କୋଭିଡ୍‌ ମୁକ୍ତ ହେବା ପରେ ୬ ମାସ ପ୍ରତ୍ୟେକ ଆକ୍ରାନ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। କାରଣ ଦ୍ବିତୀୟ ଲହରରେ କୋଭିଡ୍‌ ଯୋଗୁଁ ଶରୀରର ବିଭିନ୍ନ ଅଂଶ ଦୁର୍ବଳ ହୋଇଯାଉଛି। ତେଣୁ ଏହି ସମୟରେ ଖାଦ୍ୟପେୟ, ଜୀବନ ଶୈଳୀ ଆଦି ବିଭିନ୍ନ ବିଷୟକୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। କୋଭିଡ ପରର ଅନେକ ଲକ୍ଷଣକୁ ଧ୍ୟାନ ଦିଅନ୍ତୁ। କୋଭିଡରୁ ମୁକ୍ତ ହୋଇଥିବା ରୋଗୀଙ୍କୁ ଏଭଳି ଅ‌ନେକ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ରାଜ୍ୟର ବିଶିଷ୍ଟ କୋଭିଡ ରୋଗ ପରିଚାଳନା ବିଶେଷଜ୍ଞ ଡାକ୍ତର ମନୋଜ ସାହୁ।

Advertisment

ଡିସଚାର୍ଜ ପରେ ବି ସମ୍ପୂର୍ଣ୍ଣ ସୁସ୍ଥ ଭାବନ୍ତୁ ନାହିଁ
ପୋଷ୍ଟ କୋଭିଡ ଲକ୍ଷଣକୁ ଧ୍ୟାନ ଦିଅନ୍ତୁ
ଗୃହାବଦ୍ଧଙ୍କ ପ୍ରତି ରହିଛି ଅନେକ ବିପଦ

ଘରେ ସଙ୍ଗରୋଧରେ ଥିବା ବ୍ୟକ୍ତି ସୁସ୍ଥ ହେବା ପରେ କ’ଣ କରିବେ?
ପ୍ରଥମେ ଜାଣିବାକୁ ହେବ, କେଉଁମାନେ ଘରେ ସଙ୍ଗରୋଧରେ ରହୁଛନ୍ତି। ଯେଉଁମାନଙ୍କ ଲକ୍ଷଣ ନାହିଁ କିମ୍ବା ସାମାନ୍ୟ ଲକ୍ଷଣ ରହିଛି ସେମାନେ ଘରେ ରହୁଛନ୍ତି। ଯେଉଁମାନେ ବୟସ୍କ, କର୍କଟ ରୋଗ କିମ୍ବା ସେହିଭଳି ବଡ଼ ରୋଗ ଥିବ ସେମାନଙ୍କ ସାମାନ୍ୟ ଲକ୍ଷଣ ଥିଲେ ବି ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ପରାମର୍ଶ ଦିଆଯାଉଛି। ଏଭଳି ବ୍ୟକ୍ତି ଘରେ ସଙ୍ଗରୋଧରେ ରହିବାକୁ ଚାହିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତୁ। ଗୃହାବଦ୍ଧରେ କୋଭିଡ୍‌ ସୁସ୍ଥ ବ୍ୟକ୍ତି ହୁଅନ୍ତୁ କି ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବା ରୋଗୀ ହୁଅନ୍ତୁ, ସମସ୍ତଙ୍କ ପାଇଁ କୋଭିଡ ପରର ୬ମାସ ଗୁରୁତ୍ବପୂର୍ଣ୍ଣ। ଏକ ତଥ୍ୟ ଅନୁଯାୟୀ, ଯେତେ ରୋଗୀ ଭଲ ହୋଇଛନ୍ତି, ୬ ମାସ ମଧ୍ୟରେ ତାଙ୍କ ମୃତ୍ୟୁ ହାର ହେଉଛି ସାଧାରଣ ଜନସଂଖ୍ୟାଠାରୁ ୬୦ ପ୍ରତିଶତ ଅଧିକ। ତେଣୁ ଘରେ ରହିବା ପରେ ବି ରିସ୍କ ରହୁଛି। ଘରେ ସଙ୍ଗରୋଧରେ ଥିବା ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶରେ ରହିବାକୁ ହେବ।

