ଆଜିକାଲି ପର୍ଯ୍ୟଟନ କ୍ଷେତ୍ରରେ ‘ହୋମ୍‌ଷ୍ଟେ’ ଖୁବ୍‌ ଲୋକପ୍ରିୟ ହେଉଛି। ପର୍ଯ୍ୟଟକମାନେ ଘରୋଇ ପରିବେଶରେ ରହି ପ୍ରାକୃତିକ ସୌନ୍ଦର୍ଯ୍ୟ  ଉପ‌େଭାଗ କରିବା ସହିତ ସ୍ଥାନୀୟ ଅଞ୍ଚଳର ଖାଦ୍ୟପାନୀୟ ପ୍ରତି ବିଶେଷ ଆଗ୍ରହ ଦେଖାଉଛନ୍ତି। ଏଥିସହିତ ପ୍ରାକୃତିକ ପରିବେଷ୍ଟନୀରେ ରହି ବନ୍ୟଜନ୍ତୁଙ୍କ ଆଚାରବ୍ୟବହାର ଓ ସଫାରି ବିଷୟରେ ଅଭିଜ୍ଞତା ହାସଲ କରିବାକୁ ସେମାନେ ସୁଖ ମଣୁଛନ୍ତି। ବାସ୍ତବ ସଫାରି ଅଭିଜ୍ଞତା ଦେବା ଭଳି ସେମିତି କେତୋଟି ହୋମ୍‌ଷ୍ଟେ ବିଷୟରେ କିଞ୍ଚିତ୍‌ ସୂଚନା।

Advertisment

ସ୍ପଟେଡ୍‌ ଆଉଲେଟ୍‌ ହୋମ୍‌ଷ୍ଟେ:
ମହାରାଷ୍ଟ୍ରର ବୃହତ୍ତମ ବ୍ୟାଘ୍ର ସଂରକ୍ଷଣ ‘ତାଡ଼ୋବା-ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟ’ଠାରୁ ପ୍ରାୟ ଦୁଇ କିଲୋମିଟର୍‌ ଦୂରରେ ‘ଦି ସ୍ପଟେଡ୍‌ ଆଉଲେଟ୍‌ ହୋମ୍‌ଷ୍ଟେ’ ଅବସ୍ଥିତ। ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ବନ୍ୟଜନ୍ତୁପ୍ରେମୀଙ୍କ ଆରାମପ୍ରଦ ରହଣି ଲାଗି ୨୦୧୪ରେ ଏଠାରେ ହୋମ୍‌ଷ୍ଟେ ନିର୍ମାଣ କରିଥିଲେ ଅବନ୍ତିକା ଚନ୍ଦ୍ର ଓ ହଂସ ଦଲାଲ୍‌। ମୁଖ୍ୟ ଅଭୟାରଣ୍ୟ ନିକଟବର୍ତ୍ତୀ ହୋଇଥିବାରୁ ହୋମ୍‌ଷ୍ଟେ ପରିସରକୁ ଅକାଳେସକାଳେ ଅନେକ ଠେକୁଆ, ନେଉଳ, ସାପ, କଙ୍କଡ଼ାବିଛା ଓ ଗୋଧି ଆଦି ଆସିଥାଆନ୍ତି। ଏହା ବ୍ୟତିରେକେ, ସଫାରି ମଧ୍ୟକୁ ଯାଇ ପର୍ଯ୍ୟଟକମାନେ ମହାବଳ ବାଘ, କଲରାପତ୍ରିଆ, ହେଟା, ହରିଣ ଓ ସାପ ଦେଖିପାରିବେ।

