ବ୍ୟାସଦେବକୃତ ‘ମହାଭାରତ’ର ଏକ ସମୁଜ୍ଜ୍ୱଳ ଚରିତ୍ର ପିତାମହ ଭୀଷ୍ମ। ଜୀବନ କାଳରେ ସେ ଯେମିତି ଥିଲେ ଏକ ବିସ୍ମୟକର କିଂବଦନ୍ତି, ମୃତ୍ୟୁ ପରେ ମଧ୍ୟ ସେହିପରି ଏକ ବିସ୍ମୟକର ପ୍ରତୀକ ଭାବରେ ସ୍ମରଣୀୟ। ‘ଭୀଷ୍ମକୁଣ୍ଡ’ ବା କୁରୁକ୍ଷେତ୍ରର ନରକାତଲୀ ଗ୍ରାମ ନିକଟରେ ଅବସ୍ଥିତ ‘ବନଗଙ୍ଗା’ ସେହି ପୁଣ୍ୟାତ୍ମାଙ୍କର ସ୍ମରଣୀୟ ଜୀବନର ଏକ ସ୍ମାରକୀ। ‘ମହାଭାରତ’ର ବର୍ଣ୍ଣନା ଅନୁଯାୟୀ, କୁରୁକ୍ଷେତ୍ର ଯୁଦ୍ଧର ଦଶମ ଦିନରେ ଅର୍ଜୁନଙ୍କ ଶରାଘାତରେ ସେ ଯେତେବେଳେ ଧରାଶାୟୀ ହେଲେ, ତାଙ୍କର ଶରୀରକୁ ଭେଦ କରିଥିବା ଶରମାନ ତାଙ୍କୁ ଏକ ଶରଶଯ୍ୟା ଉପରେ ଶାୟିତ କରିଦେଲା। ତାହା ଥିଲା ସୂର୍ଯ୍ୟଙ୍କର ଦକ୍ଷିଣାୟନ କାଳ। ପିତାଙ୍କ ଆଶୀର୍ବାଦରେ ଭୀଷ୍ମଙ୍କ ପାଖରେ ଥିଲା ଇଚ୍ଛାମୃତ୍ୟୁ ବର। ତେଣୁ ସେହି ଶରଶଯ୍ୟାରେ ଶୟନ କରି ସେ ଉତ୍ତରାୟଣକୁ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଲେ। ସେହି ଶୟନ କାଳରେ ଭୀଷ୍ମଙ୍କୁ ଶୋଷ ହେଲା। ସେ ଜଳପାନ କରିବାକୁ ଚାହିଁଲେ। କୌରବମାନେ ସୁବର୍ଣ୍ଣ ପାତ୍ରରେ ଜଳ ଆଣି ଉପସ୍ଥିତ ହେଲେ ମଧ୍ୟ ଭୀଷ୍ମ ତାହାକୁ ଅସ୍ୱୀକାର କରି ଅର୍ଜୁନଙ୍କୁ ଜଳଦାନ କରିବା ନିମିତ୍ତ ନିର୍ଦ୍ଦେଶ ଦେଲେ। ଅର୍ଜୁନ ପର୍ଯନ୍ୟ ଅସ୍ତ୍ର ପ୍ରୟୋଗ କରି ପାତାଳଲୋକରୁ ଭୋଗବତୀ ଗଙ୍ଗାଙ୍କ ଜଳ ଆନୟନ କରି ପିତାମହ ଭୀଷ୍ମଙ୍କର ତୃଷା ନିବାରଣ କଲେ। ଏହି ପାତାଳ-ଗଙ୍ଗା ଯେଉଁସ୍ଥାନରେ ଆବିର୍ଭୂତ ହୋଇ ଭୀଷ୍ମଙ୍କର ତୃଷା ନିବାରଣ କରିଥିଲେ, ତାହା ଆଜି ‘ଭୀଷ୍ମକୁଣ୍ଡ’ ସରୋବର ରୂପେ ପରିଚିତ। ମହାନଦୀ ସରସ୍ୱତୀଙ୍କର ତଟଦେଶରେ ଏହା ଅବସ୍ଥିତ।
ଏକଦା ମହାରାଜ କୁରୁ ତପ, ସତ୍ୟ, ଦୟା, କ୍ଷମା, ଦାନ, ଯଜ୍ଞ, ସ୍ୱଧା, ବ୍ରହ୍ମଚର୍ଯ୍ୟ ଆଦି ଅଷ୍ଟସିଦ୍ଧି ପ୍ରାପ୍ତି ନିମିତ୍ତ ସେଠାରେ ତପସ୍ୟା କରିଥିଲେ। ପ୍ରୀତ ହୋଇ ଭଗବାନ ବିଷ୍ଣୁ ସେହି ସ୍ଥାନର ନାମ ରଖିଥିଲେ ଧର୍ମକ୍ଷେତ୍ର, କୁରୁକ୍ଷେତ୍ର।
