ଥାଇଲାଣ୍ଡ୍ରେ ‘କୋଇ ପ୍ଲା’ ନାମରେ ଏକ ପାରମ୍ପରିକ ବ୍ୟଞ୍ଜନ ଉପଲବ୍ଧ, ଯାହାକୁ ଖାଇ ଲୋକେ କର୍କଟ ରୋଗ ଆମନ୍ତ୍ରଣ କରୁଥିବାର ଜଣାପଡ଼ିଛି। କଞ୍ଚାମାଛ ସାଙ୍ଗରେ ଲେମ୍ବୁ ଓ ମସଲା ମିଶାଇ ଖୁବ୍ କମ୍ ସମୟରେ ପ୍ରସ୍ତୁତ ହୋଇପାରୁଥିବା ଏହି ସ୍ବାଦିଷ୍ଟ ବ୍ୟଞ୍ଜନ ବାର୍ଷିକ ୨୨ ହଜାର ଥାଇଲାଣ୍ଡ୍ବାସୀଙ୍କ ଜୀବନ ନେଉଥିବା ଜଣାଯାଇଛି। ଏଥିରେ ବ୍ୟବହୃତ କଞ୍ଚାମାଛରେ ଏକ ପରଜୀବୀ କୃମି ଥାଏ ଯାହା ଯକୃତ କର୍କଟ ସୃଷ୍ଟି କରିଥାଏ। ଏହି ଶସ୍ତା ସୁସ୍ବାଦୁ ବ୍ୟଞ୍ଜନଟି ଥାଇଲ୍ୟାଣ୍ଡ୍ର ଉତ୍ତରପୂର୍ବାଞ୍ଚଳରେ ରହୁଥିବା ଗରିବ ଲୋକମାନଙ୍କର ଅତି ପ୍ରିୟ ହୋଇଥିବାରୁ ସେମାନେ ଏହାକୁ ଖାଇ ଅଜାଣତରେ ମୃତ୍ୟୁମୁଖରେ ପଡୁଛନ୍ତି।
ଥାଇଲ୍ୟାଣ୍ଡ୍ର ମେକଙ୍ଗ ଅଞ୍ଚଳରେ ମିଳୁଥିବା ମଧୁରଜଳ ମାଛ ଦେହରେ ଥିବା ଏହି ଚେପ୍ଟାକୃମିଗୁଡ଼ିକ ଥରେ ମନୁଷ୍ୟ ଶରୀରକୁ ପ୍ରବେଶକରି ପିତ୍ତଗ୍ରନ୍ଥିରେ ଲାଖିଗଲେ, ତାହାକୁ ଆଉ ବର୍ଷ ବର୍ଷ ଧରି ଠାବ କରିବା କଷ୍ଟକର ହୋଇପଡ଼େ। ତେବେ ଏଥିରେ ଆକ୍ରାନ୍ତ କର୍କଟ ପୀଡ଼ିତମାନେ ଏଭଳି ଶାନ୍ତ ସରଳ ଭାବରେ ମୃତ୍ୟୁମୁଖରେ ପଡ଼ିଥା’ନ୍ତି ଯେ ସେମାନଙ୍କ ଠାରେ କର୍କଟ ହୋଇଥିବା କଥାକୁ କେହି ସନ୍ଦେହ କରିନଥା’ନ୍ତି।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏନେଇ ଚିନ୍ତା ପ୍ରକଟ କରିଥିବା ବେଳେ ସଂପୃକ୍ତ ଅଞ୍ଚଳବାସୀଙ୍କ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଆଣିବା କଷ୍ଟକର ବ୍ୟାପାର। ଉକ୍ତ କଞ୍ଚା ମାଛ ବ୍ୟଞ୍ଜନ ସେମାନଙ୍କୁ ଏତେ ମାତ୍ରାରେ ଆକର୍ଷିତ କରି ରଖିଛି ଯେ ଅନେକ ତାହାକୁ ଛାଡ଼ିବା ପରିବର୍ତ୍ତେ ‘ମରିବା ପାଇଁ ତ ଅନେକ ବାଟ ରହିଛି’ ବୋଲି ଟିପ୍ପଣୀ କରୁଛନ୍ତି। ସଚେତନତା ସୃଷ୍ଟି ପରେ କିଛି ଲୋକ ଉକ୍ତ ବ୍ୟଞ୍ଜନକୁ ଭାଜି ଖାଇବା ଆରମ୍ଭ କରିଛନ୍ତି। ତେବେ ଏହାଦ୍ବାରା ସେମାନଙ୍କର ନିଆରା ବ୍ୟଞ୍ଜନ ସେତେ ସ୍ବାଦିଷ୍ଠ ଲାଗୁନଥିବା ସେମାନେ କହୁଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଉକ୍ତ ଅଞ୍ଚଳରେ ପହଞ୍ଚି ବିଶେଷ କରି ପିଲାମାନଙ୍କ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା ଚଳାଇଛନ୍ତି।