ବୁଝାମଣାରେ କ୍ଷମତାରେ ରହି ବିଜେଡି ଓ ବିଜେପି ଓଡ଼ିଶାବାସୀଙ୍କୁ ଉପେକ୍ଷା କରିଛନ୍ତି: ସଚିନ ପାଇଲଟ୍‌

ଏକଦା ଦେଶର ସର୍ବକନିଷ୍ଠ ସାଂସଦ ଭାବେ ଗୌରବାନ୍ବିତ ହୋଇଥିବା କଂଗ୍ରେସ ପାର୍ଟିର ଅନ୍ୟତମ ତୁଙ୍ଗନେତା ସଚିନ ପାଇଲଟ୍ ଚଳିତ ନିର୍ବାଚନରେ ପାର୍ଟିର ‘ଷ୍ଟାର୍‌ କ୍ୟାମ୍ପେନର୍‌’ ହୋଇ ପ୍ରଚାର ଅଭିଯାନର ମଙ୍ଗ ଧରିଛନ୍ତି। ସମ୍ପ୍ରତି ରାଜସ୍ଥାନର ଟୋଙ୍କ୍‌ ନିର୍ବାଚନ ମଣ୍ଡଳୀର ବିଧାୟକ ଥିବା ସଚିନ ପୂର୍ବରୁ ଦୁଇଥର ସାଂସଦ ଏବଂ କେନ୍ଦ୍ର ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ। ଏହାଛଡ଼ା, ସେ ମଧ୍ୟ ଟେରି‌େଟାରିୟାଲ୍‌ ଆର୍ମିରେ ନିଯୁକ୍ତି ପାଇଥିବା ପ୍ରଥମ କେନ୍ଦ୍ରମନ୍ତ୍ରୀ। ନିକଟରେ ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ତାଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଆମ ପ୍ରତିନିଧି ବିଭୂତି ପତି

ଆପଣଙ୍କ ଓଡ଼ିଶା ଗସ୍ତ ଓ ନିର୍ବାଚନ ପ୍ରଚାର ଫଳପ୍ରଦ ହୋଇଛି କି? କଂଗ୍ରେସର ସଫଳତାକୁ ନେଇ ଆପଣ କେତେ ଆଶାବାଦୀ?
ମୋର ଓଡ଼ିଶା ଗସ୍ତ ଓ ନିର୍ବାଚନ ପ୍ରଚାର ସଫଳ ହୋଇଛି। ବାଲେଶ୍ୱରରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠାରେ କଂଗ୍ରେସ ସପକ୍ଷରେ ଜନସମର୍ଥନ ରହିଥିବା ମୁଁ ଅନୁଭବ କରୁଛି। ବାଲେଶ୍ୱର ଓ ଭଦ୍ରକ ବିଧାନସଭା ଏବଂ ଲୋକସଭା ଆସନରେ ଆମେ ଭଲ ଫଳ ପ୍ରଦର୍ଶନ କରିବୁ। ଚଳିତ ନିର୍ବାଚନରେ ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି। ନିଜ ନିଜ ମଧ୍ୟରେ ବୁଝାମଣା କରି ବିଜେଡି ଓ ବିଜେପି ସରକାରରେ ରହି କ୍ଷମତା ଦଖଲ କରିବା ସହିତ ଓଡ଼ିଶାର ଜନସାଧାରଣଙ୍କୁ ଉପେକ୍ଷା କରିଛନ୍ତି। ବିଜେଡି ଓ ବିଜେପି ସେମାନଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଜନସାଧାରଣଙ୍କ ଆଗରେ ଘୋଷଣା କରନ୍ତୁ। ସଂସଦରେ ବିଜେଡି ସବୁବେଳେ ବିଜେପିକୁ ସମର୍ଥନ ଦେଇଛି। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା କେବଳ ନାମକୁ ମାତ୍ର। ହୀରା ଉପରେ ୧.୫ ପ୍ରତିଶତ ଜିଏସ୍‌ଟି ଲାଗୁ ହେଉଛି, ମାତ୍ର ଆଦିବାସୀଙ୍କ ଜୀବନଜୀବିକା କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସ୍‌ଟି କାହା ସ୍ୱାର୍ଥ ପାଇଁ? ଚଳିତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ମୁଁ ଦୃଢ଼ ଆଶାବାଦୀ।

ହୀରା ଉପରେ ୧.୫ ପ୍ରତିଶତ ଜିଏସ୍‌ଟି ଲାଗୁ ହେଉଛି,
ମାତ୍ର ଆଦିବାସୀଙ୍କ ଜୀବନଜୀବିକା କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସ୍‌ଟି କାହା ସ୍ୱାର୍ଥ ପାଇଁ?

