ସ୍କୁଲ୍‌ ବାଳକକୁ ସାଲୁଟ୍‌ ମାରିଲେ ପୁଲିସ୍‌, ସୋସିଆଲ୍‌ ମିଡିଆରେ ଭାଇରାଲ ହେଲା ଭିଡିଓ

ବେଙ୍ଗାଲୁରୁ: ବେଙ୍ଗାଲୁର ପୁଲିସ୍‌ କମିସନର୍‌ ଟି ସୁନୀଲ କୁମାର ଜଣେ ସ୍କୁଲ୍‌ ପିଲାକୁ ସାଲୁଟ୍‌ ମାରୁଥିବା ବେଳର ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହେବା ପରେ ସେ ଏବେ ଏକ ଚର୍ଚ୍ଚିତ ଚେହେରା ପାଳଟିଛନ୍ତି। ଉକ୍ତ ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସମସ୍ତଙ୍କର ପ୍ରିୟ ପାଲଟିଛି। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ପୁଳିସ୍‌ ଜଣକ ହସ୍ପିଟାଲ୍‌ରୁ ବାହାରୁଛନ୍ତି। ସେଠାରେ ସ୍କୁଲ୍‌ ପୋଷାକରେ ଥିବା ଜଣେ ପିଲାଟି ତାଙ୍କୁ ସାଲୁଟ୍‌ ମାରିବା ପରେ ସେ ବି ପିଲାଟିକୁ ସାଲୁଟ୍‌ ମାରୁଛନ୍ତି।

ଭିଡିଓଟି ବାଙ୍ଗାଲୁରୁର ମାଲ୍ୟା ହସ୍ପିଟାଲ୍‌ ବାହାରେ ହୋଇଥିବାର ଜାଣିବାକୁ ମିଳୁଛି। ବାଙ୍ଗାଲୁରୁ ପୁଲିସ୍‌ ଦ୍ୱାରା ଏହି ଭିଡିଓଟି ଫେସ୍‌ବୁକ୍‌ରେ ଅପ୍‌ଲୋଡ ହୋଇଛି। ସେଥିରେ କ୍ୟାପ୍‌ସନ ଲେଖାଯାଇଛି, ‘ଗୋଟାଏ ୟୁନିଫର୍ମରୁ ଆଉ ଗୋଟାଏ ୟୁନିଫର୍ମ ପାଇଁ ସମ୍ମାନ ଦେଖିବାକୁ ମିଳୁଛି। ଏହା ଶୃଙ୍ଖଳାବୋଧର ପ୍ରମାଣ ଦେଉଛି।’ଏହି ଭିଡିଓଟି ଏବେ ସୁଦ୍ଧା ୧୭୦୦ ସେୟାର୍‌ ହୋଇ ସାରିଲାଣି। ଭିଡିଓଟିର ଫେସ୍‌ବୁକ୍‌ରେ ୧.୨ ଲକ୍ଷ ଭିୟୁ ହୋଇ ସାରିଲାଣି। ପୁଲିସ୍‌ କୁମାର ତାଙ୍କର ବ୍ୟବହାର ପାଇଁ ଏବେ ସୋସିଆଲ୍‌ ମିଡିଆରେ ବହୁ ସମ୍ମାନ ପାଇବାରେ ସମର୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର