ଭୁବନେଶ୍ବର: ଭାରତରେ ଖାଦ୍ୟକୁ ବହୁ ମାନ୍ୟତା ଦିଆଯାଏ । ଏହା ‌କେବଳ ପେଟ ଭରେ ନାହିଁ ବରଂ ଏହା ହୃଦୟ ଜିତିଥାଏ ବୋଲି କୁହାଯାଏ । କ୍ଷୀରି, ପୁରି, ପିଠା ଠାରୁ ଆରମ୍ଭ କରି ୫୬ ପ୍ରକାର ବ୍ୟଞ୍ଜନକୁ ଥାଳି ପରଷା ଯାଇଥାଏ। କେତେବେଳେ ଠାକୁରଙ୍କୁ ବିଭିନ୍ନ ପ୍ରକାର ପ୍ରସାଦ କରି ତାଙ୍କୁ ଅର୍ପଣ କରାଯାଏ ତ ‌କେତେବେଳେ ଘରକୁ ଜ୍ବାଇଁ ଡାକରାରେ ବାର ଜାତି ବ୍ୟଞ୍ଜନ ବଢ଼ାଯାଇଥାଏ। ଯାହା ହେଉ ପଛେ କିଛି ନା କିଛି ଖାଦ୍ୟ ତିଆରି କରିବାରେ ଆମ ଦେଶ ମାହିର । କେବଳ ଦରକାର ଲୋଡ଼େ ବାହାନାର। 

Advertisment

ସେମିତି କିଛି ଭୋଗ ଓ ପ୍ରସାଦର ମଧ୍ୟ ଭିନ୍ନ ଭିନ୍ନ କାହାଣୀ ରହିଛି। କେତେବେଳେ ଶ୍ରୀମନ୍ଦିରର ଅବଢା ତ କେତେବେଳେ ଗୋପପୁରର କ୍ଷୀରି ହାଲୁଆ। ସେମିତି ଆମେ ଜାଣିବା ‘ଛପନଭୋଗ’ର କାହାଣୀ ବିଷୟରେ। 

କିପରି ଗଣାଯାଏ ୫୬ ?

ପୁରାଣ ଅନୁସାରେ ଇନ୍ଦ୍ରଦେବଙ୍କ କ୍ରୋଧରୁ ସୃଷ୍ଟି ହୋଇଥିବା ଭୟଙ୍କର ଝଡ଼ ଓ ବର୍ଷାରୁ ଗ୍ରାମବାସୀ ଓ ପଶୁମାନଙ୍କୁ ରକ୍ଷା କରିବା ପାଇଁ ପ୍ରଭୁ ଶ୍ରୀକୃଷ୍ଣ ସାତଦିନ ଧରି ଗୋବର୍ଦ୍ଧନ ପର୍ବତକୁ କାଣି ଆଙ୍ଗୁଠିରେ ଉଠାଇ ରଖିଥିଲେ। ସେହି ସାତଦିନ ଶ୍ରୀକୃଷ୍ଣ ତାଙ୍କ ପ୍ରତିଦିନର ୮ଟି ଭୋଜନ ବି ଗ୍ରହଣ କରିପାରିନଥିଲେ । ବର୍ଷା ଛାଡ଼ିବା ପରେ, ଗ୍ରାମବାସୀ ତାଙ୍କୁ କୃତଜ୍ଞତା ସ୍ୱରୂପ ‘ଅନ୍ନକୂଟ’ ପର୍ବତ ଅର୍ପଣ କରିଥିଲେ। ଏହାର ଗଣନା ଏଭଳି କରାଯାଏ-ପ୍ରତିଦିନ ୮ଟି ଭୋଜନ × ୭ ଦିନ, ଯାହାକୁ ମିସାଇଲେ ମୋଟ ୫୬ ପ୍ରକାର ବ୍ୟଞ୍ଜନ, ଯାହାକୁ ଆଜି ‘ଛପନଭୋଗ’ ବୋଲି କୁହାଯାଏ।

ଏଥିରେ କ’ଣ-କ’ଣ ରହିଥାଏ ?