କୋଭିଡ୍‌ ସଂକ୍ରମିତ ବ୍ୟକ୍ତି କ’ଣ କରିବା ଉଚିତ
ସଂକ୍ରମଣ ଦୁଇଟି ପର୍ଯ୍ୟାୟରେ ହୋଇଥାଏ। ଶରୀର ସଂକ୍ରମିତ ହେବା ପରେ ପ୍ରଥମ ପର୍ଯ୍ୟାୟକୁ ଭାଇରାଲ ଫେଜ କୁହାଯାଏ। ଏହି ସମୟରେ ଭୂତାଣୁ ଆମ ଶରୀରକୁ ପ୍ରବେଶ କରି ସମସ୍ୟା ସୃଷ୍ଟି କରେ। ଏହାର ଅବଧି ୭ରୁ ୧୦ ଦିନ। ଦ୍ବିତୀୟ ପର୍ଯ୍ୟାୟରେ ଭୂତାଣୁ ସଂକ୍ରମିତ କରିବା ପରେ ଶରୀରର ବିଭିନ୍ନ ଅଙ୍ଗକୁ ନଷ୍ଟ କିମ୍ବା ସଂକ୍ରମିତ କରି ଦିଏ। ଏଥିଯୋଗୁଁ ଷ୍ଟେରଏଡ ଦିଆଯାଏ। ଗୃହାବଦ୍ଧରେ ଥିବା ବ୍ୟକ୍ତି ପ୍ରଥମ ପର୍ଯ୍ୟାୟରେ ଭୂତାଣୁକୁ ଚିହ୍ନଟ କରିବାକୁ ପଡ଼ିବ ଏବଂ ଏଥିପାଇଁ ଔଷଧ ଖାଇବାକୁ ପଡ଼ିବ। ସଙ୍ଗରୋଧ ସମୟରେ ତାଙ୍କ ଲକ୍ଷଣ କେଉଁ ପଟକୁ ଯାଉଛି, ଯଥା ଜ୍ବର, ନିଃଶ୍ବାସ କଷ୍ଟ, ପଲ୍ସ ଅକ୍ସିମିଟରରେ ଅମ୍ଳଜାନ ସ୍ତର କେତେ ରହୁଛି, ଛାତି ଯନ୍ତ୍ରଣା ହେଉଛି କି, ଚେତନା ଶକ୍ତି ଅଛି କି ନାହିଁ ତାହା ଦେଖିବାକୁ ପଡ଼େ। ଲକ୍ଷଣ ଖରାପ ଆଡ଼କୁ ଯାଉଥିଲେ ତୁରନ୍ତ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ହେବ। ଲକ୍ଷଣକୁ ଚିହ୍ନି ପାରିଲେ, ଉପଯୁକ୍ତ ଚିକିତ୍ସା ହେବ। ଅକ୍ସିଜେନ କିମ୍ବା ‌େଷ୍ଟରଏଡ ଠିକ ସମୟରେ ଠିକ ଭାବରେ ଦେଲେ ହିଁ ଜୀବନ ବଞ୍ଚିଯିବ।

ଗୃହାବଦ୍ଧରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଆଉ କ’ଣ ବିପଦ ରହିଛି
ବର୍ତ୍ତମାନ ଆଉ ଏକ ବିପଜ୍ଜନକ ଦିଗ ବି ଦେଖିବାକୁ ମିଳୁଛି, ଗୃହାବଦ୍ଧରେ ଥିବା ବ୍ୟକ୍ତିଙ୍କ ନିକଟରେ ପରବର୍ତ୍ତୀ ସମୟରେ ନୂଆ ଲକ୍ଷଣ ଦେଖାଯାଉଛି। ଏହା ଶରୀରର ସବୁ ଅଙ୍ଗକୁ ସଂକ୍ରମିତ ହେଉଛି। ଅନେକ ସମୟରେ ଘରେ ସଙ୍ଗରୋଧରେ ଥିବା ବ୍ୟକ୍ତି ସୁସ୍ଥ ହେବା ପରେ କିଛି ଦିନ ପରେ ନୂତନ ଲକ୍ଷଣ ଦେଖାଯାଉଛି। ସୁସ୍ଥ ହେବା ପରେ ହୃତ୍‌ପିଣ୍ଡ, ମସ୍ତିଷ୍କରେ ସମସ୍ୟା ଆସୁଛି। ଏପରିକି ତାଙ୍କୁ ଆଇସିୟୁରେ ବି ଭର୍ତ୍ତି କରିବାକୁ ପଡ଼ୁଛି। ତେଣୁ ହୋମ୍‌ ଆଇସୋଲେସନରେ ଥିବା ବ୍ୟକ୍ତି ସୁସ୍ଥ ହେବା ପରେ ବି ସମ୍ପୂର୍ଣ୍ଣ ଆଶ୍ବସ୍ତ ନ ହୋଇ ଶରୀରର ଯତ୍ନ ନିଅନ୍ତୁ।

ଡାକ୍ତରଖାନାରୁ ରୋଗୀ ଡିସଚାର୍ଜ ପରେ କ’ଣ ଖାଇବେ, କ’ଣ କରିବେ?
ଡାକ୍ତରଖାନାରେ ଭର୍ତ୍ତି ରୋଗୀ ୧୦ ଦିନ ରହିବା ପରେ ତାଙ୍କ ଲକ୍ଷଣରେ ଉନ୍ନତି ହେଉଛି। ୭୨ଘଣ୍ଟା ଧରି ଜ୍ବର ନ ରହିଲେ ଏବଂ ରୁମ ଏୟାରରେ ଅମ୍ଳଜାନ ସ୍ତର ୯୪-୯୫ ପ୍ରତିଶତ ହେଲେ ତାଙ୍କୁ ଛାଡ଼ି ଦିଆଯାଉଛି। କିନ୍ତୁ ଡିସଚାର୍ଜ କଲେ ମଧ୍ୟ ଆମେ ଜାଣିଛୁ ଭୂତାଣୁ ତାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ କ୍ଷତି ପହଞ୍ଚାଇ ସାରିଛି। ତେଣୁ ସ୍ବାଭାବିକ ହେବାକୁ ସମୟ ଲାଗିବ। ସେଥିପାଇଁ ଗୃହାବଦ୍ଧରେ ରହି ସୁସ୍ଥ ଥିବା ବ୍ୟକ୍ତି କି ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଯାଉଥିବା ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାର ପରାମର୍ଶ ଦିଆଯାଉଛି। ଘରକୁ ଯିବା ପରେ ପ୍ରଥମତଃ ସେମାନେ ସକାରାତ୍ମକ ହୋଇ ରହିବେ। ଖାଦ୍ୟ ପ୍ରତି ଧ୍ୟାନ ଦେବେ। ଖାଦ୍ୟ ସୁରକ୍ଷିତ, ସ୍ବାସ୍ଥ୍ୟକର, ସନ୍ତୁଳିତ ହୋଇଥିବ। ରୁଟି ସହିତ ଡାଲିଜାତୀୟ ଖାଦ୍ୟ ଏବଂ ସମ୍ଭବ ହେଲେ ଛେନା, ପନିର ଖାଇବା ଦରକାର। ଆମିଷ ଭଲ ଲାଗୁଥିଲେ ମାଛ ସବୁଠାରୁ ଭଲ। ଚିକେନ ବି ଖାଇପାରିବେ। ମଟନ କିଛି ଦିନ ବ୍ୟବଧାନରେ ଖାଇବା ଉଚିତ। ଏହା ବ୍ୟତୀତ ଭିଟାମିନ୍ ଓ ମିନେରାଲ ଖାଦ୍ୟରେ ନେବାକୁ ପଡ଼ିବ। ଅସ୍ବାସ୍ଥ୍ୟକର ଖାଦ୍ୟ ଠାରୁ ଦୂରେଇ ରହିବା। ଅନ୍ୟ କୌଣସି ରୋଗ ନଥିଲେ ପ୍ରତିଦିନ ୨ରୁ୪ ଲିଟର ପାଣି ପିଇବା ଉଚିତ। ଯଥେଷ୍ଟ ପରିମାଣର ବିଶ୍ରାମ ନେବେ। ହାର୍ଟ, ଲିଭର, କିଡନି ରୋଗରେ କମ ପାଣି ପିଇବା ପାଇଁ ପରାମର୍ଶ ଦିଆଯାଏ।

