କର୍ଣ୍ଣାଟକ: ଡିସେମ୍ବର ୬ ତାରିଖ ଦିନ ମଶାଣିରେ ଶୋଉଥିବା ବିଧାୟକ

ବେଲାଗାଓ୍ଵି: କଳ୍ପାନା ହେଉ କି ସତ ହେଉ, ଭୂତମାନଙ୍କୁ ଘଉଡ଼ାଇ ମଶାଣିରେ ଗୋଟିଏ ରାତି କଟାଇବା କଥା ମନକୁ ଆସିଲେ ଘରେ ମଧ୍ୟ ଅନେକେ ନିର୍ଭୟରେ ଶୋଇ ପାରନ୍ତି ନାହିଁ। କିନ୍ତୁ, ପୂର୍ବତନ ଅବକାରୀ ମନ୍ତ୍ରୀ ସତୀଶ ଜାର୍କିହୋଲି ପ୍ରତିବର୍ଷ ଗୋଟିଏ ରାତି ମଶାଣିରେ ଶୁଅନ୍ତି।

ଗତ ବୁଧବାର ରାତିରେ ବେଲାଗାଓ୍ଵିସ୍ଥିତ ସଦାଶିବ ନଗର ମଶାଣିରେ ଶବଦାହ କରାଯାଉଥିବା ବେଳେ ସେ ଏକ ସମାଧି ଉପରେ ଶୋଇ ରାତି କଟାଇଥିଲେ। ଚାରି ଚାରି ଥର ବିଧାୟକ ହୋଇଥିବା ସତୀଶ ବେଶ୍‌ କିଛି ବର୍ଷ ହେବ ଏମିତି କରୁଛନ୍ତି। ବଞ୍ଚିଥିବା ଯାଏଁ ପ୍ରତି ବର୍ଷ ଡିସେମ୍ବର ୬ ତାରିଖ ଦିନ ସେ ମଶାଣିରେ ଶୋଇବେ ବୋଲି ଶପଥ କରିଛନ୍ତି! ଅନ୍ଧ ବିଶ୍ୱାସ ସହ ଲଢ଼ିବାକୁ ତାଙ୍କର ଏ ପ୍ରୟାସ ଏବେ ଏକ ଘଟଣା ପାଲଟି ଗଲାଣି।

ଅନ୍ଧବିଶ୍ୱାସ ବିରୋଧି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ମଶାଣିରେ ପ୍ରାୟ ୫୦ ହଜାର ଲୋକଙ୍କର ସମାଗମ ହୋଇଥିଲା। ଅନ୍ଧବିଶ୍ୱାସ ବିରୋଧରେ ହେତୁବାଦୀମାନଙ୍କ ଭାଷଣ ଶୁଣିବା ଛଡ଼ା ସେଠାରେ ଲୋକେ ମଧ୍ୟାହ୍ନ ଏବଂ ରାତ୍ରୀ ଭୋଜନରେ ଆପ୍ୟାୟିତ ହୋଇଥିଲେ। ପରେ ମଶାଣିରେ ଶପ ବିଛା ଯାଇଥିଲା। ସେଠାରେ ଜାର୍କିହୋଲିଙ୍କ ସହ ତାଙ୍କ ସହଯୋଗୀ ଏବଂ ବିଏମ୍‌ଟିସିର ଚେୟାର୍‌ମ୍ୟାନ୍‌ ନାଗରାଜ ଯାଦବ ଶୋଇ ରାତ୍ରୀଯାପନ କରିଥିଲେ।

ଗୁରୁବାର ପ୍ରତ୍ୟୁଷରେ ଶାନ୍ତ ଦିଶୁଥିବା ଜାର୍କିହୋଲି କହିଲେ ସେ ମଶାଣିରେ ଆୟୋଜନ କରୁଥିବା କର୍ଯ୍ୟକ୍ରମକୁ କେହି ଅଟକାଇ ପାରିବେ ନାହିଁ।

ଅନ୍ଧ ପ୍ରଥା ଓ ବିଶ୍ୱାସ ମୁକ୍ତ ହୋଇ କର୍ଣ୍ଣାଟକରେ କଲ୍ୟାଣ ରାଜ୍ୟର ଅଦ୍ଭୁଦୋୟ ନ ହେବା ଯାଏଁ ମୋ ଉଦ୍ୟମ ଚାଲୁ ରହିବ। ପରବର୍ତ୍ତୀ କାର୍ଯ୍ୟକ୍ରମରେ ୬୦ ହଜାରରୁ ଅଧିକ ଲୋକ ଅଂଶ ଗ୍ରହଣ କରିବେ ବୋଲି ଆମେ ଆଶା କରୁଛୁ। ଆସନ୍ତା ବର୍ଷଗୁଡ଼ିକରେ ଅନ୍ଧ ବିଶ୍ୱାସ ବିରୋଧରେ ଚାଲିଥିବା ଏହି ଉଦ୍ୟମ ଅଧିକ ମଜଭୁତ ହେବ।

ରାଜନୈତିକ ପ୍ରତିଦ୍ୱନ୍ଦିମାନେ କଂଗ୍ରେସ ହାଇ କମାଣ୍ଡ୍‌ଙ୍କ ଆଗରେ ତାଙ୍କୁ ବିରୋଧରେ ଫେରାଦ ହୋଇଥିଲେ। ସେଥିରେ ପ୍ରତିକ୍ରିୟା ପ୍ରକାଶ କରି ଜାର୍କିହୋଲି କହିଛନ୍ତି ଯେ ମଶାଣିରେ କାର୍ଯ୍ୟକ୍ରମ ଆୟୋଜନ କରିବାରୁ ମତେ କେହି ଅଟକାଇ ପାରିବେ ନାହିଁ। ଅଭିଯୋଗ ସତ୍ତ୍ୱେ ହାଇ କମାଣ୍ଡ୍‌ କୌଣସି ହସ୍ତକ୍ଷେପ କରି ନାହାନ୍ତି। ଆସନ୍ତା ବର୍ଷ କାର୍ଯ୍ୟକ୍ରମକୁ ଦେଶର ବିଭିନ୍ନ ଅଞ୍ଚଳରେ ଥିବା ନାମଜାଦା ଭାବୁକ ଏବଂ ହେତୁବାଦୀଙ୍କୁ ଆମନ୍ତ୍ରଣ କରିବେ।

ସମ୍ବନ୍ଧିତ ଖବର