କେବଳ ଘର ଜଗିବା କାମ ନୁହେଁ, ବିଭିନ୍ନ ଶାରୀରିକ ସମସ୍ୟା ବି ଦୂର କରିଥାଏ କୁକୁର

ନୂଆଦିଲ୍ଲୀ: ମଣିଷର ସବୁଠୁ ବିଶ୍ୱସ୍ତ ପ୍ରାଣୀ ହେଉଛି କୁକୁର । କେଉଁ ଆଦିମ ଯୁଗରୁ ମଣିଷର ପାଖେ ପାଖେ ଏହି କୁକୁର ରହି ଆସିଛି । କିଏ ଘର ଜଗିବା ପାଇଁ କୁକୁର ରଖିଥାଏ ତ ଆଉ କିଏ ସୌଖୀନରେ କୁକୁର ପାଳନ କରିଥାଏ । ହେଲେ ଏବେ ଗବେଷଣାରୁ ଏକ ନୂଆ ତଥ୍ୟ ଆବିଷ୍କାର ହୋଇଛି ଯେ, କୁକୁର ପାଳନ ଦ୍ୱାରା ଔଷଧୀୟ ଉପକାର ମିଳେ । ଶରୀରରେ ଯନ୍ତ୍ରଣା ହେଉଥିଲେ, ମାତ୍ର ୧୦ ମିନିଟ ପାଇଁ କୁକୁର ସହିତ ବନ୍ଧୁତା କଲେ ବହୁ ପରିମାଣରେ ଯନ୍ତ୍ରଣା କମିଥାଏ ।

କାନାଡାର ସାସ୍‌କାଚେୱାନ ୟୁନିଭର୍ସିଟି ପକ୍ଷରୁ ହୋଇଥିବା ଗବେଷଣାରୁ ଜଣାପଡିଛି ଯେ, କୁକୁର ପାଳନ ଦ୍ୱାରା ଅନେକ ଉପକାର ମିଳିଥାଏ । ବିଶେଷ କରି କୁକୁର ପାଳନ ଦ୍ୱାରା କ୍ରୋନିକ୍ ପେନ୍ ବା ପୁରୁଣା ଯନ୍ତ୍ରଣା କମିଥାଏ । କୁକୁର ସହିତ ପ୍ରତିଦିନ କିଛି ସମୟ ବିତାଇବା ଦ୍ୱାରା ହାଲିଆ ହେବା, ମାନସିକ ବିଷାଦ, ଦୁଶ୍ଚିନ୍ତା, ଅତ୍ୟଧିକ କାମର ଚାପ ଆଦି କମିଥାଏ ।

ପୂର୍ବରୁ ମଧ୍ୟ ଆମେରିକାରେ ଗବେଷଣାରୁ ଜଣା ପଡିଥିଲା ଯେ, କୁକୁର ପାଳନ ଦ୍ୱାରା ୩୧ ପ୍ରତିଶତ ହୃଦଘାତଜନିତ ରୋଗ କମ୍ ହୋଇଥାଏ । କୁକୁର ନ ରଖିଥିବା ଲୋକଙ୍କ ତୁଳନାରେ କୁକୁର ରଖିଥିବା ଲୋକଙ୍କର ହୃଦଘାତ ୩୩ ପ୍ରତିଶତ କମ ହୋଇଥାଏ । ସେହିପରି ଯେଉଁମାନଙ୍କୁ ହୃଦଘାତ ହୋଇଥାଏ ସେମାନେ ଯଦି କୁକୁର ରଖିଥାନ୍ତି ସେମାନଙ୍କର ଡେଥ୍ ରିସ୍କ୍ ୨୭ ପ୍ରତିଶତ କମିଯାଇଥାଏ ।

ଆମେରିକାନ ହାର୍ଟ ଆସୋସିଏସନର ରିପୋର୍ଟ ଅନୁସାରେ ପ୍ରତିଦିନ ନିଜ କୁକୁର ସହିତ ସକାଳେ ଚଲାବୁଲା କରୁଥିବା ଲୋକଙ୍କର ଏକ ତୃତୀୟାଂଶ କମ୍ ମଧୁମେହ ହେବାର ଆଶଙ୍କା ରହିଥାଏ । କୁକୁର ପାଳନ ଦ୍ୱାରା ଏସବୁ ଉପକାରକୁ ଦୃଷ୍ଟିରେ ରଖି ବିଦେଶରେ ଅନେକ ହସ୍ପିଟାଲରେ ଏବେ ଡଗ୍ ଥେରାପି ଦିଆଯାଉଛି।

ସମ୍ବନ୍ଧିତ ଖବର