁଗ୍‌ଧ କରିପାରିବ।