କରୋନା ମୁକାବିଲାର ସୂତ୍ର : ଦେଶକୁ ବାଟ ଦେଖାଇଲା ‘ଭିଲ୍‌ୱାଡ଼ା’

ଭୁବନେଶ୍ବର: ଦେଶର ପ୍ରଥମ କରୋନା ହଟସ୍ପଟ୍ ହୋଇଥିଲା ରାଜସ୍ଥାନର ଜୟପୁରଠାରୁ ୨୫୦ କିମି ଦୂରରେ ଅବସ୍ଥିତ ସହର ହେଉଛି ଭିଲ୍‌ୱାଡ଼ା। ମାର୍ଚ୍ଚ ୨୬ ତାରିଖ ବେଳକୁ ଭିଲ୍‌ୱାଡ଼ାରେ ହିଁ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିରେ ୧୫ ଜଣ ଥିଲେ କେବଳ ସ୍ବାସ୍ଥ୍ୟକର୍ମୀ। ଜଣେ ଡାକ୍ତର ତାଙ୍କ ସାଉଦି ବାହୁଡ଼ା ବନ୍ଧୁମାନଙ୍କ ସହ ମିଶି କରୋନା ଆକା‌ନ୍ତ ହୋଇଥିଲେ ଓ ତାଙ୍କଠାରୁ ବାକି ୧୭ ଜଣ ସଂକ୍ରମିତ ହୋଇଥିଲା। ଏଭଳି ସଙ୍ଗୀନସ୍ଥିତିକୁ ଦେଖି ଭିଲ୍‌ୱାଡ଼ାକୁ ସିଲ୍‌ କରିଦିଆଯାଇଥିଲା ଓ ଜିଲ୍ଲା ପ୍ରଶାସନ କଟକଣାକୁ କଡ଼ାକଡ଼ି ପାଳନ କରିଥିଲେ। ଏହାପରେ ଭିଲୱାଡାକୁ ‘କନ୍‌ଣ୍ଟେନ୍‌ମେଣ୍ଟ୍‌ ଜୋନ୍‌’ ବା ସଂକ୍ରମଣ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଥିଲା। ଏହା ପରେ ଭିଲ୍‌ୱାଡ଼ାରେ ଧୀରେଧୀରେ ସଂକ୍ରମଣ କମିଥିଲା ଓ ଏପ୍ରିଲ ୧ ତାରିଖ ଆଡ଼କୁ ଆଉ ପିଜିଟିଭ୍‌ ମାମଲା ଆସି ନ ଥିଲା। ଚାରିଆଡ଼େ ଭିଲୱାଡା ମଡେଲକୁ ପ୍ରଶଂସା କରାଯିବା ସହିତ ଦେଶବ୍ୟାପୀ ଏଭଳି ଅବରୋଧ ଅଞ୍ଚଳ ବିଭିନ୍ନ ରାଜ୍ୟ ସରକାରମାନେ ଲାଗୁ କରିଥିଲେ। କେବଳ ଭିଲୱାଡାର ସଂକ୍ରମଣ ଅବରୋଧ ମଡେଲକୁ ବାଦ୍ ଦେଲେ ରାଜସ୍ଥାନ ସରକାର କୋଭିଡ ନମୁନା ପରୀକ୍ଷାକୁ ଯଥେଷ୍ଟ ଗୁରୁତ୍ବ ଦେଇଛନ୍ତି।

Hindustan Times

କଣ୍ଟାକ୍ଟ ଟ୍ରେସିଂ
ରାଜସ୍ଥାନ ସରକାରଙ୍କ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଇଥିଲା। ଜଣେ ପଜିଟିଭ୍ ବ୍ୟକ୍ତିଙ୍କ ପ୍ରାଇମେରି ଓ ସେକେଣ୍ଡାରି ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯିବା ସହିତ ଜୋରଦାର ପରୀକ୍ଷା କରାଯାଇଥିଲା। ପ୍ରଶିକ୍ଷିତ ଓ ବିଶେଷଜ୍ଞ ଡାକ୍ତରୀ ଦଳକୁ ନେଇ ସର୍ବେକ୍ଷଣ ଟିମ୍‌ ଗଠନ କରାଗଲା। ଇନ୍‌ଫ୍ଲୁଏଞ୍ଜା ଓ କୋଭିଡ୍‌-୧୯ ଲକ୍ଷଣ ଥିବା ଅସୁସ୍ଥ ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯିବା ସହ କେଉଁମାନେ ବିଦେଶ ଭ୍ରମଣ କରି ଫେରିଥିଲେ ସେମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଚିହ୍ନଟ କରିବା ପାଇଁ କୁହାଯାଇଥିଲା। କରୋନା ପଜିଟିଭ୍‌ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇଥିଲା। ଉତ୍ସର୍ଗୀକୃତ ସ୍କ୍ରିନିଂ ଓ ଟେଷ୍ଟିଂ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା।

