ଶ୍ରେଷ୍ଠ ମାସ ମାର୍ଗଶିର, ଜାଣନ୍ତୁ ଏହା ପଛର ତାତ୍ପର୍ଯ୍ୟ

ଲକ୍ଷ୍ମୀପୁରାଣ କଥା-୧

କାର୍ତ୍ତିକ ମାସ ସରିଲା। କାର୍ତ୍ତିକ ପୂର୍ଣ୍ଣିମା ଦିନ ନଦୀ, ନାଳ, ପୁଷ୍କରିଣୀ, ସମୁଦ୍ରରେ ‘ଆ-କା-ମା-ଭୈ’ ଗାଇ କେତେ ଡଙ୍ଗା ଭସା ହେଲା। ଏହି ଡଙ୍ଗାଭସା ବେଳେ ପାରମ୍ପରିକ ଭାବରେ ବୋଲାଯାଏ- “ଆ-କା-ମା-ଭୈ / ପାନ-ଗୁଆ ଥୋଇ / ପାନ-ଗୁଆ ତୋର / ମାସକ ଧରମ ମୋର।” କୁହାଯାଇଛି, ଯେ ‘ଆ-କା-ମା-ଭୈ’ର ଅର୍ଥ ହେଉଛି- ‘ଆ-କା’ ଅର୍ଥାତ୍‌, ଆଷାଢ଼-କାର୍ତ୍ତିକ ଏବଂ ‘ମା-ଭୈ’ ଅର୍ଥାତ୍‌, ଭୟ ନାହିଁ। ଏହା କୁଆଡ଼େ ଆମର ଅତୀତର ନୌ-ବାଣିଜ୍ୟର ସ୍ମୃତି। ଏହି ସମୟରେ ଆମର ସାଧବପୁଅମାନେ ନିର୍ଭୟରେ ବାଣିଜ୍ୟ ପାଇଁ ନୌଯାତ୍ରା କରୁଥିଲେ।

କିନ୍ତୁ ‘ଆ-କା-ମା-ଭୈ’ ପ୍ରକୃତ ରେ ‘ଆ-କା-ମା-ବୈ’। ଏହାର ଅର୍ଥ- ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ ଚାରିମାସ। ଏହା ପାରମ୍ପରିକ ଭାବରେ ସ୍ୱୀକୃତ ହୋଇଥିବା ଆମର ଚାରି ଧର୍ମମାସ। ହିନ୍ଦୁମାନେ ଏହି ଚାରିମାସକୁ ପୁଣ୍ୟପ୍ରଦ ବୋଲି ମନେ କରିଥାନ୍ତି। ଏହି ଚାରିମାସରେ ବ୍ରତ ପାଳନ କରି, ମାସ ଶେଷରେ, ପୂର୍ଣ୍ଣିମାରେ ଦାନ ଆଦି କରାଯାଏ। ଏହା କଲେ ପରମ ପୁଣ୍ୟ ମିଳେ। ସେ ଦୃଷ୍ଟିରୁ ଆଷାଢ଼ ପୂର୍ଣ୍ଣିମା, ମାଘ ପୂର୍ଣ୍ଣିମା ଓ ବୈଶାଖ ପୂର୍ଣ୍ଣିମା ପରି, କାର୍ତ୍ତିକ ପୂର୍ଣ୍ଣିମା ମଧ୍ୟ ପରମ ପୁଣ୍ୟପ୍ରଦ ବୋଲି ମନେ କରାଯାଇଥାଏ।

ଏହି ଧର୍ମ ଚାରିମାସ ମଧ୍ୟରେ କିନ୍ତୁ ମାର୍ଗଶିର ମାସ ନାହିଁ। ତା’ ବୋଲି ମାର୍ଗଶିର ମାସ କ’ଣ ପୁଣ୍ୟ ମାସ ନୁହେଁ?

ଆମର ଦୁଇ ପ୍ରକାରର ମାସ ଗଣନା ଅଛି। ଗୋଟିଏ ସୂର୍ଯ୍ୟଙ୍କ ଅନୁସାରେ- ‘ସୌରମାସ’ ଏବଂ ଅନ୍ୟଟି ଚନ୍ଦ୍ରଙ୍କ ଅନୁସାରେ- ‘ଚାନ୍ଦ୍ରମାସ’। ସୌରମାସ ଗଣନା ଅନୁସାରେ, ବୈଶାଖ ହେଉଛି ବର୍ଷର ପ୍ରଥମ ମାସ। ସେଥିପାଇଁ ବୈଶାଖ ସଂକ୍ରାନ୍ତି ବା ମହାବିଷୁବ, ପଣାସଂକ୍ରାନ୍ତିକୁ ଆମର ନୂଆବର୍ଷ ଭାବରେ ପାଳନ କରାଯାଇଥାଏ। ଆମର ପାଞ୍ଜି ମଧ୍ୟ ସେହିଦିନଠାରୁ ଆରମ୍ଭ ହୁଏ।

