ନୂଆଦିଲ୍ଲୀ: କର୍ଣ୍ଣାଟକର ମୈସୁରରୁ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଅଟୋ ରିକ୍ସା ଚାଳକଙ୍କ ସଚ୍ଚୋଟତାକୁ ନେଇ ଚାରିଆଡେ ପ୍ରଶଂସା କରାଯାଉଛି। କାରଣ ଉକ୍ତ ଅଟୋ ଚାଳକ ଜଣକ ହଜି ଯାଇଥିବା ସୁନା ଚେନକୁ ସୁରକ୍ଷିତ ଭାବେ ଗ୍ରାହକଙ୍କ ନିକଟରେ ପହଞ୍ଚାଇ ଦେଇଥିଲେ।
ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗିରିଶ ନାମକ ଜଣେ ଅଟୋ ଡ୍ରାଇଭରଙ୍କ ପ୍ରଶଂସନୀୟ କାହାଣୀକୁ ଉଲ୍ଲେଖ କରାଯାଇଛି।
ସୂଚନାଯୋଗ୍ୟ, ଗିରିଶ ବେଙ୍ଗାଲୁରୁର ଜଣେ ଅଟୋ ଚାଳକ ହେବା ସହିତ ଜଣେ ସଚ୍ଚୋଟ ବ୍ୟକ୍ତି ମଧ୍ୟ । ତାଙ୍କ ଅଟୋରେ ଚିତ୍ରା ନାମକ ଜଣେ ମହିଳା ବସିଥିଲେ, ଯିଏକି ଅଟୋ ରିକ୍ସା ଚଲାଇବା ପାଇଁ ଲୋକଙ୍କୁ ତାଲିମ ଦେଉଥିବା ଏକ ସଂସ୍ଥାର ପ୍ରତିଷ୍ଠାତା ଥିଲେ ।
ଚିତ୍ରାଙ୍କ କହିବାନୁସାରେ, ‘ମୁଁ କିଛି କାମ ପାଇଁ ମୈସୁରରୁ ବେଙ୍ଗାଲୁରୁ ଯାଇଥିଲି। ଯେତେବେଳେ ମୈସୁରକୁ ଫେରିଥିଲି ମୋର ସୁନା ଚେନ କେଉଁଆଡେ ହଜି ଯାଇଥିବା ଜାଣିବାକୁ ପାଇଥିଲି। ସୁନା ଚେନ ହଜାଇ ବହୁତ ବିଚଳିତ ହୋଇଯାଇଥିଲି। ମନ ବି ଦୁଃଖ ହୋଇଯାଇଥିଲା। କିନ୍ତୁ ଭଗବାନଙ୍କ ଦୟାରୁ ଏହି ଚେନ ଏମିତି ଜଣେ ଅଟୋ ଚାଳକ ପାଇଥିଲେ ଯିଏକି ଜଣେ ସଚ୍ଚୋଟ ବ୍ୟକ୍ତି ଥିଲେ। ତାଙ୍କ ନାମ ଗିରିଶ।
ଗିରିଶ ଅଟୋ ଚଲାଇ ମୈସୁର ପର୍ଯ୍ୟନ୍ତ ପହଞ୍ଚି ମୋର ଘର ଖୋଜିଖୋଜି ବହୁତ କଷ୍ଟରେ ପହଞ୍ଚି ମୋତେ ସୁନା ଚେନ ଫେରାଇ ଦେଇଥିଲେ।’