ମେଳା କୋଠି:
ମଧ୍ୟପ୍ରଦେଶ ଅନ୍ତର୍ଗତ ମେଳା କୋଠି ହୋମ୍‌ଷ୍ଟେ ସ୍ଥାନୀୟ ଚମ୍ବଲ୍‌ବାସୀଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ। କାରଣ, ଏହା ଚମ୍ବଲ୍‌ର ହୃତଗୌରବ ସଂରକ୍ଷଣ କରିବା ସଙ୍ଗେ ସଙ୍ଗେ ତାହାକୁ ପର୍ଯ୍ୟଟନସ୍ଥଳୀରେ ରୂପାନ୍ତର କରିଛି। ଏଭଳି ମହତ୍‌ ଉଦ୍ଦେଶ୍ୟ ରଖି ଅତିଥି-ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ୨୦୦୭ରେ ଅନୁ ଧିଲୋଁ ସିଂହ ଓ ତାଙ୍କ ସ୍ବାମୀ ରାମପ୍ରତାପ ସିଂହ ୨୦୦ ଏକର ପରିମିତ ପୈତୃକ ଫଳବଗିଚାକୁ ସଫାରି ଲଜ୍‌ ‘ମେଳା କୋଠି’ ଭାବେ ରୂପାନ୍ତରଣ କରିଥିଲେ। ପ୍ରକୃତରେ ୧୮୯୦ରେ ସେମାନଙ୍କର ପୂର୍ବଜ ଜମିଦାର ରାୟ ସାହେବ ସୁରଜ ପାଲ୍‌ ସିଂହ ଷାଣ୍ମାସିକ ପଶୁମେଳା ଲାଗି ସେଠାରେ ଅସ୍ଥାୟୀ ଶିବିର ମେଳା କୋଠି ନିର୍ମାଣ କରିଥିଲେ। ଘଡ଼ିଆଳ କୁମ୍ଭୀର ଓ ୩୨୦ ପ୍ରଜାତି ବିଦେଶାଗତ ପକ୍ଷୀଙ୍କ ଚରାଭୂଇଁ ଭାବେ ବିବେଚିତ ‘ଚମ୍ବଲ୍‌ ଅଭୟାରଣ୍ୟ’ ପାଖ ହୋଇଥିବାରୁ କୋଠିମେଳାରେ ପର୍ଯ୍ୟଟକଙ୍କ ଗହଳି ଲାଗେ।

ସୁର୍‌ୱାହି ସୋସିଆଲ୍‌ ଇକୋ-ଇଷ୍ଟେଟ୍‌:
ମଧ୍ୟପ୍ରଦେଶର କାହ୍ନାରେ ନିର୍ମିତ ଉଦ୍ୟୋଗୀ ଅଙ୍କିତ ରସ୍ତୋଗିଙ୍କ ପ୍ରକଳ୍ପ ‘ସୁର୍‌ୱାହି ସୋସିଆଲ୍‌ ଇକୋ-ଇଷ୍ଟେଟ୍‌’ରେ ପର୍ଯ୍ୟଟକ ମାଟିଘରେ ରହିବା, ସ୍ଥାନୀୟ ସୁସ୍ବାଦୁ ବ୍ୟଞ୍ଜନ ଖାଇବା ଏବଂ ଜାତୀୟ ଉଦ୍ୟାନ ମଧ୍ୟକୁ ବୁଲିଯିବା ଭଳି ଅନୁଭୂତି ପାଇବେ। ସମ୍ପୃକ୍ତ ଅଞ୍ଚଳରେ ପର୍ଯ୍ୟଟନ ବିକାଶ ଲାଗି ଅଙ୍କିତ ଓ ତାଙ୍କ ଟିମ୍‌ ୭ ବର୍ଷ ଲାଗି ଏହାର ଡିଜାଇନ୍‌ କରିଥିଲେ। କେବଳ ହୋମ୍‌ଷ୍ଟେ ନୁହେଁ, ଅଙ୍କିତଙ୍କର ଏହି ପ୍ରକଳ୍ପ ଜୈବବିବିଧତା ଉପରେ ବି ଧ୍ୟାନ ଦେଉଛି। ଏକଦା ଏ ଅଞ୍ଚଳରେ ଉଧାଉ ନ ଥିବା ଶାଳଗଛ ରୋପଣ କରି ସେ ସଫଳ ହୋଇଛନ୍ତି। ଏଠାରେ ଅବସ୍ଥାନ କରିବା ବେଳେ ଅତିଥି-ପର୍ଯ୍ୟଟକମାନେ ବାରଶିଙ୍ଗା ହରିଣ, ବନ୍ୟ କୁକୁର ଓ ପ୍ରସିଦ୍ଧ ଭାରତୀୟ ବାଘ ଦେଖିପାରିବେ।

