ହିମାଚଳ ପ୍ରଦେଶର କୁଲୁ ଜିଲାରେ, ସମୁଦ୍ର ପତ୍ତନଠାରୁ ପ୍ରାୟ ୪୩୦୦ ମିଟର ଉଚ୍ଚରେ ଭୃଗୁ ସରୋବର ଅବସ୍ଥିତ। ଏହାର ଜଳରାଶି ସ୍ବଚ୍ଛ। ହିମାଚଳ ପ୍ରଦେଶ ଏକ ପର୍ବତ ଓ ଉପତ୍ୟକାର ରାଜ୍ୟ। ବିସ୍ତୃତ ସରୋବର ମାନ ଏହାର ଶୋଭାବର୍ଦ୍ଧନ କରେ। ଅଧିକାଂଶ ସରୋବରର ଜଳକୁ ପବିତ୍ର ଜଳର ମର୍ଯ୍ୟାଦା ଦିଆଯାଇଥାଏ। ତୀର୍ଥଯାତ୍ରୀମାନେ ସରୋବର ଜଳରେ ପବିତ୍ର ସ୍ନାନ କରିଥାନ୍ତି। ଏହିପରି ଏକ ତୀର୍ଥକ୍ଷେତ୍ର ହେଉଛି ଭୃଗୁ ସରୋବର।
କିଂବଦନ୍ତି ଅନୁସାରେ, ଏହି ସରୋବର ନିକଟରେ ବେଦବର୍ଣ୍ଣିତ ଆଦିମୁନି ମହର୍ଷି ଭୃଗୁଙ୍କର ଆଶ୍ରମ ଥିଲା। ମହର୍ଷି ଏହି ସରୋବରରେ ପ୍ରତ୍ୟହ ସ୍ନାନ କରୁଥିଲେ। ତାଙ୍କର ପବିତ୍ର ତପଶ୍ଚର୍ଯ୍ୟା ଏହି ସରୋବର ସହିତ ଏହାର ଆଖପାଖ ଅଞ୍ଚଳକୁ ଏକ ପବିତ୍ର ସ୍ଥାନରେ ପରିଣତ କରିଛି। ଭୃଗୁ ସରୋବର ନିକଟ ସୁଗୋଲାପ ଗ୍ରାମର ଅଧିବାସୀମାନେ କହନ୍ତି, ଚତୁଃପାର୍ଶ୍ବରେ ବରଫ ଆଚ୍ଛାଦିତ ଉତ୍ତୁଙ୍ଗ ପର୍ବତଶ୍ରେଣୀ ଏବଂ ତଳେ ବିରାଟ ଓ ବିସ୍ତୃତ ବରଫ ଚଟାଣମାନ ରହିଥିଲେ ମଧ୍ୟ ଏହି ସରୋବରର ଜଳ କେବେ ବି ବରଫ ପାଲଟେ ନାହିଁ। ଏହା ହିଁ ଏହି ସରୋବରର ବିଶେଷତ୍ବ। ଏହାକୁ ମହର୍ଷି ଭୃଗୁଙ୍କର ତପସ୍ୟାର ପ୍ରଭାବ ବୋଲି କୁହାଯାଏ। ବଡ଼କଥା ହେଉଛି, ଏହି ସରୋବରର ତୀରଦେଶରେ ବଡ଼ ବଡ଼ ଫଳବଗିଚାମାନ ଅଛି। ଏହା ଜୀବଜଗତକୁ ମହର୍ଷି ଭୃଗୁଙ୍କର ଅବଦାନ ବୋଲି ବିଶ୍ବାସ କରାଯାଏ।
ପୁରାଣର ବର୍ଣ୍ଣନା ଅନୁସାରେ, ମହର୍ଷି ଭୃଗୁ ଥିଲେ ମା’ ଲକ୍ଷ୍ମୀଦେବୀଙ୍କର ପିତା। ତେଣୁ ଲକ୍ଷ୍ମୀଙ୍କୁ ‘ଭାର୍ଗବୀ’ କୁହାଯାଏ। ପ୍ରଜାପିତା ବ୍ରହ୍ମା ପ୍ରଜାସୃଷ୍ଟି କରିବା ନିମିତ୍ତ ପ୍ରଜାପତିମାନଙ୍କୁ ସୃଷ୍ଟି କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ପ୍ରଜାସୃଷ୍ଟି କରିବା ବେଳେ ଆଉ କେତେକ ତପଶ୍ଚର୍ଯ୍ୟାରେ ବ୍ୟସ୍ତ ରହିଲେ। କିନ୍ତୁ ମହର୍ଷି ଭୃଗୁ ତପସ୍ୟା ସହିତ ଜନକଲ୍ୟାଣ ନିମିତ୍ତ ନିଜକୁ ଉତ୍ସର୍ଗ କରିଥିଲେ। ସେ ତପସ୍ୟା ପାଇଁ ହିମାଳୟକୁ ଯିବା ସମୟରେ ଦେଖିଲେ, ମନୁଷ୍ୟମାନେ ପଶୁମାଂସ ଓ ବନ୍ୟଜାତ ଫଳ ମୂଳ ଖାଇ ଜୀବନଧାରଣ କରୁଛନ୍ତି। ଯେତେବେଳେ କିଛି ନ ମିଳୁଛି କ୍ଷୁଧାତୃଷାରେ ଆତୁର ହେଉଛନ୍ତି। ଅଥଚ ନିଜ ସମ୍ମୁଖରେ ଯେଉଁ ଉର୍ବରା ପୃଥିବୀ ରହିଛି ସେଥିରୁ ଖାଦ୍ୟ ଉତ୍ପାଦନ କରିବାର କୌଣସି ପ୍ରଚେଷ୍ଟା କରୁ ନାହାନ୍ତି। ତେଣୁ ମହର୍ଷି ତାଙ୍କର ପିତା ବରୁଣଦେବଙ୍କଠାରୁ କୃଷିକର୍ମ ଶିକ୍ଷା କରି ଅନ୍ୟମାନଙ୍କୁ ଶିକ୍ଷା ଦେଲେ। ଫଳରେ ଜନସମାଜ ଏକ ସୁସ୍ଥିର ଜୀବନଯାପନ କରିବାକୁ ସମର୍ଥ ହେଲା। ସଭ୍ୟତା ଓ ସଂସ୍କୃତିର ବୀଜ ବପିତ ହେଲା। ସାମାଜିକ ଜୀବନର ଭିତ୍ତିଭୂମି ସ୍ଥାପିତ ହେଲା। ସାମାଜିକ ଜୀବନକୁ ସୁସଂସ୍କୃତ କରିବାକୁ ଏହି ଭବିଷ୍ୟବକ୍ତା ରଚନା କଲେ ମହାନଗ୍ରନ୍ଥ ‘ଭୃଗୁସଂହିତା’।
ଏକଦା ମୁନି-ଋଷିମାନଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହେଲା ଯେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କ ମଧ୍ୟରୁ ଶ୍ରେଷ୍ଠ କିଏ? ନିଜ ବୁଦ୍ଧିମତ୍ତାର ପରିଚୟ ଦେଇ ଭୃଗୁ ପ୍ରମାଣ କରିଥିଲେ ଯେ ବିଷ୍ଣୁ ହିଁ ଶ୍ରେଷ୍ଠ। କାରଣ ସେ ହିଁ ଗୁଣାତୀତ ଓ ଭୌତିକ ପ୍ରକୃତିର ବହୁ ଊର୍ଦ୍ଧ୍ବରେ। କ୍ରୋଧ, ହିଂସା ବା ଅହଂକାର ତାଙ୍କୁ ଛୁଇଁ ପାରେ ନାହିଁ। ମହର୍ଷି ଭୃଗୁଙ୍କର ଜନ୍ମ ବ୍ରହ୍ମଲୋକର ମୂଷାନଗରରେ ହୋଇଥିଲା। ସେ ଥିଲେ ବ୍ରହ୍ମାଙ୍କ ପୁତ୍ର। ତାଙ୍କର ଥିଲେ ତିନି ପତ୍ନୀ- ଯେଉଁମାନେ ଦେବ-ଦାନବ ଓ ଦୈତ୍ୟ ସଭ୍ୟତାରୁ ଆସିଥିଲେ। ସେ ଥିଲେ ତିନି ସଭ୍ୟତାର ମିଳନ ବିନ୍ଦୁ। ତାଙ୍କର ବଂଶରେ ଭଗବାନ ବିଷ୍ଣୁଙ୍କର ଷଷ୍ଠ ଅବତାର ଭଗବାନ ପର୍ଶୁରାମ ଜନ୍ମଗ୍ରହଣ କରିଥିଲେ। ଏବଂ ଭୃଗୁ ପତ୍ନୀଙ୍କ ନିମିତ୍ତ ଭଗବାନ ବିଷ୍ଣୁ ବାରମ୍ବାର ମର୍ତ୍ତ୍ୟଲୋକରେ ଜନ୍ମ ଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/28/vfL6oYBfYJBO3Tlvl05q.jpg)