ସମଗ୍ର ଓଡ଼ିଶାରେ ଶିମିଳିପାଳ ସାଥୀ ଭାବେ ଭାନୁମିତ୍ର ଆଚାର୍ଯ୍ୟ ସୁପରିଚିତ। ୩୪ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶିମିଳିପାଳ ସୁରକ୍ଷା ଓ ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟରେ ସେ ନିଜକୁ ସମର୍ପଣ କରିଛନ୍ତି। ତାଙ୍କର ପ୍ରଗାଢ଼ ଉଦ୍ୟମ ଓ ସହଯୋଗରେ ଶିମିଳିପାଳ ‘କୋର ଏରିଆ’ରୁ ତିନିଟି ଆଦିବାସୀ ରାଜସ୍ବ ଗାଁ ଓ ଦୁଇଟି ପଡ଼ା ଗାଁ ସ୍ଥାନାନ୍ତରିତ ହୋଇପାରିଥିଲା। ଧନୁ ସୋରେନ୍‌ଙ୍କ ଭଳି ଅଖଣ୍ଡ ଶିକାର କରୁଥିବା ୪ ଜଣ ଶିକାରୀଙ୍କ ଦଳପତିଙ୍କୁ ଭାନୁମିତ୍ର ଜଙ୍ଗଲ ବିଭାଗ ନିକଟରେ ଆତ୍ମସମର୍ପଣ କରାଇଥିଲେ। ଅନେକ ଗ୍ରାମବାସୀ ଓ ଶିକାରୀଙ୍କୁ ସେ ଶିମିଳିପାଳ ସୁରକ୍ଷାରେ ସାମିଲ କରି ଅଖଣ୍ଡ ଶିକାରକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି। ୧୯୯୧ ମସିହାରୁ ଭାନୁମିତ୍ର ଆମ୍ବଡାଳି ଗାଁ ଯୁବକମାନଙ୍କୁ ନେଇ ଶିମିଳିପାଳ ସୁରକ୍ଷା ଓ ବ୍ୟାଘ୍ର ସଂରକ୍ଷଣ ଅଭିଯାନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଏହା ଅନ୍ୟାନ୍ୟ ଗାଁକୁ ବ୍ୟାପିଯାଇଥିଲା। ଭାନୁମିତ୍ର ଆଜି ବି ଏ ଅଭିଯାନ ବିଭିନ୍ନ ଗାଁ ଓ ବିଦ୍ୟାଳୟରେ ଜାରି ରଖିଛନ୍ତି।

Advertisment

ପିଲାଦିନେ ବାପା ରାମାନନ୍ଦ ଆଚାର୍ଯ୍ୟ ଭାନୁଙ୍କୁ ଶିମିଳିପାଳ ବୁଲାଇ ନେଉଥିଲେ। ଭାନୁମିତ୍ର ପିଲାଟିଦିନରୁ ଶିମିଳିପାଳ ମାୟାରେ ପଡ଼ିଗଲେ। ଅଖଣ୍ଡ ଶିକାର ବନ୍ଦ କରିବାକୁ ସେ ପ୍ରତିଜ୍ଞା କଲେ। ତାଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ତାଙ୍କୁ ଜଙ୍ଗଲ ବିଭାଗ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ରୂପେ ଦାୟିତ୍ୱ ଦେଇଥିଲା। ଭାନୁମିତ୍ର ଆଚାର୍ଯ୍ୟ କହନ୍ତି, “୨୦୧୩ ମସିହାରେ ଜଙ୍ଗଲ ମାଫିଆଙ୍କ ଚକ୍ରାନ୍ତରେ ପ୍ରାୟ ୧୦୦୦ରୁ ଅଧିକ ଶିକାରୀ ୫୦୦ରୁ ୬୦୦ ଦେଶୀ ବନ୍ଧୁକ ଓ ଧନୁତୀର ଧରି ଶିମିଳିପାଳରେ ଅଖଣ୍ଡ ଶିକାର ପାଇଁ ପଶିଲେ। ଖବର ପାଇ ଆମେ ଓ ସଶସ୍ତ୍ର ଜଙ୍ଗଲ ବିଭାଗ ପଦାଧିକାରୀ ଚଢ଼ାଉ କଲୁ। ମାତ୍ର ବନ୍ଧୁକ କାମ ନଦେବାରୁ ଆମକୁ ଶିକାରୀଗୋଷ୍ଠୀ ବନ୍ଧକ ରଖିଲେ। ସେଠାରୁ ମୁକୁଳିବା ପରେ ଏହାକୁ ନେଇ ମୁଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲି। ଜଙ୍ଗଲ ମାଫିଆଙ୍କ ପ୍ରରୋଚନାରେ  କତିପୟ  ଜଙ୍ଗଲ ଅଧିକାରୀ ଷଡ୍‌ଯନ୍ତ୍ର ରଚିଲେ। ଏକ ମିଛ ମାମଲାରେ ମୋତେ ଛନ୍ଦି ଦେଲେ। ତଦନ୍ତ ବାହାନା କରି ମୋତେ ଶିମିଳିପାଳ ସୁରକ୍ଷାରୁ ଦୂରେଇଦେବା ଯୋଜନା କଲେ। କିନ୍ତୁ ମୁଁ ମୋ ସୁରକ୍ଷା ଅଭିଯାନ ଓ ସଂରକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଲି। ମୁଁ କେବଳ ଗୋଟିଏ କଥା ପଚାରିବାକୁ ଚାହୁଛି, ୧୨ ବର୍ଷ ଧରି ଜଙ୍ଗଲ ବିଭାଗର ଗୋଟିଏ ତଦନ୍ତ କାହିଁକି ସରିପାରୁନି? ଯଦି ଏପରି ହୁଏ ତେବେ ଶିମିଳିପାଳ ସୁରକ୍ଷାରେ ଅଧିକ ଗ୍ରାମବାସୀ ସାମିଲ ହେବାକୁ ଡରିବେ।”