ଜଙ୍ଗଲ୍‌ ହଟ୍‌:
ତାମିଲନାଡୁର ମୁଦୁମଲାଈ ବ୍ୟାଘ୍ର ସଂରକ୍ଷଣ ନିକଟ ନୀଳଗିରି ପାହାଡ଼ ତଳ ଅଞ୍ଚଳ ମାସିନାଗୁଡ଼ୀଠାରେ ୨୦ ଏକର ଜମିରେ ଅବସ୍ଥିତ ହୋମ୍‌ଷ୍ଟେ ‘ଜଙ୍ଗଲ୍‌ ହଟ୍‌’ ବନ୍ୟଜନ୍ତୁପ୍ରେମୀଙ୍କ ଲାଗି ଅମରାବତୀ ସଦୃଶ। ଏଥିରେ ରହିଛି ସୁଇମିଙ୍ଗ୍‌ ପୁଲ୍‌, ରେସ୍ତୋରାଁ ଓ ଗେମ୍‌ ରୁମ୍‌ ଭଳି ସୁବିଧା। ପ୍ରତ୍ୟେକ କୋଠରିରେ ରହିଛି ନିରୋଳା ବାରଣ୍ଡା ଯେଉଁଠି ଏକାନ୍ତରେ ବସି ପର୍ଯ୍ୟଟକମାନେ ପ୍ରାକୃତିକ ଶୋଭା ଅବଲୋକନ କରିପାରିବେ। ଅରଣ୍ୟରେ ପର୍ଯ୍ୟଟକ ମହାବଳ ବାଘ, କଲରାପତ୍ରିଆ, ହାତୀ, ଗୟଳ ଆଦି ବନ୍ୟଜନ୍ତୁ ତଥା ଗାଙ୍ଗେଇ, ଭଳିକି ଭଳି କାଠହଣା ଏବଂ ଆଉ କେତେକ ପକ୍ଷୀ ଦେଖିପାରିବେ। ନିଜସ୍ବ ସମ୍ପତ୍ତିରେ ଏହି ହୋମ୍‌ଷ୍ଟେ ନିର୍ମାଣ କରି ପରିଚାଳନା କରୁଛନ୍ତି ଦମ୍ପତି ଜୋ ଏବଂ ହର୍ମାଇନ୍‌ ମ୍ୟାଥିସ୍।

ବନଘେରି ହୋମ୍‌ଷ୍ଟେ:
ବିଶ୍ବର ସବୁଠୁ ଅଧିକ ବନ୍ୟପ୍ରାଣୀ ସମୃଦ୍ଧ ଇଲାକା ଭାବେ ବିବେଚିତ ପଶ୍ଚିମବଙ୍ଗ ଅନ୍ତର୍ଗତ ସୁନ୍ଦରବନରେ ରହିଛି ‘ବନଘେରି ହୋମ୍‌ଷ୍ଟେ’। ମାତଲା ନଦୀଠାରୁ ମାତ୍ର ୧୦୦ ମିଟର ଦୂର ହେନ୍ତାଳବନ ଗହନରେ ନିର୍ମିତ ଏହି ଯାତ୍ରୀ ନିବାସରେ ରହି ଅତିଥି-ପର୍ଯ୍ୟଟକମାନେ ନିର୍ଜନ ଗ୍ରାମପଥ ଦୃଶ୍ୟ, ନଈକୂଳିଆ ପବନ ଓ ଜଳରାଶି ଦେଖି ପୁଲକିତ ହେ‌ବେ। ସେହିପରି, ବିଭିନ୍ନ ପ୍ରଜାତିର ବାଘ, ବଉଳା କୁମ୍ଭୀର ଓ ଅଜଗର ଆଦି ଜୀବଜନ୍ତୁ ଏବଂ ଇଚ୍ଛା କଲେ ବନଶି ପକାଇ ମାଛ ମାରିପାରିବେ। ଏଠାକାର ଶାନ୍ତ ପରିବେଷ୍ଟନୀରେ ସୁସ୍ବାଦୁ ଭୋଜନ ଗ୍ରହଣ କରି ପର୍ଯ୍ୟଟକ ପରିତୃପ୍ତ ‌ହୁଅନ୍ତି।

ଅରଣ୍ୟ ରିସର୍ଟ:
ହୋମ୍‌ଷ୍ଟେ ଅରଣ୍ୟ ରିସର୍ଟ ଯୋଗୁଁ ସାକାର ହୋଇଛି ପର୍ଯ୍ୟଟକଙ୍କ ନିମନ୍ତେ ଧନଜୀ ଭାଇ ପଟେଲ୍‌ଙ୍କ ପରିକଳ୍ପିତ ପରିବେଶ ଅନୁକୂଳ ରହଣିସ୍ଥଳ। ଗୁଜରାଟ ଗିର୍‌ ଅଞ୍ଚଳର ଭୋଜଦେ ଗ୍ରାମରେ ୯ ଏକର ପରିମିତ ଜମିରୁ ୩ ଏକରରେ ତିଆରି ହୋଇଛି ଏହି ରିସର୍ଟ। ବାକି ୬ ଏକରରେ ଚାଷବାସ ହେଉଛି। ବଡ଼ କଥା ହେଲା, ଏହି ରିସର୍ଟର ୭ଟିଯାକ କୁଟୀର ତିଆରି ବେଳେ ‌େଗାଟିଏ ହେଲେ ବୃକ୍ଷ ଛେଦନ କରାଯାଇ ନ ଥିଲା। ଏଠାରେ ଅବସ୍ଥାନ କାଳରେ ପର୍ଯ୍ୟଟକମାନେ ଚିତ୍ରମୃଗ, ବନ୍ୟ ବରାହ, ହନୁମାଙ୍କଡ଼, ବିଲୁଆ ଓ ଶାଳିଆପତନି ଭଳି ୩୨ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୩୦୦ ପ୍ରଜାତିର ପକ୍ଷୀ ଓ ୨୬ ପ୍ରଜାତିର ସରୀସୃପ ଦେଖିପାରିବେ।