କୋଭିଡ୍‌ମୁକ୍ତ ପାଇଁ ବ୍ଲାକ ଫଙ୍ଗସ୍‌ ଭଳି କେଉଁ ପ୍ରକାର ରୋଗ କେତେ ଚ୍ୟାଲେଞ୍ଜ ହୋଇଛି ?
ଯେଉଁମାନେ କୋଭିଡ୍‌ରୁ ସୁସ୍ଥ ହୋଇ ଘରକୁ ଯାଉଛନ୍ତି ବ୍ଲାକ ଫଙ୍ଗସ୍‌ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ଦେବ। ବ୍ଲାକ୍ ଫଙ୍ଗସ୍‌ ଯୋଗୁଁ ବିଶ୍ବରେ ଯେତିକି ସଂଖ୍ୟାରେ ମୃତ୍ୟୁ ହେଉଛି, ତାର ୭୧ ପ୍ରତିଶତ କେବଳ ଭାରତରେ। ଏହାକୁ ପ୍ରଥମରୁ ଚିହ୍ନି ଶରୀରକୁ ଆସିବାକୁ ବାଧା ଦେବାକୁ ପଡ଼ିବ। ବିଶେଷକରି ମଧୁମେହ ରୋଗୀ ଘରକୁ ଗଲା ପରେ ଏହାକୁ ନିୟନ୍ତ୍ରିତ କରି ରଖିବାକୁ ପଡ଼ିବ। ନିହାତି ଦରକାର ନ ପଡ଼ିଲେ ବାହାରକୁ ଯିବେ ନାହିଁ। କୋଭିଡମୁକ୍ତ ବ୍ୟକ୍ତି କରୋନା ପୂର୍ବରୁ ଯେଉଁ କାମ କରୁଥିଲେ, ତାହା କରିପାରିବେ ନାହିଁ। ଏଥିପାଇଁ ବିଭିନ୍ନ ପର୍ଯ୍ୟାୟରେ ଯିବାକୁ ହେବ। ତେବେ ସେମାନେ ଆକ୍ଟିଭ, ସକାରାତ୍ମକ ହୋଇ ରହିବେ। ଘରକୁ ଯିବା ପରେ ବି ଲକ୍ଷଣ ଉପରେ ଧ୍ୟାନ ରଖିବେ। ଅନ୍ୟପକ୍ଷରେ କରୋନା ଡିସଚାର୍ଜ ହେବା ପରେ ଅନେକ ଯୁବ ବୟସର ରୋଗୀଙ୍କୁ ହୃଦଘାତ ବା ମସ୍ତିଷ୍କାଘାତ ହେଉଥିବା ଜଣାପଡ଼ିଛି। ଲିଭର ସଂକ୍ରମିତ ହେଉଛି। ଲକ୍ଷଣ କିଭଳି ହେଉଛି ଧ୍ୟାନ ଦେବାକୁ ପଡ଼ିବ। ଯଦି ନିଶ୍ବାସ କଷ୍ଟ, ଜ୍ବର, ପେଟ ଓ ଛାତି କଷ୍ଟ, ଚେତା କମିଲା ଭଳି ଲକ୍ଷଣ ଦେଖାଦିଏ ତେବେ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ। କରୋନାରୁ ସୁସ୍ଥ ହେବା ପରେ ବି ରୋଗୀ ଅବସ୍ଥା ବିଗୁଡ଼ୁଛି, ଏପରିକି ଆଇସିୟୁର ଆବଶ୍ୟକତା ପଡ଼ୁଛି। ତେଣୁ ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା ନିଜ ଦେହ ପ୍ରତି ଯତ୍ନ ନେବାକୁ ପଡ଼ିବ। ଅଧିକ ସଚେତନ ହେବାକୁ ପଡ଼ିବ। ଡିସଚାର୍ଜ ହେବା ପରେ ବି ପ୍ରଥମ ୬ ସପ୍ତାହ ଅଧିକ ରିସ୍କ ରହିଛି। ଏହାପରେ ୬ ମାସ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ପଡ଼ିବ।