କିନ୍ତୁ ପ୍ରାଚୀନ କାଳରେ, ବୈଦିକ ମାସ ଗଣନାରେ, ମାର୍ଗଶିର ହିଁ ଥିଲା ପ୍ରଥମ ମାସ। ‘ମହାଭାରତ’ର ‘ଅନୁଶାସନ ପର୍ବ’ରେ ମଧ୍ୟ ମାର୍ଗଶିରକୁ ପ୍ରଥମ ମାସ ବୋଲି କୁହାଯାଇଛି। ‘ଶ୍ରୀମଦ୍‌ଭଗବଦ୍‌ଗୀତା’ର ‘ବିଭୂତିଯୋଗ’ରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, “ମାସାନାଂ ମାର୍ଗଶୀର୍ଷୋଽହମ୍‌” ଅର୍ଥାତ୍‌, “ମାସମାନଙ୍କ ମଧ୍ୟରେ ମୁଁ ମାର୍ଗଶିର।” ଏହା ସୂଚାଏ, ମାର୍ଗଶିର ମାସ ଶ୍ରୀକୃଷ୍ଣ ବା ଭଗବାନ ବିଷ୍ଣୁଙ୍କର ସ୍ୱରୂପ। ଏହା ମାର୍ଗଶିର ମାସର ଶ୍ରେଷ୍ଠତା ପ୍ରତିପାଦନ କରେ।

ମାର୍ଗଶିର ମାସର ଆଉ ଗୋଟିଏ ନାଆଁ ହେଉଛି- ‘ଅଗ୍ରହାୟଣ’। ‘ଅଗ୍ର’ର ଅର୍ଥ- ପ୍ରଥମ ବା ଶ୍ରେଷ୍ଠ ଏବଂ ‘ହାୟନ’ର ଅର୍ଥ- ବର୍ଷ। ମାର୍ଗଶିର ବର୍ଷର ପ୍ରଥମ ତଥା ଶ୍ରେଷ୍ଠ ମାସ ହୋଇଥିବାରୁ ଏହାର ଏପରିି ନାଆଁ ହୋଇଛି। ନବାକ୍ଷରୀ ଓଡ଼ିଆ ‘ଶ୍ରୀମଦ୍‌ଭାଗବତ’ରେ ମଧ୍ୟ କୁହାଯାଇଛି- “ଅଗ୍ରହାୟଣ ମାସନାଥ”। ଅର୍ଥାତ୍‌, ଅଗ୍ରହାୟଣ ବା ମାର୍ଗଶିର ମାସ ହେଉଛି ମାସମାନଙ୍କର ନାଥ ବା ସ୍ୱାମୀ। ‘ବାଲ୍ମୀକି ରାମାୟଣ’ ଅନୁସାରେ, ଏହା ‘ସମ୍ବତ୍ସରଭୂଷଣ’ ବା ବର୍ଷର ଅଳଙ୍କାର।

ନକ୍ଷତ୍ର ବିଚାରରେ, ଏହି ମାସର ପୂର୍ଣ୍ଣମୀରେ ଚନ୍ଦ୍ର ମୃଗଶିରା ନକ୍ଷତ୍ରରେ ଅବସ୍ଥାନ କରନ୍ତି। ସେଥିପାଇଁ ମଧ୍ୟ, ଏହାର ନାମ ମାର୍ଗଶିର।

ଭଗବାନ ବିଷ୍ଣୁଙ୍କର ବାର ମାସରେ ବାରଟି ନାଆଁ ଅଛି। ସେହି ବାରଟି ଭିନ୍ନ ଭିନ୍ନ ନାଆଁରେ ଭଗବାନ ବିଷ୍ଣୁ ବାରମାସରେ ପୂଜିତ ହୁଅନ୍ତି। କାର୍ତ୍ତିକ ମାସରେ ତାଙ୍କର ନାଆଁ ଥିଲା ‘ଦାମୋଦର’। ସେହି ଅନୁସାରେ- ‘କେଶବ’ ନାମଧାରୀ ବିଷ୍ଣୁ ମାର୍ଗଶିର ମାସର ଅଧିପତି। ପୁଣି ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ଅନୁସାରେ, କେଶବର ଅର୍ଥ ମାର୍ଗଶିର ମାସ। ଦେବୀ ଲକ୍ଷ୍ମୀଙ୍କର ପ୍ରିୟ ପୁଷ୍ପ ହେଉଛି ମଣ୍ଡାକୁସୁମ ଏବଂ ଏହି ମଣ୍ଡାକୁସୁମର ନାଆଁ ମଧ୍ୟ କେଶବ। କେଶବ ବା ମାର୍ଗଶିର ମାସ ‘ଲକ୍ଷ୍ମୀମାସ’ ଭାବରେ ମଧ୍ୟ କଥିତ ହୋଇଥାଏ। କାରଣ, ଏହି ମାସର ଗୁରୁବାରଗୁଡ଼ିକରେ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ। ଏଣୁ ଉଭୟ ‘କେଶବ-କମଳା’ ବା ‘ବିଷ୍ଣୁ-ଲକ୍ଷ୍ମୀ’ ଏହି ମାସର ଆରାଧ୍ୟ ଦେବ-ଦେବୀ। ଏଥିପାଇଁ ମଧ୍ୟ ମାର୍ଗଶିର ଶ୍ରେଷ୍ଠ ମାସ। (କ୍ରମଶଃ)

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର