ହାପୁର୍: ଦେଉଳ ତୋଳୁଥିବା ଲୋକମାନଙ୍କୁ ମହାତ୍ମା ବା ଶାନ୍ତିଦୂତ ବୋଲି ସମ୍ମାନ ଦିଆଯାଏ। ରାକ୍ଷସଟାଏ ବା ଭୂତଟାଏ ମନ୍ଦିର ତୋଳିଥିବା କ୍ୱଚିତ୍ ଶୁଣିବାକୁ ମିଳେ। କିନ୍ତୁ, ହାପୁର ଅନ୍ତର୍ଗତ ଦତିୟାନା ଗାଁ’ର ସିମ୍ଭାଓଲିର ଶିବାଳୟ ଏକ ବ୍ୟତିକ୍ରମ।
ସ୍ଥାନୀୟ ଅଞ୍ଚଳରେ ‘ଭୂତୋଁଓ୍ଵାଲା ମନ୍ଦିର’ ଭାବେ ପରିଚିତ ଏହି ମନ୍ଦିର ରାତାରାତି ଭୂତମାନେ ତୋଳିଥିଲେ ବୋଲି କିଂବଦନ୍ତି କହେ। ଇଟା ଯୋଡ଼ାଇ ପାଇଁ ସିମେଣ୍ଟ୍ ବ୍ୟବହୃତ ହୋଇ ନ ଥିବା ପ୍ରାୟ ପୂର୍ଣ୍ଣରୂୂପେ ନାଲି ଇଟାରେ ନିର୍ମିତ ଏହି ମନ୍ଦିରଟି ହଜାର ବର୍ଷର ପୁରୁଣା ହେଲେ ମଧ୍ୟ ଜଳବାୟୁ ଜନିତ କୌଣସି କ୍ଷୟକ୍ଷତି ଏହାକୁ ସ୍ପର୍ଶ କରିପାରି ନାହିଁ।
କେବଳ ଦେଉଳ ଚୂଡ଼ାରେ ଶିଉଳି ଜମି ଯାଇଥିଲା। କ୍ଷତିଗ୍ରସ୍ତ ହୋଇଥିବା ଶିଖରକୁ ପରବର୍ତ୍ତୀ ସମୟରେ ସିମେଣ୍ଟ୍ ଯୋଗେ ମରାମତି କରାଯାଇଥିବାରୁ ଏବଂ ଏହାକୁ ଭୂତମାନେ ନ କରିଥିବାରୁ ସେଥିରେ ଶିଉଳି ଜମିଥିଲା ବୋଲି ଗ୍ରାମବାସୀମାନେ କହନ୍ତି।
ରାତାରାତି ଭୂତମାନେ ଏହାକୁ ଗଢ଼ିଛନ୍ତି; ନିଜେ ଦେଖିପାରିବେ କେବଳ ଶିଖର ବା ଚୂଡ଼ା ବ୍ୟତିରେକେ ସମୁଦାୟ ମନ୍ଦିରଟି ନାଲି ଇଟାରେ ତିଆରି। ସୂର୍ଯ୍ୟ ଉଇଁବାରୁ ଭୂତମାନେ ଦେଉଳ ତୋଳା ଛାଡ଼ି ଚାଲିଯାଇଥିଲେ। ପରେ ଗ୍ରାମବାସୀମାନେ ଶିଖର ନିର୍ମାଣ ସମାପନ କରିଥିଲେ। ବାସ୍ତବରେ ୧୯୮୦ ମସିହାରେ ଶିଖରରେ ଫାଟ ସୃଷ୍ଟି ହୋଇଥିଲା ଏବଂ ତାହାକୁ ପୁନର୍ନିମାଣ କରିବାକୁ ପଡ଼ିଥିଲା ବୋଲି କହନ୍ତି ମନ୍ଦିରର ଚତୁର୍ଥ ପିଢ଼ିର ପୁରୋହିତ ରାକେଶ କୁମାର ଗୋସ୍ୱାମୀ।
‘ଭୂତୋଁଓ୍ଵାଲା ମନ୍ଦିର’ କ’ଣ ଗାଁ’ର କୌଣସି ଅହିତ କରେ? ଗ୍ରାମବାସୀଏ କହନ୍ତି ଗାଁ’ରେ ସବାର ହେବା ଅପେକ୍ଷା ମନ୍ଦିର ମରୁଡ଼ି, ବନ୍ୟା, କୁଆପଥର ବୃଷ୍ଟି ଆଦି ଯେ କୌଣସି ପ୍ରକାର ବିପତ୍ତିରୁ ରକ୍ଷା କରୁଛି। କୁଳଭୂଷଣ ତ୍ୟାଗୀ ନାମଧ୍ୟେୟ ଜଣେ କୃଷକ ଗ୍ରାମବାସୀ କହନ୍ତି: ଏ ବର୍ଷ ମୌସୁମିରେ ଉତ୍ତର ଭାରତର ଚାଷୀମାନେ କୁଆପଥର ଏବଂ ଭୀଷଣ ବୃଷ୍ଟି ଯୋଗୁଁ ପ୍ରବଳ କ୍ଷତି ସହିଥିବାବେଳେ ଆମ ବିଲ ଅକ୍ଷତ ରହିଥିଲା। ପଡ଼ୋଶୀ ଗାଁ’ରେ ଥିବା ମୋର ସାଙ୍ଗ ଚାଷୀମାନେ ଜୀବନ ହାରିଲେ। କିନ୍ତୁ, ଆମ ଗାଁ’ରେ କୁଆପଥର ପଡ଼ିଲା ନାହିଁ କି, ପ୍ରବଳ ବର୍ଷା ହେଲାନାହିଁ। ବିଲରେ ଠିଆ ଆମ ଫସଲ ଏମିତି କୌଣସି ଦୁର୍ବିପାକ ଭୋଗି ନାହିଁ। ଧନ୍ୟ କହିବ ମନ୍ଦିରକୁ। ସବୁ ସମୟରେ ତାହା ଆମକୁ ଅଭୟ ଦେଉଛି।
ନିକଟରେ ମନ୍ଦିରର ପ୍ରବେଶ ପଥ ସାମନ୍ୟ ସିମେଣ୍ଟ୍ ସହାୟତାରେ ଶଙ୍ଖମର୍ମର ଆବୃତ କରାଯାଇଛି। ନଷ୍ଟ ହୋଇଯାଇଥିବା ମନ୍ଦିରର ଶିଖର ନିର୍ମାଣ କରିବାକୁ ରାଜମିସ୍ତ୍ରୀମାନେ ଉପରେ ଚଢ଼ିବାବେଳେ ବିନା ସିମେଣ୍ଟ୍ରେ କେବଳ ଇଟାରେ ଖଞ୍ଜାଯାଇ ତିଆରି ମନ୍ଦିରକୁ ଦେଖି ଭୁଶୁଡ଼ି ପଡ଼ିବା ଭୟରେ ଛାନିଆ ହୋଇଯାଇଥିଲେ।
ମନ୍ଦିରର ଧାର୍ମିକ ମୂଲ୍ୟବୋଧ ସମ୍ବନ୍ଧରେ ୬୨ ବର୍ଷିୟ ଗ୍ରାମବାସୀ ରାମ ପାଲ୍ ସିଂହ କହନ୍ତି: ଭୂତଙ୍କ ଦ୍ୱାରା ତୋଳା ହେବା ବ୍ୟତିରେକେ ଏହି ମନ୍ଦିରରେ ୪ଟି ଧର୍ମର ଧାର୍ମିକ ମୂଲ୍ୟବୋଧ ରହିଛି। ସେଠାରେ ଅଛି ଖ୍ରୀଷ୍ଟଙ୍କର କ୍ରସ୍, ମସ୍ଜିଦ୍ର ଗମ୍ବୁଜ, ଗୁରୁଦ୍ୱାର ଆଦିର ଇଟା ନିର୍ମିତ ସଙ୍କେତ। ତେଣୁ ଏଠାରେ ବସବାସ କରୁଥିବା ସବୁ ସମ୍ପ୍ରଦାୟ ପାଇଁ ଏହାର ଗୁରୁତ୍ୱ ରହିଛି।
ଭୂତ ନିର୍ମାଣ କରିଛନ୍ତି ବୋଲି ଲୋକବିଶ୍ୱାସ ଚଳୁଥିଲେ ମଧ୍ୟ ଐତିହାସିକମାନେ କହନ୍ତି ଏହା ଏକ ଗୁଜବ। ଏହା ତୃତୀୟ ଶତାବ୍ଦୀରେ ଗୁପ୍ତବଂଶ ଦ୍ୱାରା ନିର୍ମିତ ବୋଲି ସେମାନଙ୍କ ମତ।