ସେ ଥିଲେ ସବୁ ଥିରେ ସ୍ବତନ୍ତ୍ର। ନିଜ କାର୍ଯ୍ୟଧାରା, ତ୍ୟାଗ, ସଂଘର୍ଷ ଆଉ ପ୍ରତିକୂଳ ପରିସ୍ଥିତିରେ ମୁଣ୍ଡ ଟେକି ଛିଡା ହୋଇ ସେ ପ୍ରତିପାଦନ କରିଥିଲେ ନିଜର ଶ୍ରେଷ୍ଠତ୍ବ। ଉତ୍କଳ ଗୌରବ ମଧୁସୂଦନ ଦାସ। କାହା ପାଇଁ ସେ କୁଳବୃଦ୍ଧ ତ କାହା ପାଇଁ ମଧୁ ବାରିଷ୍ଟର, ମଧୁ ବାବୁ। ଓଡ଼ିଆ ଜାତିର ସ୍ବାଭିମାନର ପ୍ରତୀକ ଥିଲେ ମଧୁ ବାବୁ। ଉତ୍ତର ପିଢି ପାଇଁ ତାଙ୍କ ତ୍ୟାଗମୟ ଜୀବନ ଉଦାହରଣ ପାଲଟି ଯାଇଛି। ଜୀବିତାବସ୍ଥାରେ ବି ସେ ପାଲଟିଥିଲେ କିମ୍ବଦନ୍ତୀ ପୁ‌ରୁଷ। କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ୧୮୪୮ ମସିହା ଏପ୍ରିଲ ୨୮ରେ ଜନ୍ମଗ୍ରହଣ କରିଥିବା ମଧୁସୂଦନଙ୍କ ଯାତ୍ରା କଟକରୁ କଲିକତା ଆଉ ବ୍ରିଟେନ୍ ଯାଏ ପରିବ୍ୟାପ୍ତ ଥିଲା। କଲିକତା ବିଶ୍ବବିଦ୍ୟାଳୟରୁ ଏମ୍‌.ଏ. ପାସ୍‌ କରିବା ସହିତ ଏଲ୍‌.ଏଲ୍‌.ବି ପାସ୍ କରି ସେ କଲିକତାରେ କିଛି ବର୍ଷ ଓକିଲାତି କରିଥିଲେ। ତା’ପରେ କଟକ ଫେରି ୧୮୮୧ ମସିହାରେ କଟକରେ ଓକିଲାତି କରିଥିଲେ। ଓକିଲ ମହଲରେ ପ୍ରଥମେ ତାଙ୍କୁ ଅନେକ ପରିହାସର ସାମନା କରିବାକୁ ହୋଇଥିଲା। କିନ୍ତୁ ଖଣ୍ଡପଡ଼ା ରାଜା, କେନ୍ଦୁଝର ରାଜା, ଶ୍ରୀମନ୍ଦିର ପରିଚାଳନା ବିବାଦ ସଂପର୍କିତ ଜଟିଳ ମୋକଦ୍ଦମାରେ ନିଜର ଦକ୍ଷତାର ପ୍ରମାଣ ଦେଇ ସେ ନିଜକୁ ଶ୍ରେଷ୍ଠ ଆଉ ଅଦ୍ବିତୀୟ ପ୍ରମାଣିତ କରି ପାରିଥିଲେ। ସେ ଶିକ୍ଷା ପାଇବାକୁ ସଂଘର୍ଷ କରିଥିଲେ। ସେ ଶିଳ୍ପ ଗଢିବା ପାଇଁ ସଂଘର୍ଷ କରିଥିଲେ। ଓଡ଼ିଆ ଭାଷାକୁ ବଂଚାଇବାକୁ ଆଉ ଓଡ଼ିଶା ରାଜ୍ୟ ଗଠନ କରିବାକୁ ସଂଘର୍ଷ କରିଥିଲେ। ଜୀବନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାଙ୍କ ଜୀବନ ସଂଘର୍ଷମୟ ଥିଲା ସତ, ହେଲେ ସେ ସ୍ବାଭିମାନକୁ କେବେ ବଳି ଦେଇ ନଥିଲେ। ସେଇଥିପାଇଁ ସେ ଆଜି ବି ପ୍ରତ୍ୟେକ ଓଡ଼ିଆ ପ୍ରାଣର ପ୍ରଥମ ଉଚ୍ଚାରଣ....।