ଅଧିକରୁ ଅଧିକ ‌ଟେଷ୍ଟିଂ
କରୋନାକୁ ହରାଇବାକୁ ହେଲେ ଅଧିକରୁ ଅଧିକ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଜରୁରୀ। ତେଣୁ ରାଜସ୍ଥାନ ସରକାର ଅଧିକ କୋଭିଡ ପରୀକ୍ଷା ଉପରେ ଗୁରୁତ୍ବ ଦେଇଛନ୍ତି। ବର୍ତ୍ତମାନ ରାଜସ୍ଥାନରେ ପ୍ରତିଦିନ ୨୫ ହଜାର କୋଭିଡ୍‌ ଟେଷ୍ଟିଂ ହେଉଥିବା ବେଳେ ଏହାକୁ ୪୦ ହଜାରକୁ ବୃଦ୍ଧି କରିବା ପାଇଁ ସରକାର ଯୋଜନା କରିଛନ୍ତି। ରାଜସ୍ଥାନରେ ପ୍ରାୟ ୫ ଲକ୍ଷ ୭୧ ହଜାରରୁ ଅଧିକ ପରୀକ୍ଷା ହୋଇଛି। ରାଜସ୍ଥାନ୍‌ର ମୋଟ ୩୩ଟି ଜିଲ୍ଲା ମଧ୍ୟରୁ ୧୬ଟି ଜିଲ୍ଲାରେ ଟେଷ୍ଟିଂ ସୁବିଧା ଉପଲବ୍ଧ ଅଛି। ଆଗକୁ ସବୁ ଜିଲ୍ଲାରେ ଏହି ସୁବିଧା ଉପଲବ୍ଧ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।

Mp Breaking News

କଣ୍ଟେନମେଣ୍ଟ ଜୋନ୍
ବୟନ ସହର କୁହାଯାଉଥିବା ଭିଲ୍‌ୱାଡାକୁ ତଥା ଜିଲ୍ଲାକୁ ସଂକ୍ରମଣ ପ୍ରତିରୋଧ ଅଞ୍ଚଳ ରୂପେ ପଦକ୍ଷେପ ନେବାରେ ଜିଲ୍ଲାପାଳ ରାଜେନ୍ଦ୍ର ଭଟ୍ଟ ଏବଂ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟସଚିବ ରୋହିତ କୁମାର ସିଂହ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତୁରନ୍ତ ସମଗ୍ର ଜିଲ୍ଲା ସୀମାକୁ ସିଲ୍‌ କରାଯାଇଥିଲା। କେବଳ ଅତ୍ୟାବଶ୍ୟକ ଜିନିଷକୁ ବାଦ୍ ଦେଲେ ଗାଡ଼ି ଚଳାଚଳକୁ ବନ୍ଦ କରି ଦିଆଯାଇଥିଲା। ରାସ୍ତା ଓ ବଜାର ସଂପୂର୍ଣ ବନ୍ଦ କରି ସହରର ସୀମାରେଖା ତୁରନ୍ତ ସିଲ୍‌ କରିଦିଆଗଲା। କରୋନା ପଜିଟିଭ୍‌ ଥିବା ମାମଲାଗୁଡ଼ିକର କ୍ଲଷ୍ଟର ମ୍ୟାପିଂ କରାଯାଇ ୬ଟି ଅଞ୍ଚଳ ଚିହ୍ନଟ କରାଯାଇଥିଲା। ସନ୍ଦିଗ୍ଧ ବ୍ୟକ୍ତିମାନଙ୍କର ନିରନ୍ତର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସ୍ବତନ୍ତ୍ର ଟିମ୍‌ ସେଠାରେ ମୁତୟନ କରାଯାଇଥିଲା।

ସମ୍ବନ୍ଧିତ ଖବର