ବିଜେପି ଓ କଂଗ୍ରେସ ନିର୍ବାଚନ ଇସ୍ତାହାର ଭିତରେ କି ପ୍ରକାର ପାର୍ଥକ୍ୟ ରହିଛି? ଏ ପ୍ରସଙ୍ଗରେ ଆପଣଙ୍କ ମତ କ’ଣ?
ଗତ ୧୦ ବର୍ଷର ନିର୍ବାଚନ ଇସ୍ତାହାରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଦେଖନ୍ତୁ, ସେମାନେ ଏ ସବୁ କେତେ ମାତ୍ରାରେ ପୂରଣ ଓ ପାଳନ କରିବାରେ ସଫଳ ହୋଇଛନ୍ତି! କଳାଟଙ୍କା ଫେରାଇଆଣିବା, ବେରୋଜଗାରୀ ହଟାଇବା, ଦରଦାମ ନିୟନ୍ତ୍ରଣ କରିବା, ଭାରତକୁ ୫ ଟ୍ରିଲିୟନ୍‌ ଅର୍ଥନୀତିର ଦେଶ କରିବା ଏବଂ ସର୍ବୋପରି ‘ଅଚ୍ଛେ ଦିନ୍‌ ଆଏଗା’ ସ୍ଲୋଗାନ୍‌ର ସ୍ବପ୍ନ କେତେ ବାସ୍ତବ ହୋଇଛି ଆପଣ କହନ୍ତୁ? ଭାରତୀୟ ଅର୍ଥନୀତିର ଦୁର୍ବଳ ବିକାଶ ଚିତ୍ରକୁ ନେଇ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅର୍ଥନୀତିଜ୍ଞ ରଘୁରାମ ରାଜନ ହୁଅନ୍ତୁ କିମ୍ବା ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପତି ପର୍‌କଲ୍‌ ପ୍ରଭାକରଣଙ୍କ ମତାମତ ଦେଖନ୍ତୁ। ଆପଣ ବୁଝି ପାରିବେ ବିଜେପି କିପରି ତା’ର ପ୍ରତିଶ୍ରୁତି ରକ୍ଷାକରେ। କିନ୍ତୁ, ଆପଣ ଆମର ବିଗତ ନିର୍ବାଚନ ଇସ୍ତାହାର ସମୀକ୍ଷା କରି ଦେଖନ୍ତୁ, ଜାଣିପାରିବେ କଂଗ୍ରେସ କେତେ ମାତ୍ରାରେ ପ୍ରତିଶ୍ରୁତି ପୂରଣ କରିଥାଏ। ଚଳିତ ନିର୍ବାଚନରେ ଆମେ ଯେଉଁ ପ୍ରତିଶ୍ରୁତି ଦେଇଛୁ, ତାହା ବାସ୍ତବବାଦୀ। ମନରେଗା ଦୈନିକ ମଜୁରୀ ୪୦୦ ଟଙ୍କାକୁ ବୃଦ୍ଧି, ଦେଶର ଗରିବ ପରିବାରର ମହିଳାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ବାର୍ଷିକ ୧ ଲକ୍ଷ ଟଙ୍କା ପ୍ରଦାନ, କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି ଏବଂ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ଦର ବୃଦ୍ଧି, ଆଦିବାସୀ ଜନଜାତିଙ୍କ କଲ୍ୟାଣ ପାଇଁ ଜଙ୍ଗଲ ଜମି ପଟ୍ଟା ପ୍ରଦାନକୁ ତ୍ୱରାନ୍ୱିତ କରିବା ସହିତ ଲଘୁ ବନଜାତ ସାମଗ୍ରୀର ଉଚିତ ପ୍ରାପ୍ୟ ପ୍ରଦାନ କରିବା ଭଳି ପ୍ରତିଶ୍ରୁତି ଦେଇ ଆମେ ନିର୍ବାଚନ ଲଢୁଛୁ। ମୋର ବିଶ୍ୱାସ କଂ‌େଗ୍ରସର ପ୍ରତିଶ୍ରୁତି ଜନସାଧାରଣଙ୍କର ବିଶ୍ୱାସଭାଜନ ହୋଇପାରିଛି ଓ ସେମାନେ ତାହାକୁ ଗ୍ରହଣ କରିବେ।