Advertisment

publive-image

ସମାଧିପୀଠ ପାଇବ ନୂଆ ରୂପ
ତୁଳସୀପୁରସ୍ଥିତ ଗୋରାକବର ହେଉଛି ଉତ୍କଳ ଗୌରବ ମଧୁସୂଦନଙ୍କ ଶେଷ ବିଶ୍ରାମସ୍ଥଳ। ସମାଧିପୀଠର ଉନ୍ନତିକରଣ କାମ ପୌର ନିଗମ ପକ୍ଷରୁ ଆରମ୍ଭ ହୋଇଛି। ମଧୁ ସମାଧିପୀଠ ନିକଟସ୍ଥ ୩ ହଜାର ବର୍ଗଫୁଟର ଜମିକୁ ନିଗମ ପକ୍ଷରୁ ସୌନ୍ଦର୍ଯ୍ୟୀକରଣ କରାଯିବ। ମଧୁ ସମାଧିପୀଠର ସୌନ୍ଦର୍ଯ୍ୟୀକରଣ ଓ ଗୋରା କବରର ଉନ୍ନତୀକରଣ ପାଇଁ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଫେବ୍ରୁଆରି ୪ ତାରିଖ, ମଧୁବାବୁଙ୍କ ଶ୍ରାଦ୍ଧ ଦିବସରେ ଉକ୍ତ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରାଯାଇଛି। ଆସନ୍ତା ୬ ମାସ ମଧ୍ୟରେ ସମାଧିପୀଠର ସୌନ୍ଦର୍ଯ୍ୟୀକରଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

publive-image

ସମାଧିପୀଠର ସୈାନ୍ଦର୍ଯ୍ୟୀକରଣ କାର୍ଯ୍ୟ ମଧ୍ୟରେ ପାଚେରି ଓ ନୂତନ ଗେଟ୍‌ ନିର୍ମାଣ, ୱାଟର ଫାଉଣ୍ଟେନ୍‌, ଲ୍ୟାଣ୍ତ ସ୍କେପିଙ୍ଗ, ବସିବା ପାଇଁ ବେଞ୍ଚ, ଫୁଲ ବଗିଚା, ପାନୀୟ ଜଳ ବ୍ୟବସ୍ଥା ସହ ଅତ୍ୟାଧୁନିକ ଆଲୋକୀକରଣ କାର୍ଯ୍ୟ ରହିଛି।

ଜନ୍ମପୀଠରେ ତିଆରି ହେବ ୧୫ ଫୁଟ୍‌ର ବ୍ରୋଞ୍ଜ ପ୍ରତିମୂର୍ତ୍ତି
ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠ ଓ କର୍ମଭୂମିକୁ ‘ଏକକ ସଂଗ୍ରହାଳୟ କମ୍ପ୍ଲେକ୍ସ’ ଭାବେ ବିକଶିତ କରାଯିବ। ମଧୁବାବୁଙ୍କ ଶହେ ବର୍ଷ ପୁରୁଣା ଉଭୟ ଜନ୍ମ ପୀଠ ଓ କର୍ମ କ୍ଷେତ୍ରକୁ ବିକଶିତ କରାଯାଇ ଏହି ଐତିହ୍ୟ ସ୍ଥଳ ଭାବେ ପ୍ରସ୍ତୁତ କରାଯିବ। ଜନ୍ମପୀଠ ସତ୍ୟଭାମାପୁରରେ ତିଆରି ହେବ ଉତ୍କଳ ଗୌରବଙ୍କ ୧୫ଫୁଟ ଉଚ୍ଚର ବ୍ରୋଞ୍ଜ ପ୍ରତିମୂର୍ତ୍ତି। ଲାଇଟ୍ ଓ ସାଉଣ୍ଡ ସୋ'ର ବ୍ୟବସ୍ଥା ମଧ୍ୟ କରାଯିବ। ସେଥିରେ ମଧୁବାବୁଙ୍କ ଗୌରବମୟ ଜୀବନୀ ଓ ତାଙ୍କ କୀର୍ତ୍ତିର ବ୍ୟାଖ୍ୟାନ କରାଯିବ। ଓଡ଼ିଶା ଓ ଓଡ଼ିଶା ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ବହୁ ଭାଷୀ ବ୍ୟାଖ୍ୟାନର ବ୍ୟବସ୍ଥା ରହିବ। ମଧୁ ବାବୁଙ୍କ ଜୀବନୀ ଓ ଐତିହ୍ୟ ସ୍ଥଳ ସହ ଜଡିତ ସଂପୃକ୍ତ ବ୍ୟକ୍ତିମାନଙ୍କ ସହ ଆଲୋଚନା କରାଯାଇ ଏହି ସଂଗ୍ରହାଳୟର ବିକାଶ କରାଯିବ। ସତ୍ୟଭାମାପୁରରେ ଖାଣ୍ଡେଲାଇଟ୍‌ ପଥରରେ ସ୍ୱାଗତ ତୋରଣ କରାଯିବ। ଏପ୍ରିଲ ୧ ତାରିଖ, ଓଡ଼ିଶା ଦିବସ ଦିନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି କେ ପଣ୍ଡିଆନ୍ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର ପରିଦର୍ଶନ କରି ଏଭଳି ବିକାଶର ଚିତ୍ର ଆଙ୍କିଛନ୍ତି। ଏହି ଯୋଜନା ୫-ଟିରେ କାର୍ଯ୍ୟକାରୀ କରାଯିବ। ମଧୁବାବୁଙ୍କ ଜନ୍ମପୀଠରେ ଏକ ସଂଗ୍ରହାଳୟ ମଧ୍ୟ ପ୍ରତିଷ୍ଠା କରାଯିବ। ମଧୁବାବୁଙ୍କ ଜନ୍ମ କକ୍ଷ ଓ ବିଦେଶରୁ ଫେରିବା ପ‌ରେ ରହୁଥିବା କକ୍ଷକୁ ସଂଯୋଗ କରୁଥିବା ଗଳି ରାସ୍ତାର ଉନ୍ନତି କରାଯାଇ ଏହାର ପୁନରୁଦ୍ଧାର କରାଯିବ। କୁହାଯାଏ ଯେ ମଧୁବାବୁଙ୍କ ମା ଏହି ରାସ୍ତାରେ ଯାଇ ମଧୁବାବୁଙ୍କୁ ପ୍ରତିଦିନ ଖାଦ୍ୟ ଦେଇ ଆସୁଥିଲେ।

