ଶ୍ରୀମଦ୍‌ ଭଗବଦ୍‌ ଗୀତା ଆମ ହିନ୍ଦୁ ଧର୍ମର ସବୁଠାରୁ ବଡ଼ ଶାସ୍ତ୍ର। ଏଥିରେ ଭଗବାନ ଶ୍ରୀକୃଷ୍ଣ ତାଙ୍କ ପ୍ରିୟ ଶଖା ଅର୍ଜୁନଙ୍କୁ ବୁଝାଇବା ଛଳରେ ପୂରା ଦୁନିଆ ପାଇଁ ଜ୍ଞାନର ଭଣ୍ଡାର ଛାଡ଼ି ଦେଇ ଯାଇଛନ୍ତି। ଭଗବାନ କୃଷ୍ଣ ଭଗବଦ୍ ଗୀତାରେ ଦେଇଥିବା ଏହି ୫ଟି ଶିକ୍ଷା ଆପଣଙ୍କୁ ମାର୍ଗଦର୍ଶନ ଦେଇପାରେ।

Advertisment

ଭଗବଦ୍ ଗୀତା କହେ ପ୍ରକୃତ ଜ୍ଞାନ ନିଜ ହୃଦୟରୁ ସୃ‌ଷ୍ଟି ହୁଏ। ତେଣୁ, ଏହା ଜରୁରୀ ଯେ ପ୍ରତ୍ୟେକ ବ୍ୟକ୍ତି ପ୍ରଥମେ ନିଜକୁ ଗଭୀର ଭାବେ ବୁଝନ୍ତୁ। ନିଜକୁ ବୁଝି ପା‌ରୁଥିବା ବ୍ୟକ୍ତି ହିଁ ଅନ୍ୟକୁ ବୁଝିପାରନ୍ତି।

ଗୀତାରେ ତ୍ୟାଗ ବିଷୟରେ ବର୍ଣ୍ଣନା କରି ଶ୍ରୀକୃଷ୍ଣ କହିଛନ୍ତି ଯେ ଜଣେ ବ୍ୟକ୍ତି  ତ୍ୟାଗ କରିବା ଦ୍ବାରା ହିଁ ଆତ୍ମସନ୍ତୋଷ ଲାଭ କରିପାରେ। ଏହାର ଅର୍ଥ ନୁହେଁ ଯେ ସେ ତାଙ୍କର ସମସ୍ତ ସମ୍ପର୍କ ତ୍ୟାଗ କରି ଚାଲିଯିବା ଉଚିତ। ଏହା ସଂପର୍କ ଉପରେ କୁପ୍ରଭାବ ପକାଇପାରେ।

କର୍ତ୍ତବ୍ୟ ମଣିଷକୁ ବଡ଼ କରିଥାଏ। ମାତା, ପିତା, ଭାଇ, ଭଉଣୀ, ବନ୍ଧୁ ପରି ବିଭିନ୍ନ ଭୂମିକାରେ ରହି ନିଜ ଦାୟିତ୍ବ ତୁଲାଇବାକୁ ଗୀତା ପରାମର୍ଶ ଦିଏ। କର୍ତ୍ତବ୍ୟରୁ ନିଜକୁ ଦୂରେଇ ରଖୁଥିବା ଲୋକ ଭୀରୁ ପଦବାଚ୍ୟ।

କର୍ମକୁ ଗୀତାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରାଯାଇଛି। ଫଳାଫଳ ବିଷୟରେ ଚିନ୍ତା ନକରି ନିଶ୍ବାର୍ଥ କର୍ମକୁ ଗୀତାରେ ଶ୍ରେୟସ୍କର ବୋଲି କୁହାଯାଇଛି। ସ୍ବାର୍ଥ ତ୍ୟାଗ କରି ପ୍ରେମରେ କରା ଯାଉଥିବା କର୍ମ ସଂପର୍କକୁ ଅଧିକ ଦୃଢ଼ କରିଥାଏ।

ଭଗବାନ ଶ୍ରୀକୃଷ୍ଣ ଗୀତାରେ ବ୍ୟାଖ୍ୟା କରିଛନ୍ତି ଯେ ଯେପରି ତୁମେ ନିଜ ପାଇଁ ଅନ୍ୟମାନଙ୍କଠାରୁ ସମ୍ମାନ ଆଶା କରୁଛ, ସେହିଭଳି ତୁମେ ସମସ୍ତଙ୍କୁ (ପଶୁ ଏବଂ ପକ୍ଷୀ ସମେତ) ମଧ୍ୟ ସମ୍ମାନ ଦେବା ଉଚିତ୍‌। ଏଥିରେ ବଡ଼ ଏବଂ ଛୋଟ ମଧ୍ୟରେ କୌଣସି ପ୍ରଭେଦ ରହିବା ଉଚିତ୍ ନୁହେଁ।