ଭୀଷ୍ମ ଯେଉଁଠାରେ ଶରଶଯ୍ୟା କରିଥିଲେ ତାହା ‘ଅନରକ ତୀର୍ଥ’ ନାମରେ ପ୍ରାଚୀନ ଶାସ୍ତ୍ରରେ ବର୍ଣ୍ଣିତ। ‘ବାମନ ପୁରାଣ’ ଅନୁସାରେ, ଏହି ତୀର୍ଥର ପୂର୍ବ ଦିଗରେ ବ୍ରହ୍ମା, ଦକ୍ଷିଣରେ ଶିବ, ପଶ୍ଚିମରେ ରୁଦ୍ରପତ୍ନୀ ଓ ଉତ୍ତରରେ ଭଗବାନ ବିଷ୍ଣୁ ନିବାସ କରନ୍ତି। କୁରୁକ୍ଷେତ୍ର ଯୁଦ୍ଧ ପରେ ଏ ସ୍ଥାନର ମହତ୍ତ୍ୱ ଦ୍ୱିଗୁଣିତ ହେଲା। କାରଣ କୁରୁକ୍ଷେତ୍ରରେ ସ୍ଥିତ ଜ୍ୟୋତିସାର ସରୋବର ଯେପରି ‘ଗୀତା’ର ଜନ୍ମସ୍ଥାନ ଭାବରେ ପ୍ରସିଦ୍ଧ, ଭୀଷ୍ମକୁଣ୍ଡ ମଧ୍ୟ ସେହିପରି ‘ମହାଭାରତ’ର ‘ଅନୁଶାସନ ପର୍ବ’ର ଜନ୍ମଭୂମି ଭାବରେ ମହତ୍ତ୍ୱପୂର୍ଣ୍ଣ। ଯୁଦ୍ଧର ସମାପ୍ତି ପରେ ଯୁଧିଷ୍ଠିର ସିଂହାସନ ଆରୋହଣ କଲେ। ତା’ ପରେ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ସେ ସେଠାକୁ ଆସି ଭୀଷ୍ମଙ୍କଠାରୁ ରାଜଧର୍ମ ଏବଂ ଅନୁଶାସନ ଶିକ୍ଷା କରିଥିଲେ। ଭୀଷ୍ମଙ୍କ ମୁଖନିଃସୃତ ସେହି ଉପଦେଶ ଶ୍ରବଣ ନିମିତ୍ତ ପାଣ୍ଡବମାନଙ୍କ ବ୍ୟତୀତ, ଅସିତ, ଦେବଳ ଓ ବ୍ୟାସଙ୍କ ପରି ମହର୍ଷିମାନେ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ। ମହାତ୍ମା ଭୀଷ୍ମଙ୍କ ପ୍ରଦତ୍ତ ସେହି ଅପୂର୍ବ ଉପଦେଶ ସଂକଳନ ଫଳରେ ‘ମହାଭାରତ’ ବିଶ୍ୱର ଅମୂଲ୍ୟ ବାଙ୍ମୟ ନିଧିରେ ପରିଣତ ହୋଇଛି। ଏକଦା ମହାରାଜ କୁରୁ ତପ, ସତ୍ୟ, ଦୟା, କ୍ଷମା, ଦାନ, ଯଜ୍ଞ, ସ୍ୱଧା, ବ୍ରହ୍ମଚର୍ଯ୍ୟ ଆଦି ଅଷ୍ଟସିଦ୍ଧି ପ୍ରାପ୍ତି ନିମିତ୍ତ ସେଠାରେ ତପସ୍ୟା କରିଥିଲେ। ପ୍ରୀତ ହୋଇ ଭଗବାନ ବିଷ୍ଣୁ ସେହି ସ୍ଥାନର ନାମ ରଖିଥିଲେ ଧର୍ମକ୍ଷେତ୍ର, କୁରୁକ୍ଷେତ୍ର। ପରବର୍ତ୍ତୀ କାଳରେ ଭଗବାନ କୃଷ୍ଣଙ୍କ ମୁଖନିଃସୃତ ‘ଶ୍ରୀମଦ୍ଭଗବଦ୍ଗୀତା’ ଓ ଭୀଷ୍ମଙ୍କ ‘ଅନୁଶାସନ’ ତାହାକୁ ପ୍ରକୃଷ୍ଟ ଧର୍ମକ୍ଷେତ୍ରରେ ପରିଣତ କରିଛି।