ଭୁବନେଶ୍ୱର: ଆଜି ପଖାଳ ଦିବସ । ଘରେ ପଖାଳକୁ ନେଇ ପସରା । ପଖାଳ ସାଙ୍ଗରେ କାହିଁ କେତେ ପ୍ରକାରର ତିଅଣ । ପୂରା ଓଡିଆ ଖାଦ୍ୟର ମହକ । ପଖାଳ ତ ଓଡିଆଙ୍କ ନିତିଦିନିଆ ଖାଦ୍ୟ । ବଡିଚୁରା, ବାଇଗଣ ଭଜା, ଆଳୁ ଚଟଣୀ, ଶାଗ ଓ ଆମ୍ବୁଲ ସହ ପଖାଳର ଯୋଡି ଜମୁଥିବା ବେଳେ ଏବେ କିନ୍ତୁ ପଖାଳଖିଆ ଏକ ଫ୍ୟାସନ ପାଲଟିଛି । ପଖାଳ ଦିବସ ପାଇଁ ଲୋକେ ବଡବଡ ହୋଟେଲରେ ଆୟୋଜନ କରୁଛନ୍ତି । ହେଲେ ଆପଣ ଜାଣିଛନ୍ତି କି । ପଖାଳରେ ଭରପୂର ଅଛି ରୋଗ ପ୍ରତିରୋଧକଶକ୍ତି ।
ଅବଶ୍ୟ ଏହା ଜାଣିବା ପୂର୍ବରୁ କାହିଁ କେବେରୁ ଓଡ଼ିଆ ଖାଆନ୍ତି ପଖାଳ । ହେଲେ କରୋନା କାଳରେ ଯେବେ ପୂରା ବିଶ୍ବ ଘାଂଟି ହେଉଥିଲା । ସେହି ସମୟରେ ପଖାଳର ଉପକାରିତାକୁ ନେଇ ଆସିଥିଲା ଏକ ରିପୋର୍ଟ । ଯେଉଁଥିରେ କୁହାଯାଇଥିଲା କି, ପଖାଳରେ ଭରପୂର ରହିଛି ରୋଗ ପ୍ରତିରୋଧକ ଶକ୍ତି । ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।
ବଳିଥିବା ଭାତକୁ ପାଣି ପୂରାଇ ଦେଲେ ହୋଇଯିବ ପଖାଳ । ତିଆରି କରିବାରେ ନାଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ ନା ଝିଞ୍ଜଟ ଥାଏ । କେବଳ ପାଣି ଟିକକ ଯାହା ଦରକାର । ପଖାଳ କେବଳ ପାଟି କି ପେଟକୁ ଶାନ୍ତ କରେ ତାହା ନୁହେଁ ବରଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବି ବଢାଏ । କରୋନା ହେବା ପରେ ସାଧାରଣରେ ଶରୀରରେ ଇମ୍ୟୁନିଟି କମିଗଲା । ସମସ୍ତଙ୍କ ମନରେ ଚିନ୍ତା ପଶିଲା ଇମ୍ୟୁନିଟି ବଢିବ କେମିତି । ହେଲେ ଦେଖିଲା ବେଳକୁ ଆମରି ରୋଷେଇ ଘରେ ଲୁଚି ବସିଥିଲା ଇମ୍ୟୁନିଟି । ବାସି ପଖାଳ ଓ ତୋରାଣିରେ ଶରୀରକୁ ଏତେ ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ଯୋଗାଏ ଯେ ଏହା କରୋନାରୁ ବର୍ତ୍ତିବାରେ ସାହାଯ୍ୟ କରେ ।
ବୋଧହୁଏ ସେଇଥି ଲାଗି ଗାଁ ଗଣ୍ଡାର ଲୋକ ଖାସ କରି ଆଦିବାସୀମାନଙ୍କ ପାଖ ପଶିନଥିଲା କରୋନା । ପଖାଳରେ ଥିବା ଅଣୁଜୀବ ଶ୍ୱେତସାରର ସରଳୀକରଣ ଦ୍ୱାରା ସର୍ଟ ଚେନ୍ ଫ୍ୟାଟି ଏସିଡ୍ ତିଆରି କରେ । ଯାହାକି ମଣିଷକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଅନେକାଂଶରେ ସାହାଯ୍ୟ କରେ ।
ଏମ୍ସ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ସ୍ପଷ୍ଟ କରାଯାଇଥିଲା କି, ଯେଉଁମାନେ ନିଇତି ପଖାଳ କିମ୍ବା ତୋରାଣି ପିଅନ୍ତି ସେମାନଙ୍କର ଇମ୍ୟୁନିଟି ପାୱାର ବଢେ । ବାସି ପଖାଳରେ ଥିବା ସର୍ଟ ଚେନ୍ ଫ୍ୟାଟି ଏସିଡ୍ର ପ୍ରଦାହରୋଧୀ ବା ଆଣ୍ଟି-ଇନ୍ଫ୍ଲେମାଟୋରୀ ଗୁଣ ରହିଛି । ତୋରାଣିରେ ଥିବା ଲୋବାସିଲସ୍ ଜୀବାଣୁ ଶରୀରରେ ଇମ୍ୟୁନୋଗ୍ଲୋବୁଲିନ୍ କ୍ଷରଣରେ ସହାୟକ ହୁଏ, ଯାହାକି ଫୁସଫୁସ୍ ଓ ଅନ୍ତଃନଳୀ ସଂକ୍ରମଣକୁ ରୋକିଥାଏ । ଖାଲି ଏତିକି ନୁହେଁ ପଖାଳ ଅପପୁଷ୍ଟି ରୋକିବାକୁ ଏବଂ ଗର୍ଭବତୀ ମହିଳାଙ୍କ ଭ୍ରୁଣର ବିକାଶ ପାଇଁ ଖୁବ୍ ଉପକାରୀ । ତେବେ ଗବେଷକଙ୍କ କହିବା କଥା, ସଜ ନୁହେଁ କେବଳ ବାସି ପଖାଳ ଓ ତୋରାଣିରେ ହିଁ ଏହି ଗୁଣ ରହିଛି । ପଖାଳ ଯେ ଦେହ ଲାଗି କେତେ ଜରୁରୀ ତାହା ଓଡ଼ିଆଙ୍କଠୁ ଆଉ ଅଧିକ କିଏ ବା ଜାଣେ । ସେଇଥି ଲାଗି ତ ଓଡ଼ିଆ କିଛି ଖାଉ କି ନଖାଉ…କଂସେ ପଖାଳ ଓ ଢୋକେ ତୋରାଣି ନିଶ୍ଚୟ ପିଉଥିବ ।