ସାଧାରଣତଃ ‘ଛପନଭୋଗ’ ରେ ବିଭିନ୍ନ ପ୍ରକାରର ଶସ୍ୟ, ଫଳ, ପନିପରିବା, ମିଠା ଓ ଡ୍ରାଏ ଫ୍ରୁଟ୍ସ୍‌, ପାନୀୟ, ନମକିନ୍, ଚଟଣି ଆଦି ରହେ। କିନ୍ତୁ ଏହାର ସଠିକ ତାଲିକା ପ୍ରତ୍ୟେକ ଅଞ୍ଚଳରେ ତାଙ୍କ ପ୍ରଥା, ଧାର୍ମିକ ମହତ୍ତ୍ୱ ଓ ଉପଲବ୍ଧ ସାମଗ୍ରୀ ଅନୁଯାୟୀ ପରିବର୍ତ୍ତିନ ହୁଏ। ସାଧାରଣତଃ ଦହି, ଘିଅ ଓ ଚାଉଳ ସହିତ, ମିଠାରେ ସୁଜି ହାଲୁଆ, ରାବିଡ଼ି, ଶ୍ରୀଖଣ୍ଡ ଓ ନମକିନ୍‌ରେ ପାମ୍ପଡ଼, ଖେଚୁଡ଼ି, ପୁରି, ଶାଗ ସହିତ ବାଦାମ, ରହେ। ଲହୁଣି ଓ ମିଠା ଶ୍ରୀ କୃଷ୍ଣଙ୍କ ପ୍ରିୟ ହୋଇଥିବାରୁ ତାହା ପ୍ରଭୁଙ୍କ ନିକଟରେ ରଖାଯାଏ। ତେବେ ଆଉ ଗୋଟିଏ ରୋଚକ କଥା ଅନୁସାରେ ଆମର ପାଞ୍ଚୋଟି ଆଙ୍ଗୁଠିରେ ପାଞ୍ଚଟି ରସ ଥାଏ-ମିଠା, ନମକିନ୍, ଖଟା, ତିକ୍ତ ଓ ସ୍ୱାଦ। ହାତରେ ରାନ୍ଧିବା ସମୟରେ, ଏହି ପାଞ୍ଚଟି ରସ ଖାଦ୍ୟରେ ମିଶିଯାଏ। ଛପନଭୋଗକୁ ଆମେ ମୋଟାମୋଟି ଭାବେ ଦେଖିଲେ, ପାଞ୍ଚ ରସର ବଡ଼ ରୂପାନ୍ତର ବୋଲି ଜାଣିବା।

ଆହୁରି ପଢନ୍ତୁ- Health Tips, High Blood Pressure: ନିଜର ଭୁଲ ପାଇଁ ହିଁ ବିପଦ ପାଲଟେ ବ୍ଲଡପ୍ରେସର ! ଜାଣନ୍ତୁ ଉଚ୍ଚ ରକ୍ତଚାପର କାରଣ ଆମେ ନିଜେ କେମିତି ?

ଶ୍ରୀକ୍ଷେତ୍ର ପୁରୀର ଶ୍ରୀଜଗନ୍ନାଥ ମନ୍ଦିର-ଯାହାକୁ ବିଶ୍ୱର ସବୁଠୁ ବଡ଼ ରୋଷଘର ବୋଲି କୁହାଯାଏ, ସେଠାରେ ପ୍ରତିଦିନ ୫୬ ପ୍ରକାର ବ୍ୟଞ୍ଜନ ଦେବତାଙ୍କୁ ଅର୍ପଣ କରାଯାଏ। ଲଣ୍ଡନର ଶ୍ରୀ ସ୍ୱାମୀନାରାୟଣ ମନ୍ଦିରରେ, ପ୍ରତିବର୍ଷ ଅନ୍ନକୂଟର ଭବ୍ୟ ଆୟୋଜନ କରାଯାଏ ଯାହା ୭ଟି ସ୍ତର ଦେଇ ପ୍ରସ୍ତୁତ ହୋଇଥାଏ ଓ ଏଥିରେ ୧୦୦୦ରୁ ଅଧିକ ବ୍ୟଞ୍ଜନ ତାଳିକାରେ ରହିଥାଏ ଯାହା ପ୍ରସ୍ତୁତ ହେବା ପରେ ୮୫ ଫିଟ ଯାଏଁ ଲମ୍ବିଥାଏ।

ରିପୋର୍ଟ- ପ୍ରଗତି ସାହୁ

ଆହୁରି ପଢନ୍ତୁ- Delhi Red Fort Blast, Odisha Link: ଦିଲ୍ଲୀ ବିସ୍ଫୋରଣରେ ଓଡ଼ିଶା ଲିଙ୍କ୍ ! ଜେରା ବେଳେ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ...!