ସଂକ୍ଷେପରେ ସଚିନ
୧୯୭୭ ମସିହା ସେପ୍ଟମ୍ବର ୭ରେ ଉତ୍ତରପ୍ରଦେଶର ସାହାରନପୁରରେ ସଚିନଙ୍କ ଜନ୍ମ। ଏୟାର୍ ଫୋର୍ସ ବାଲ୍‌ ଭାରତୀ ବିଦ୍ୟାଳୟ, ସେଣ୍ଟ୍‌ ଷ୍ଟିଫେନ୍ସ କଲେଜ ଏବଂ ପରେ ଆମେରିକାର ଫିଲାଡେଲ୍‌ଫିଆସ୍ଥିତ ପେନ୍‌ସିଲ୍‌ଭାନିଆ ୟୁନିଭର୍ସିଟିରୁ ସେ ଏମ୍‌ବିଏ ଶିକ୍ଷା ଲାଭ କରିଥିଲେ। ୨୦୦୦ ମସିହା ଜୁନ୍‌ ୧୧ରେ ପିତା ରାଜେଶ ପାଇଲଟ୍‌ଙ୍କ ମୃତ୍ୟୁ ପରେ ସଚିନ ରାଜନୀତି କ୍ଷେତ୍ରକୁ ଆସିଥିଲେ। ୨୦୦୩ରେ କଂଗ୍ରେସରେ ସଦସ୍ୟ ଭାବେ ଯୋଗ ଦେଇଥିବା ସଚିନ ୨୦୦୪ରେ ରାଜସ୍ଥାନର ଦୌସା ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ମାତ୍ର ୨୬ ବର୍ଷ ବୟସରେ ସର୍ବକନିଷ୍ଠ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ରେ ମଧ୍ୟ ସେ ଆଜମେର୍‌ ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ, ୨୦୧୪ ଲୋକସଭା ନିର୍ବାଚନରେ ସେ ସେଠାରୁ ପରାସ୍ତ ହୋଇଥିଲେ। ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ସେ କେନ୍ଦ୍ରରେ କର୍ପୋରେଟ୍‌ ଆଫେୟାର୍ସ ମନ୍ତ୍ରୀ ରହିଥିଲେ। ୨୦୧୩ରୁ ୨୦୧୮ ସେ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ। ୨୦୧୮ ଓ ୨୦୨୩ ବିଧାନସଭା ନିର୍ବାଚନରେ ସେ ଟୋଙ୍କ୍‌ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୮ରେ ସଚିନ ପାଇଲଟ୍ ମୁଖ୍ୟମନ୍ତ୍ରୀ ହେବା ପରିବର୍ତ୍ତେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ପରବର୍ତ୍ତୀ ସମୟରେ ସଚିନ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ମଧ୍ୟରେ ତୀବ୍ର ବିବାଦ ଉପୁଜିଥିଲା। ବିବାଦରେ ରାହୁଲ ଓ ସୋନିଆ ଗାନ୍ଧୀ ସାମିଲ ହେବାରୁ ଏହା ବହୁଚର୍ଚ୍ଚିତ ହୋଇଥିଲା।

ଓଡ଼ିଶାର ଜନସାଧାରଣଙ୍କ କେଉଁ ସମସ୍ୟା ଉପରେ ଆପଣଙ୍କ ଦଳ ଗୁରୁତ୍ବ ଦେଉଛି?
ଗତ ନିର୍ବାଚନରେ କେନ୍ଦ୍ର ସରକାରଙ୍କ ଗଙ୍ଗା ସୁରକ୍ଷା ପ୍ରକଳ୍ପର ‘ନମାମି ଗଙ୍ଗେ’ ଯୋଜନା ଓ ରାଜ୍ୟ ସରକାରଙ୍କ ‘ମହାନଦୀ ବଞ୍ଚାଅ’ ଅଭିଯାନ ଭଳି ଅନେକ ଘୋଷଣା କୁଆଡ଼େ ଗଲା? ସେ ସବୁ କେତେ ସଫଳ ହୋଇଛି ଚଳିତ ନିର୍ବାଚନରେ ସମସ୍ତଙ୍କ ଆଗରେ ଉପସ୍ଥାପନ କରନ୍ତୁ। ଉଭୟ ବିଜେଡି ଓ ବିଜେପି ଘୋଷଣା କରିଥିବା ଏଭଳି ଅନେକ ଯୋଜନା ହଜି ଯାଇଛି। ସେ ସବୁର ହିସାବ ଦେବାକୁ ବର୍ତ୍ତମାନ ସମୟ ନାହିଁ। ଓଡ଼ିଶାରେ ନଦୀଶଯ୍ୟା ବ୍ୟାପକ ଭାବେ ଜବରଦଖଲ ହୋଇଛି ବୋଲି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶଜୀ ଯାହା ଅଭିଯୋଗ କରିଛନ୍ତି, ସେ ବିଷୟରେ ରାଜ୍ୟ ସରକାର ଉତ୍ତର ଦିଅନ୍ତୁ ଏବଂ କେନ୍ଦ୍ର ସରକାର କ’ଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଓଡ଼ିଶାବାସୀଙ୍କୁ ଜଣାନ୍ତୁ। ଉଭୟ ନିଜ ନିଜର ସ୍ପଷ୍ଟ ଆଭିମୁଖ୍ୟ ରଖନ୍ତୁ। ଓଡ଼ିଶାରେ ଏଭଳି ଅନେକ ସମସ୍ୟା ଓ ପ୍ରସଙ୍ଗ ରହିଛି। ସେଥିପାଇଁ ମୁଁ କହୁଛି ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି।