publive-image

ବିପତ୍ତେ ମଧୁସୂଦନ...
୧୮୭୭ ମସିହା କଥା। ସେତେବେଳର ଗଜପତି ରାଜା ଦିବ୍ୟସିଂହ ଦେବ ଜଣେ ସାଧୁଙ୍କୁ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ଆଣ୍ଡାମାନ ଦ୍ବୀପରେ ଆଜୀବନ କାରାଦଣ୍ଡ କାଟିବାକୁ ପଠାଇ ଦିଆଯାଇଥିଲା। ରାଜା ଦିବ୍ୟସିଂହ ଦେବଙ୍କ ମାତା ତୁରନ୍ତ ରାଜ ପୁରୋହିତଙ୍କୁ ଡାକି ତାଙ୍କର ୫ ବର୍ଷର ନାତିଙ୍କ ରାଜ୍ୟାଭିଷେକ କରାଇବା ସହିତ ରାଜା ମୁକୁନ୍ଦ ଦେବ ନାମରେ ନାମିତ କଲେ। କିନ୍ତୁ ଏହା ବ୍ରିଟିଶ ସରକାରକୁ ସୁହାଇଲା ନାହିଁ। ସରକାର ପୁରୀ ମନ୍ଦିର ଆଇନ ଘୋ‌ଷଣା କଲେ ଏବଂ ମନ୍ଦିର ପରିଚାଳନା ବ୍ୟବସ୍ଥାକୁ ଏକ ପରିଚାଳନା କମିଟି ହାତରେ ନ୍ୟସ୍ତ କଲେ। ମହାରାଣୀ ଓ ରାଜପୁରୋହିତ ଏଭଳି ନିଷ୍ପତ୍ତିକୁ ବଦଳାଇବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ ବି ସରକାର ତାହାକୁ ଖାରଜ କରି ଦେଲେ। ଏହି ସମୟ ଭିତରେ ସରକାରଙ୍କ ପକ୍ଷରୁ ‘ରିସିଭର’ ନିଯୁକ୍ତି ସଂପର୍କିତ ଆବେଦନକୁ କୋର୍ଟ ବି ସ୍ବୀକୃତି ଦେଲେ। ଏଭଳି ସ୍ଥିତିରେ ମହାରାଣୀ ବ୍ୟକ୍ତିଗତ ଭାବେ ମଧୁସୂଦନ ଦାସଙ୍କୁ କୋଲକାତା ହାଇକୋର୍ଟରେ ତାଙ୍କ ପାଇଁ ମାମଲା ଲଢିବାକୁ ଅନୁରୋଧ କଲେ। ସରକାରଙ୍କ ଏଭଳି ନିଷ୍ପତ୍ତି ଓଡ଼ିଆ ଜାତୀୟ ଭାବଧାରାକୁ ଆଘାତ ଦେଉଥିବା ଅନୁଭବ କରି ମଧୁବାବୁ ମାମଲା ଲଢିବାକୁ ପ୍ରସ୍ତୁତ ହେଲେ। ହାଇକୋର୍ଟରେ ଲମ୍ବା ସମୟ ମାମଲା ଶୁଣାଣି ଚାଲିଲା। ଶେଷରେ ତଳ କୋର୍ଟଙ୍କ ‘ରିସିଭର୍’ ନିଯୁକ୍ତି ସଂପର୍କିତ ରାୟକୁ ହାଇକୋର୍ଟ ଖାରଜ କଲେ। ରାଜା ମୁକୁନ୍ଦ ଦେବଙ୍କ ଅଧିକାର କାଏମ ରହିଲା। ମଧୁବାବୁଙ୍କ ଏଭଳି କାର୍ଯ୍ୟ ଯୋଗୁଁ ସେତେବେଳେ ତାଙ୍କୁ କୁହାଗଲା... ବିପତ୍ତେ ମଧୁସୂଦନ (ବିପଦରେ ପ୍ରଭୁ ମଧୁସୂଦନ ଆମକୁ ସହାୟ ହୁଅନ୍ତି...)।