ରେଞ୍ଜର୍ସ ଲଜ୍‌:
ଉତ୍ତରାଖଣ୍ଡର କର୍ବେଟ୍‌ ଜାତୀୟ ଅରଣ୍ୟରେ ଥିବା ଭାରତର ଏକମାତ୍ର ହୋମ୍‌ଷ୍ଟେ ବା ରିସର୍ଟ ହେଉଛି ‘ଦି ରେଞ୍ଜର୍ସ ଲଜ୍‌’। କେନିଆ ଓ ଦକ୍ଷିଣ ଆଫ୍ରିକାରେ ଥିବା ପ୍ରସିଦ୍ଧ ସଫାରି ଲଜ୍‌ ଅନୁସରଣରେ ଖ୍ୟାତନାମା ସ୍ଥପତି ଜନ୍‌ ହେ’ଙ୍କ ଦ୍ବାରା ଡିଜାଇନ୍‌ କରାଯାଇ ପର୍ବତ ଉପରେ ନିର୍ମାଣ କରାଯାଇଥିବା ରେଞ୍ଜର୍ସ ଲଜ୍‌ରେ ରହିଛି ସମସ୍ତ ଆଧୁନିକ ସୁବିଧା। ଏଠାକାର ରହଣି ସମୟରେ ପର୍ଯ୍ୟଟକମାନଙ୍କୁ ଦମ୍ପତି ଇମ୍ରାନ୍‌ ଓ କହକଶଁାଙ୍କ ଆତିଥ୍ୟ ଅଭିଭୂତ କରିପକାଇବ। ସକାଳେ ଇମ୍ରାନ୍‌ ସେମାନଙ୍କୁ କର୍ବେଟ୍‌ ସଂରକ୍ଷିତ ଅରଣ୍ୟ ବୁଲାଇ ନେବେ। ଅରଣ୍ୟରେ ବାଘ, ହାତୀ ଓ କଲରାପତ୍ରିଆ ଭଳି କାହିଁରେ କେତେ ଜୀବଜନ୍ତୁ ଦେଖି ଆସିଥିବା ପର୍ଯ୍ୟଟକମାନଙ୍କୁ କହକଶାଁଙ୍କ ଦିବ୍ୟ ଭୋଜନ ପରିତୃପ୍ତ କରିବ।

କିଙ୍ଗ୍‌ସ୍‌ ଲଜ୍‌:
ବନ୍ୟଜନ୍ତୁ ପର୍ଯ୍ୟଟନସ୍ଥଳୀ ବିକାଶ ଲାଗି ମଧ୍ୟପ୍ରଦେଶର ବାନ୍ଧବଗଡ଼ ଜାତୀୟ ଉଦ୍ୟାନ ନିକଟରେ ‘ପୁଗଡୁଙ୍ଗୀ ସଫାରି’ ଷ୍ଟାର୍ଟଅପ୍‌ର ଉଦ୍ୟୋଗୀ ମାନବ ଖଣ୍ଡୁଜା ଓ ଶ୍ୟାମେନ୍ଦ୍ର ସିଂଘାରେ ନିର୍ମାଣ କରିଛନ୍ତି ‘କିଙ୍ଗ୍‌ସ୍‌ ଲଜ୍’। ଶାଳବୃକ୍ଷ ଶୋଭିତ ଦୁଇଟି ପାହାଡ଼ ଘେରରେ ଏହି ସଫାରି ନିର୍ମାଣ ବେଳେ ମଧ୍ୟ ଗୋଟିଏ ହେଲେ ଗଛ କଟାଯାଇ ନ ଥିଲା, ଓଲଟି ହଜାର ହଜାର ପ୍ରକାରର ବୃକ୍ଷରୋପଣ କରାଯାଇଥିଲା। ନିବିଡ଼ ଅରଣ୍ୟରେ ବିଳାସମୟ ରହଣି ଲାଗି ପର୍ଯ୍ୟଟକମାନେ ଏଠାକୁ ଆସନ୍ତି। ଏକଦା ବାନ୍ଧବଗଡ଼ ଉଦ୍ୟାନ ରେବା ମହାରାଜାଙ୍କ ମୃଗୟା କ୍ଷେତ୍ର ଥିଲା। ଅନ୍ୟାନ୍ୟ ବନ୍ୟଜନ୍ତୁ ସମେତ ଏବେ ମହାବଳ ବାଘ ଦେଖିବା ଲାଗି ଏ ସ୍ଥାନ ବିଶେଷ ପ୍ରସିଦ୍ଧି ଅର୍ଜନ କରିଛି।