ଓଡ଼ିଶାରେ କଂଗ୍ରେସ ନେତାମହଲରେ ଚର୍ଚ୍ଚା ହେଉଛି କି ନିର୍ବାଚନ ଲଢ଼ିବାକୁ ଦଳ ସେମାନଙ୍କୁ ଆବଶ୍ୟକ ପାଣ୍ଠି ଦେଉନି। ଆପଣ କିଛି କହିବେ?
ମୁଁ କଂଗ୍ରେସର ନିର୍ବାଚନ ପ୍ରଚାର କରିବାକୁ ଆସିଛି। ମୋତେ ଦଳ ଦେଇଥିବା ଦାୟିତ୍ୱ ପାଳନ କରୁଛି। ଅନ୍ୟ ବିଷୟରେ ମୁଁ ଅବଗତ ନୁହେଁ। ଆପଣ, ଅଶୋକ ଗେହଲଟ୍ ଓ ଗାନ୍ଧୀ ପରିବାର ମଧ୍ୟରେ ଯେଉଁ ବିବାଦ ଉପୁଜିଥିଲା ତ‌ାହାର ସମାଧାନ କିପରି ହୋଇଥିଲା? ସେଥିପାଇଁ କ’ଣ ଗତ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ମୂଳପୋଛ ହୋଇଗଲା? ଦେଖନ୍ତୁ, କଂଗ୍ରେସ ରାଜସ୍ଥାନରେ ମୂଳପୋଛ ହୋଇଗଲା କହିବା ସମ୍ପୂର୍ଣ୍ଣ ଭୁଲ୍‌। ଚଳିତ ନିର୍ବାଚନରେ ଆମେ ରାଜସ୍ଥାନରେ ଭଲ ପ୍ରଦର୍ଶନ କରିବୁ। ତେବେ ଅନ୍ୟାନ୍ୟ ପ୍ରସଙ୍ଗ ଆଲୋଚନା ପାଇଁ ଏହା ଉପଯୁକ୍ତ ସ୍ଥାନ ନୁହେଁ। ଏସବୁ ପଚାରିବା ଠିକ୍‌ ନୁହେଁ।

ଆପଣଙ୍କ ମୂଳ ସାଙ୍ଗିଆ ପାଇଲଟ୍ ନ ଥିଲା। ଏ ବିଷୟରେ କୌତୂହଳପ୍ରଦ କଥାଟିଏ ରହିଛି। ଓଡ଼ିଶାବାସୀଙ୍କୁ ସେ କଥା କହିବେ କି?
ମୋ ବାପା ରାଜେଶ ପାଇଲଟ୍‌ଙ୍କ ପ୍ରକୃତ ନାମ ଥିଲା ରାଜେଶ୍ୱର ପ୍ରସାଦ ସିଂ ବିଧୁରୀ। ପୂର୍ବ ରାଜସ୍ଥାନର ଭରତପୁରରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଆଗରୁ ଯେତେବେଳେ ସେ ଗ୍ରାମାଞ୍ଚଳ ଗସ୍ତରେ ଇନ୍ଦିରା ଗାନ୍ଧୀଙ୍କ ସହିତ ଯାଇଥିଲେ ସେତେବେଳେ ଜଣେ ପାଇଲଟ୍ ଆସୁଛନ୍ତି ବୋଲି ଜନସାଧାରଣରେ ଜୋର୍‌ଦାର ଚର୍ଚ୍ଚା ହୋଇଥିଲା। ଏ ଘଟଣା ପରେ ଇନ୍ଦିରା ଗାନ୍ଧୀ ମୋ ବାପାଙ୍କୁ ନାଁ ବଦଳାଇ ରାଜେଶ ପାଇଲଟ୍ ରଖିବାକୁ କହିଲେ। ତେଣୁ, ବାପା ସତ୍ୟପାଠ ଜରିଆରେ ନିଜ ନାମ ବଦଳାଇ ରାଜେଶ ପାଇଲଟ୍ କରିଦେଲେ ଏବଂ ଏହି ନାଁ’ରେ ନାମାଙ୍କନ ପତ୍ର ଦାଖଲ କରି ନିର୍ବାଚନ ଲଢ଼ିଲେ। ବହୁତ କମ୍‌ ଲୋକେ ଜାଣନ୍ତି ଯେ, ମୋ ବାପା ସବୁବେଳେ ଜଣେ କୃଷକ ଓ ଦୁଗ୍ଧଚାଷୀ ବୋଲି ପରିଚୟ ଦେଉଥିଲେ।

ସମ୍ବନ୍ଧିତ ଖବର