publive-image

କଟକ ବାର୍‌ରେ ମଧୁବାବୁଙ୍କ ଟେବୁଲ୍‌
ମଧୁବାବୁ କଟକ ବାର୍ ଆସୋସିଏସନର ସଭାପତି ଥିବା ବେଳେ କଟକଠାରେ ୧୯୧୬, ମେ’ ୧୮ରେ ପ୍ରଥମେ ପାଟନା ହାଇକୋର୍ଟର ସର୍କିଟ ବେଞ୍ଚ ବସିଥିଲା। କଟକରେ ସର୍କିଟ ବେଞ୍ଚ ପ୍ରଥମ ଥର ବସିବା ଅବସରରେ ମଧୁବାବୁ ନିଜ ଅଭିଭାଷଣରେ ଆଶା ପ୍ରକାଶ କରି କହିଥିଲେ ଯେ ଭବିଷ୍ୟତରେ ଦିନେ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ପ୍ରତିଷ୍ଠା ହେବ। ଏହି ଭବିଷ୍ୟତବାଣୀ ସତ ହୋଇଥିଲା। ୧୯୪୮ରେ ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠା ହୋଇଥିଲା। ମଧୁବାବୁ ବ୍ୟବହାର କରୁଥିବା ଟେବୁଲ ଏବେ ମଧ୍ୟ କଟକ ବାର୍ ପରିସରରେ ରହିଛି। ହାଇକୋର୍ଟ ପରିସରରେ ରହିଛି ମଧୁବାବୁଙ୍କ ପ୍ରତିମୂର୍ତ୍ତି। ଏଥି ସହିତ ହାଇକୋର୍ଟ ବାର୍ ଆସୋସିଏସନ୍ ପରିସରରେ ରହିଛି ଉତ୍କଳ ଗୌରବ ମଧୁସୂଦନ ଦାସ ପାଠାଗାର। ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ, କଟକ ବାର୍, କଟକ କ୍ରିମିନାଲ କୋର୍ଟସ୍ ବାର୍ ଆସୋସିଏସନ ପରିସରରେ ମଧ୍ୟ ମଧୁବାବୁଙ୍କ ପ୍ରତିମୂର୍ତ୍ତି ରହିଛି।

publive-image

ମ୍ୟୁଜିୟମ୍‌ ଅଫ୍ ଜଷ୍ଟିସ୍‌ରେ ମଧୁବାବୁ
ଐତିହାସିକ ବାରବାଟୀ କିଲ୍ଲା ପରିସରରେ ପ୍ରତିଷ୍ଠା କରାଯାଇଥିବା ମ୍ୟୁଜିୟମ ଅଫ୍ ଜଷ୍ଟିସ୍‌ରେ ମଧୁ ବାବୁଙ୍କ ସଂପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସ୍ଥାନ ପାଇଛି। ଶ୍ରୀଜଗନ୍ନାଥ ମନ୍ଦିରରେ ପୁରୀ ରାଜାଙ୍କ ଅଧିକାର ରକ୍ଷା କରିବା ପାଇଁ ସେ ମୋକଦ୍ଦମାରେ ପୁରୀ ରାଜାଙ୍କ ସପକ୍ଷରେ ଲଢ଼ି ବିଜୟୀ ହୋଇଥିଲେ। କଲିକତା ହାଇକୋର୍ଟରେ ଦୀର୍ଘ ଦିନର ଆଇନଗତ ଲଢେଇ ପରେ ରାୟ ପୁରୀ ରାଜାଙ୍କ ସପକ୍ଷରେ ଯାଇଥିଲା। ଏ ସଂକ୍ରାନ୍ତ ଦସ୍ତାବିଜ ରହିଛି ମ୍ୟୁଜିୟମ ଅଫ୍ ଜଷ୍ଟିସରେ। ଏହା ସହିତ ରହିଛି ମଧୁବାବୁଙ୍କର ବିଭିନ୍ନ ଫଟୋ ଓ ମଧୁବାବୁଙ୍କ ଫଟୋ ଥିବା ଡାକ ଟିକଟ।