ୟେଜୱାନି ହୈ ଦିୱାନି ଚଳଚ୍ଚିତ୍ର ଦେଖି ପର୍ବତ ଓ ବରଫରେ ଖେଳିବାକୁ ପ୍ରେରଣା ପାଇଥିବା ଥେକାଡା ନାନଜୁଣ୍ଡା ଭବାନୀ ଗତମାସରେ ଚିଲିରେ ଅନୁଷ୍ଠିତ ଏଫ୍‌ଆଇଏସ୍‌ ଦକ୍ଷିଣ ଆମେରିକା କପ୍‌ରେ ଶେଷ ରେଖା ପାର୍‌ କଲାପରେ ଇତିହାସ ସୃଷ୍ଟି କରିଛନ୍ତି ବୋଲି ତାଙ୍କୁ ଜଣା ନଥିଲା। ମହିଳା ବର୍ଗର ୫ କିଲୋମିଟର ବ୍ୟବଧାନ ଷ୍ଟାର୍ଟ ଫ୍ରି ରେସ୍‌ରେ ଅଂଶଗ୍ରହଣ କରି ଭବାନୀ ଆଥ୍‌ଲେଟ୍‌ ଏଫ୍‌ଆଇଏସ୍‌-ସ୍ୱୀକୃତିପ୍ରାପ୍ତ କ୍ରସ୍‌-କଣ୍ଟ୍ରି ସ୍କିଇଂ ଇଭେଣ୍ଟରେ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା। କୋଡାଗୁରେ ଜନ୍ମିତ ଭବାନୀଙ୍କ ଏହି ବରଫ ଯାତ୍ରାକୁ ଏକ ଉଲ୍ଲେଖନୀୟ ଯାତ୍ରା କହିଲେ କିଛି ଭୁଲ୍‌ ହେବନାହିଁ।
ଫିଲ୍ମରୁ ତାଙ୍କ ସ୍ବପ୍ନ ବାସ୍ତବ ରୂପ ପାଇଲା ଯେତେବେ‌େଳ ସେ ଏନ୍‌ସିସିରେ ଯୋଗ ଦେଲେ ଏବଂ ୨୦୧୪ରେ ମନାଲିରେ ଏକ ପର୍ବତାରୋହଣ କ୍ୟାମ୍ପରେ ସାମିଲ ହେଲେ।

Advertisment

କୋଡାଗୁରୁ ଆସିଥିବା ଭବାନୀ ପଶ୍ଚିମଘାଟ ପର୍ବତମାଳା, ତୁଷାରପାତ ଓ ପର୍ବତ ଶିଖରର ଖୁବ୍‌ ନିକଟତର ହୋଇଥିଲେ ଏବଂ ଏକ ନୂତନ ଅନୁଭୂତି ସାଉଁଟିଥିଲେ। ଭବାନୀ କହନ୍ତି, ‘‘ଟ୍ରେକିଂ ସହିତ ଯେଉଁ ଆରମ୍ଭ ହୋଇଥିଲା ତାହା ଖୁବ୍‌ଶୀଘ୍ର ବିସ୍ତୃତ ହୋଇଗଲା। କିଛିବର୍ଷ ବ୍ୟବଧାନ ପରେ ଏଡି ଦି ଇଗଲକୁ ଦେଖିବା ପରେ ମୁଁ ଭାବିଲି ଯେ ମୁଁ ଚଢ଼ିଥିବା ପର୍ବତଗୁଡ଼ିକ ପାଇଁ ସ୍କିଇଂ ଏକ ଅତିରିକ୍ତ ଦକ୍ଷତା ହୋଇପାରେ। ଏହିପରି ଭାବେ ମୁଁ ୨୦୧୮ରେ ଆଲ୍‌ପାଇନ୍‌ ସ୍କିଇଂ ଆରମ୍ଭ କଲି।” ୨୦୧୮ ଶୀତକାଳୀନ ଅଲିମ୍ପିକ୍ସରେ ନରୱେର ମାରିଟ୍‌ ବଜର୍ଗେନ୍‌ ଦେଖିବା ପରେ କ୍ରସ୍-କଣ୍ଟ୍ରି ସ୍କିଇଂ ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା। ୨୦୨୦ରେ ଭବାନୀ ଶେଷରେ କାଶ୍ମୀରର ଜବାହାର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମାଉଣ୍ଟେନିୟରିଂରେ ସୁଯୋଗ ପାଇଲେ ଏବଂ କୌତୂହଳରେ ଆରମ୍ଭ ହୋଇଥିବା ଖେଳ ଖୁବ୍‌ଶୀଘ୍ର ତାଙ୍କ ପାଇଁ ଆହ୍ୱାନ ସୃଷ୍ଟି କଲା। 

ଭବାନୀଙ୍କ ପାଇଁ, ପ୍ରତ୍ୟେକ ପଦକ ତାଙ୍କର ବ୍ୟକ୍ତିଗତ ବିଜୟଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଏବଂ ତାଙ୍କ କ୍ରୀଡ଼ା ଓ ଦେଶର ବିଜୟ ପ୍ରତୀକ ବୋଲି ତାଙ୍କର ମତ। କ୍ରସ୍‌-କଣ୍ଟ୍ରି ସ୍କିଇଂ କ’ଣ ତାହା ଅନେକଙ୍କ ପାଖେ ପ୍ରାୟ ଅଜଣା ଏବଂ ତାଙ୍କ ଯାତ୍ରା ସମସ୍ତଙ୍କ ମନରେ ଆଗ୍ରହ ସୃଷ୍ଟି କରିପାରିବ ବୋଲି ତାଙ୍କର ଆଶା। “ମୁଁ ଭାବେ, ଯଦି ମୁଁ ୨୬ ବର୍ଷ ବୟସରେ କ୍ରସ୍‌-କଣ୍ଟ୍ରି ସ୍କିଇଂ ଆରମ୍ଭ କରିପାରିଲି ଏବଂ ଏଠାରେ ପହଞ୍ଚିପାରିଲି, ତାହେଲେ ଭାବନ୍ତୁ ଯୁବପିଢ଼ି, ପ୍ରାରମ୍ଭିକ ଏକ୍ସପୋଜର୍‌ ଓ ସୁଯୋଗ ସହିତ ଆହୁରି କେଉଁ କେଉଁ ସଫଳତା ହାସଲ କରିପାରିବେ!” ବର୍ତ୍ତମାନ ତାଙ୍କର ଐତିହାସିକ ପଦକ ଓ ଅନ୍ତର୍ଜାତୀୟ ଖ୍ୟାତି ସହିତ, ଭବାନୀ ୨୦୨୬ ଶୀତକାଳୀନ ଅଲିମ୍ପିକ୍ସ ଉପରେ ନଜର ରଖିଛନ୍ତି। ତେବେ ଭାରତରେ ଏହାର ଆହୁରି ସୁଯୋଗ ଓ ସୁବିଧା ସୃଷ୍ଟି କରାଗଲେ ଯୁବପିଢ଼ିମାନେ ଏ ଖେଳ ପ୍ରତି ଆଗ୍ରହ ଦେଖାଇବେ ବୋଲି ତାଙ୍କର ମତ।