‘ୱାର୍କ ଫ୍ରମ୍ ହୋମ୍‌’ରେ ସଙ୍ଗରୋଧ କ୍ଳାନ୍ତି ପ୍ରତି ସାବଧାନ

ନୂଆଦିଲ୍ଲୀ : ସାଧାରଣତଃ କର୍ମଚାରୀଙ୍କ କୌଣସି ଅସୁବିଧା ଥିଲେ ସେ ନିଜ ଆଡ଼ୁ ଘ‌ରେ ରହି କାମ କରିବାକୁ ଅନୁରୋଧ କରିଥାନ୍ତି। ମାତ୍ର ଏବେ ଯେଉଁ ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା ଚାଲିଛି ତାହା କରୋନା ମହାମାରୀ ପ୍ରଭାବ ଯୋଗୁଁ ସୃଷ୍ଟି ହୋଇଛି। ଗତ ଏକ ବର୍ଷ ଭିତରେ ଏଥିରୁ ଅନେକ କିଛି ଶିକ୍ଷା ମିଳିଛି।

ୱାର୍କ ଫ୍ରମ୍ ହୋମ୍‌ରେ ନୂଆ ଉପାୟରେ କାମ ହେଉଛି। ଏଥିରେ ନେତୃତ୍ବ ନେଉଥିବା ବ୍ୟକ୍ତି ଓ ସଂସ୍ଥାର ରଣନୀତି ଅଲଗା ରହୁଛି। ଦୀର୍ଘ ଦିନ ପର୍ଯ୍ୟନ୍ତ ୱାର୍କ ଫ୍ରମ୍ ହୋମ୍‌ରେ ରହିଲେ ଉତ୍ପାଦକତା କିମ୍ବା କାର୍ଯ୍ୟ ସମ୍ପାଦନ କରିବା ବିଷୟ ସାମ୍ନାକୁ ଆସୁଛି। ଏଭଳି କ୍ଷେତ୍ରରେ ନେତୃତ୍ବ ନେଉଥିବା ବ୍ୟକ୍ତିଙ୍କୁ ନିଜର ଭାବନା ବଦଳାଇବାକୁ ପଡ଼ିବ। ଯେଉଁ ସବୁ ସକାରାତ୍ମକ ଫଳ ମିଳିଛି ତାହା ଉପରେ ମନୋନିବେଶ କରିବାକୁ ହେବ।ଯେତେ‌ବେଳେ ନିଯୁକ୍ତିଦାତାମାନେ କର୍ମଚାରୀଙ୍କୁ ପୁଣି ଥରେ କର୍ମ କ୍ଷେତ୍ରରେ ସ୍ବାଗତ କରିବାକୁ ସଜବାଜ ହେଉଛନ୍ତି ସେତେ‌ବେଳେ ଦେଖିବାକୁ ପଡ଼ିବ କାମ କରିବା ଲାଗି କେତେ ସୁବିଧା ମିଳୁଛି। ୱାର୍କ ଫ୍ରମ୍ ହୋମ୍ ମଡେଲ୍‌ରେ ରହିବା ଲାଗି ଚାହୁଥିବା କର୍ମଚାରୀଙ୍କ ଠାରୁ ସଂସ୍ଥା କ’ଣ ଆଶା କରୁଛି।

ଗୋଟିଏ ସଂସ୍ଥା ପାଇଁ କାର୍ଯ୍ୟାଳୟ କିମ୍ବା ସମ୍ପତ୍ତି ତାହାକୁ ଅନ୍ୟ ଠାରୁ ଭିନ୍ନ ଭାବେ ପ୍ରଦର୍ଶିତ କରିଥାଏ। କର୍ମଚାରୀମାନେ ଘରେ ରହି କାମ କରୁଥିବା ବେଳେ କିଛି କଂପାନି ଭଲ ପ୍ରଦର୍ଶନ କରୁଛନ୍ତି। ସେହି ସଂସ୍ଥାଗୁଡ଼ିକ ପାଖରେ ନିଜ ସମ୍ପତ୍ତିଗୁଡ଼ିକୁ ଅଲଗା ଢଙ୍ଗରେ ବ୍ୟବହାର କରିବାର ସୁଯୋଗ ରହିଛି।