ଦ୍ବିତୀୟଥର କରୋନା ହେବାର କେତେ ଆଶଙ୍କା ରହୁଛି?
ଥରେ କରୋନାରୁ ମୁକ୍ତ ହେବା ପରେ ଆଉ ଥରେ ମଧ୍ୟ କରୋନା ହେଉଛି। ପ୍ରଥମ ଲହରରେ ସଂକ୍ରମିତ ବ୍ୟକ୍ତି ଏବେ ଆଉ ଥରେ ସଂକ୍ରମିତ ହେଉଛନ୍ତି। କିନ୍ତୁ ପୁନଃସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ୪ପ୍ରତିଶତ ରହିଛି। କରୋନା ହେବା ପରେ ଟିକା ନେଲେ ସୁରକ୍ଷା ମିଳେ; କିନ୍ତୁ ଜଣେ ପୁନଃସଂକ୍ରମିତ ହେବ ନାହିଁ ଏହା କୁହାଯାଇ ପାରିବ ନାହିଁ।

ଗୋଟିଏ ଡୋଜ ଟିକା ନେବା ପରେ କରୋନା ହେଲେ ବ୍ୟକ୍ତି ଜଣକ କେତୋଟି ଟିକା ନେବେ?
ନିକଟରେ ଜାରି ଗାଇଡଲାଇନ ଅନୁସାରେ ପ୍ରଥମ ଟିକା ନେବା ପରେ କରୋନା ହେଲେ ୩ ମାସ ପରେ ଦ୍ବିତୀୟ ଟିକା ନେବେ। କିନ୍ତୁ ଆଉ ଥରେ ଟିକା ଆରମ୍ଭ କରିବେ। ପ୍ରଥମ ଟିକା ନେବା ପରେ ପ୍ରୋଟେକ୍ସନ ମିଳେ, ଦ୍ବିତୀୟ ଟିକା ନେବା ପରେ ୮୦ରୁ ୯୦ ପ୍ରତିଶତ ସୁରକ୍ଷା ମିଳିବ। ଏହି ଭିତରେ କରୋନା ହେଲେ ଆଣ୍ଟିବଡି ତିଆରି ହେବ। ଭାରତରେ ଦୁଇଟି ଟିକା ବ୍ୟବସ୍ଥା ରହିଛି। ୟୁଏଇ ଚାଇନାର ସାଇନୋଭାଗର ଦୁଇଟି ଟିକା ନେଇଛି। ଏହାପରେ ସେମାନେ ବୁଷ୍ଟର ଡୋଜ ପରେ ତୃତୀୟ ଟିକା ନେବେ। ଫାଇଜର ନୂତନ ତଥ୍ୟ ଅନୁସାରେ, ଦୁଇଟି ଟିକା ନେବା ପରେ ଅନେକ ଦିନ ଧରି ପ୍ରୋଟେକ୍ସନ ରହୁ ନାହିଁ। ତୃତୀୟ ଟିକା ନେଲେ ପ୍ରୋଟେକ୍ସନ ରହିବ। କିନ୍ତୁ ବର୍ତ୍ତମାନ ଭାରତର ନିୟମ ଅନୁଯାୟୀ ଦୁଇଟି ଟିକା ଯଥେଷ୍ଟ।

କୋଭିଡମୁକ୍ତ ପରେ ଜଣଙ୍କୁ କୁକୁର କାମୁଡ଼ିଲେ କି ଦୁର୍ଘଟଣା ସମ୍ମୁଖୀନ ହେଲେ, ଟିକା ନେଇ ପାରିବେ କି?
କୋଭିଡ ମୁକ୍ତ ହେବା ପରେ କୁକୁର କାମୁଡ଼ିଲେ ଡାକ୍ତରଙ୍କ ପରାମର୍ଶରେ କୁକୁର କାମୁଡ଼ା କିମ୍ବା ଅନ୍ୟ ଟିକା ନେବାରେ କୌଣସି ଅସୁବିଧା ନାହିଁ। ଏହି ସମୟରେ ଅନ୍ୟ ରୋଗ ପାଇଁ ଔଷଧ ନେବାରେ ବି ଅସୁବିଧା ନାହିଁ। ଦେହ ଅସୁସ୍ଥ ହେଲେ ମେଡିକେସନରେ ବି ଅସୁବିଧା ନାହିଁ।