ପ୍ରାତଃସ୍ନାନର ପୁଣ୍ୟ

ବର୍ଷର ସବୁ ସମୟରେ ପ୍ରାତଃସ୍ନାନ ଶରୀର ପାଇଁ ହିତକର। କିନ୍ତୁ କାର୍ତ୍ତିକ ମାସରେ ପ୍ରାତଃସ୍ନାନକୁ ଅଧିକ ମହତ୍ତ୍ୱ ଦିଆଯାଇଛି। ଏହା ପରମ ପୁଣ୍ୟପ୍ରଦ ବୋଲି କୁହାଯାଇଛି। ଏପରି କାହିଁକି, ତାହା ‘କାର୍ତ୍ତିକ ମାହାତ୍ମ୍ୟ’ରେ ବର୍ଣ୍ଣିତ ଅଛି। ଶଙ୍ଖାସୁର ବେଦହରଣ କରି ନେଇଥିବାରୁ ଭଗବାନ ବିଷ୍ଣୁ ବେଦ ଉଦ୍ଧାର କରିବାପାଇଁ ମତ୍ସ୍ୟ ଅବତାର ଗ୍ରହଣ କରିଥିଲେ। ଏହା ତାଙ୍କର ଆଦି ଅବତାର। ଏହାର ତିଥି ଥିଲା ଆଶ୍ୱିନ ଶୁକ୍ଳ ଏକାଦଶୀ। ବେଦ ଉଦ୍ଧାର ପାଇଁ ତାଙ୍କୁ ପ୍ରାର୍ଥନା କରିଥିବା ଦେବଗଣଙ୍କୁ ମଧ୍ୟ, ମୀନ ରୂପ ଧାରଣ କରିବାପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

ଏକ ସୁବର୍ଣ୍ଣମୟ ମତ୍ସ୍ୟରୂପ ଧରି ଭଗବାନ ବିଷ୍ଣୁ କିପରି ଶଙ୍ଖାସୁରକୁ ମାରିଲେ, ତାହାର ସୁନ୍ଦର ବର୍ଣ୍ଣନା ‘କାର୍ତ୍ତିକ ମାହାତ୍ମ୍ୟ’ରେ ଅଛି। ତାହା ଅନୁସାରେ, ସମୁଦ୍ରରେ ପଶି ମତ୍ସ୍ୟରୂପୀ ବିଷ୍ଣୁ ମହାଗର୍ଜନ କଲେ; ଫଳରେ ସମୁଦ୍ର ଜଳଶୂନ୍ୟ ହୋଇଗଲା। ଅନ୍ୟାନ୍ୟ ଜଳଚର ଜୀବଙ୍କ ଭିତରେ ଶଙ୍ଖାସୁର ଦେଖାଗଲା। ସେହି ମହାମତ୍ସ୍ୟ ଶଙ୍ଖାସୁରକୁ ଧରି, ତା’ର ମୁହଁରେ ମୁହଁ ଲଗାଇ, ତାର ଦେହକୁ ପବନରେ ପୂର୍ଣ୍ଣ କରିବାରେ ଲାଗିଲେ। ଫଳରେ ତା’ର ରକ୍ତ, ମାଂସ, ଚର୍ମ, କେଶ ଆଦି ଉଡ଼ିଯାଇ ବିଭିନ୍ନ ଦେଶରେ ପଡ଼ିଲେ। ଶଙ୍ଖାସୁର ମଲା। ତାହାପରେ ସେହି ଶଙ୍ଖରୂପୀ ଅସୁରକୁ ନିଜର ବାମ ହାତରେ ଧରି ସେ ମଧୁର ଶଙ୍ଖଧ୍ୱନି କଲେ।

ବେଦ ଉଦ୍ଧାର ହେବା ପରେ, ତା’ ସହିତ ଅନ୍ୟାନ୍ୟ ଶାସ୍ତ୍ର, ଇତିହାସ ମଧ୍ୟ ଭଗବାନ ବିଷ୍ଣୁ ବ୍ରହ୍ମାଙ୍କୁ ପ୍ରଦାନ କଲେ। ତାହା ପାଇ ବ୍ରହ୍ମା ସନ୍ତୁଷ୍ଟ ହେଲେ। ବିଷ୍ଣୁଙ୍କୁ ନିବେଦନ କରି ସେ କହିଲେ- କାର୍ତ୍ତିକ ମାସରେ ତୁମେ ଜଳରେ ବାସ କରିବ। ଯେଉଁ ବ୍ୟକ୍ତି ପ୍ରାତଃକାଳରେ ସ୍ନାନ କରି, ବିଧିମତେ କାର୍ତ୍ତିକ ବ୍ରତ ପାଳନ ଓ ହବିଷ୍ୟାନ୍ନ ଭୋଜନ କରିବେ, ସେମାନଙ୍କର ଶତଜନ୍ମର ପାପ ଖଣ୍ଡନ ହେବ। ‘କାର୍ତ୍ତିକ ମାହାତ୍ମ୍ୟ’ରେ ଏ ସଂପର୍କରେ ଆହୁରି ମଧ୍ୟ କୁହାଯାଇଛି- ଏହି ମାସରେ ପୁଷ୍କରିଣୀରେ ସ୍ନାନ କଲେ ପାଞ୍ଚଗୁଣ, ନଦୀରେ ସ୍ନାନ କଲେ ଦଶଗୁଣ ଏବଂ ତୀର୍ଥରେ ସ୍ନାନ କଲେ ଲକ୍ଷେ ଗୁଣ ଫଳ ମିଳିଥାଏ।

ସମ୍ବନ୍ଧିତ ଖବର