ୱାର୍କ ଫ୍ରମ୍ ହୋମ୍ ଯୋଗୁଁ କଂପାନିଗୁଡ଼ିକ ଅଧିକ ପରିମାଣର ପ୍ରତିଭାବାନ କର୍ମଚାରୀ ପାଇପାରିବେ। ସେମାନେ ତୃତୀୟ ଓ ଚତୁର୍ଥ ଶ୍ରେଣୀ ସହରରୁ ପିଲାଙ୍କୁ ନିଯୁକ୍ତି ଦେଇପାରିବେ। ଏହି ସହରଗୁଡ଼ିକର ପିଲାମାନଙ୍କ ପାଇଁ ମଧ୍ୟ ବଡ଼ କଂପାନିରେ କାମ କରିବାର ସୁଯୋଗ ସୃଷ୍ଟି ହେବ।

ୱାର୍କ ଫ୍ରମ୍ ହୋମ୍ ପାଇଁ ଯେଉଁ ସବୁ ନିୟାମକ ନିୟମ ରହିଛି ତାହାକୁ ସଂସ୍ଥାଗୁଡ଼ିକୁ ପାଳନ କରିବାକୁ ପଡ଼ିବ। ଯଦି କୌଣସି କାର୍ଯ୍ୟ କାର୍ଯ୍ୟାଳୟ ଜରିଆରେ ହିଁ ସମ୍ପାଦନ କରିବା ଉଚିତ ତାହା କାର୍ଯ୍ୟାଳୟରେ ହେବା ଦରକାର।

କଂପାନି ତରଫରୁ କର୍ମଚାରୀମାନଙ୍କୁ ଘରେ ରହି କାମ କରିବା ଲାଗି କହିବା ବଦଳରେ କର୍ମଚାରୀମାନଙ୍କୁ ଏଥିରେ ନମନିୟତା ପ୍ରଦାନ କରିବାର ଆବଶ୍ୟକତା ରହିଛି। ଏଭଳି ସ୍ଥିତି ଉପୁଜିପାରେ ଯେଉଁଠାରେ କର୍ମଚାରୀ ୫ ଦିନ ଘରେ ରହି କାମ କରିବାକୁ ଚାହିବେ। ସେଭଳି ପରିସ୍ଥିତିରେ କଂପାନିଗୁଡ଼ିକୁ ନିଜର ୱାର୍କ ଫ୍ରମ୍ ହୋମ୍ ମଡେଲ୍‌ ବଦଳାଇବାକୁ ହେବ।

ମଣିଷ ହେଉଛି ସାମାଜିକ ପ୍ରାଣୀ। ଦୀର୍ଘ ଦିନ ଘରେ ରହି କାର୍ଯ୍ୟ କଲେ କର୍ମଚାରୀଙ୍କୁ ସଙ୍ଗରୋ‌ଧରେ ରହିବା ଭଳି ମନେ ହେବ। ସେ ସଙ୍ଗରୋଧ ଜନିତ କ୍ଳାନ୍ତିର ଶିକାର ହୋଇପାରନ୍ତି। ଏଭଳି ପରିସ୍ଥିତିରେ ଭର୍ଚୁଆଲ୍ ମାଧ୍ୟମରେ ଯୋଗାଯୋଗକୁ ବ୍ୟବହାର କରାଯାଇପାରେ। କିନ୍ତୁ ‌ସେଥିପାଇଁ ପ୍ରବନ୍ଧକଙ୍କୁ ଯୋଗାଯୋଗ ଦକ୍ଷତାରେ ଉନ୍ନତି ଆଣିବାକୁ ପଡ଼ିବ।

ନୂତନ ଚିନ୍ତାଧାରା ଯେଭଳି ସୃଷ୍ଟି ହୋଇପାରିବ ସେନେଇ ସଂସ୍ଥାକୁ ପରିବେଶ ସୃଷ୍ଟି କରିବାକୁ ପଡ଼ିବ। ସେଥିପାଇଁ ସହଯୋଗିତା ଜରୁରୀ।

ୱାର୍କ ଫ୍ରମ୍ ହୋମ୍‌ରେ ଥିବା କର୍ମଚାରୀଙ୍କ ଶାରୀରିକ ଓ ମାନସିକ କଲ୍ୟାଣ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ୱାର୍କ ଫ୍ରମ୍ ହୋମ୍ ଓ ଅଫିସରେ ରହି କାମ କରିବା ମଧ୍ୟରେ ରହିଥିବା ପାର୍ଥକ୍ୟ ଦୂର ହେଉଥିବାରୁ କର୍ମଚାରୀଙ୍କ କଲ୍ୟାଣ ଯେଭଳି ପ୍ରଭାବିତ ନହୁଏ ସେଥିପ୍ରତି ଗୁରୁତ୍ବ ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର