ସହରର ନୂଆ ପରିଚୟ : ଘଞ୍ଚ ଜଙ୍ଗଲରୁ କଂକ୍ରିଟ ଜଙ୍ଗଲ

ଦିନ ଥିଲା ଜଙ୍ଗଲାଚ୍ଛନ୍ନ ଖଣ୍ଡଗିରି ଅଞ୍ଚଳରେ ଥିବା ଘର ନିକଟକୁ ବାଘ ଚାଲି ଆସୁଥିଲା। ଇତିହାସର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ଖଣ୍ଡଗିରି-ଉଦୟଗିରି ଯମଜ ପାହାଡ଼ ନିକଟକୁ ଯାଉଥିବା ଲୋକଙ୍କୁ ଦିନ ୪ଟା ବାଜିବା ପୂର୍ବରୁ ଫେରି ଆସିବାକୁ କୁହାଯାଉଥିଲା। ଯଦି କେହି ଦୁର୍ଭାଗ୍ୟବଶତଃ ଟିକେ ମୁହଁ ଅନ୍ଧାର ହେବା ଯାଏଁ ରହିଯାଉଥିଲା ତେବେ କଥା ସରିଲା। ବାଜା ବଜେଇ ନିଆଁ ହୁଳା ନେଇ ଗାଁ ଲୋକେ ତାକୁ ଆଣିବାକୁ ଯାଉଥିଲେ ବୋଲି କହିଛନ୍ତି ଖଣ୍ଡଗିରିକୁ ନେଇ ‘ନିଶାର୍ଦ୍ଧ ଶାଳଭଞ୍ଜିକା’ ପୁସ୍ତକ ରଚନା କରିଥିବା ଡାକ୍ତର ଇନ୍ଦ୍ରମଣି ଜେନା। ତାଙ୍କ କହିବା ମୁତାବକ, ସମଗ୍ର ଅଞ୍ଚଳ ବର, ଓସ୍ତ, ପଣସ, ଆମ୍ବ, କୋଚିଲା ଗଛରେ ଭରପୂର ଥିଲା। ଏପରିକି ଆଜି ଭଳି ଖଣ୍ଡଗିରିରୁ ରସୁଲଗଡ଼ଯାଏଁ ଯିବାକୁ ବି ରାସ୍ତା ନଥିଲା। କୁଆଡ଼େ ଯିବା ପାଇଁ ହେଲେ ଲୋକେ ଗଣ୍ଡମୁଣ୍ଡା- ଆଜିର ଏୟାରପୋର୍ଟ ଛକ ଦେଇ ଯାଇଥିବା ନାଲିମାଟି ରାସ୍ତାରେ ଯା-ଆସ କରିବାକୁ ହେଉଥିଲା। କାଳକ୍ରମେ ଜଙ୍ଗଲରେ ପରିପୂର୍ଣ୍ଣ ଏହି ଅଞ୍ଚଳରେ ନୂଆ କଲୋନି ଗଢ଼ି ଉଠିଲା।

ଖଣ୍ଡଗିରି ଓ ଉଦୟଗିରି ଭଳି ଐତିହ୍ୟ ପାଇଁ ଖ୍ୟାତି ଅର୍ଜନ କରିଥିବା ଖଣ୍ଡଗିରି ସହରର ଶେଷ ମୁଣ୍ଡରେ ଥିବାରୁ ଏଠାରେ ଧୀରେଧୀରେ ଜନବସତି ବୃଦ୍ଧି ପାଇଲା। ଷାଠିଏ ଦଶକରେ ଖଣ୍ଡଗିରି ତଳସାହି ଓ ଉପରସାହିରେ ପାଖାପାଖି ୧୭୦ ପରିବାର ରହୁଥିବା ବେଳେ ଆଜି କେବଳ ଏହି ନିର୍ଦିଷ୍ଟ ଅଞ୍ଚଳରେ ୫ହଜାରରୁ ଅଧିକ ପରିବାର ବସବାସ କରୁଛନ୍ତି। ସତ୍ୟସାଇ ଏନ୍‌କ୍ଲେଭ୍‌, ଏଚ୍‌ଆଇଜି କ‌େଲାନି, କଳିଙ୍ଗନଗର ଭଳି ଜନବସତି ସ୍ଥାପନ ପରେ ବହୁ ଜଙ୍ଗଲ ବଳିପଡ଼ିଛି। ଏପରିକି ଆଖପାଖ ଅଞ୍ଚଳ ତଥା ମଳିପଡ଼ା, ଗୋଠପାଟଣା, ଘଙ୍ଗାପାଟଣା, ଦେଉଳିଆପାଟଣା, ପାଇକରାପୁର ଆଦି ଅଞ୍ଚଳ ଗ୍ରାମ୍ୟ ଜଙ୍ଗଲରେ ଭରପୂର ଥିଲେ ହେଁ ଏହା ଜନବସତିକୁ ରୂପାନ୍ତରିତ ହୋଇଛି। କିଛି ଜଙ୍ଗଲ କାଜୁ ନିଗମର ଥିଲେ ହେଁ ସେଗୁଡ଼ିକ ବି କାଳକ୍ରମେ ହ୍ରାସ ପାଇଛି। ସେଠାରେ ଥିବା ଏକ ପଙ୍କୁଆ ଜାଗାରେ କସମୋପଲିସ ଭଳି ବିଶାଳ ଆପାର୍ଟମେଣ୍ଟ୍‌ ଛିଡ଼ା ହୋଇଥିବା ବେଳେ ବହୁ ଉଚ୍ଚ ଅଟ୍ଟାଳିକା ନିର୍ମାଣ ପାଇଁ ପ୍ରତିଯୋଗିତା ଚାଲିଛି। ସ୍ଥିତି ଏମିତି ଯେ, ଦିନେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଖଣ୍ଡଗିରି ଅଞ୍ଚଳ ଏବେ କଂକ୍ରିଟ୍‌ ଜଙ୍ଗଲରେ ରୂପାନ୍ତରିତ ହୋଇଛି। ଯେଉଁଠି ଆଖି ପଡ଼ୁଛି ସେଠାରେ ଉଚ୍ଚ ଅଟ୍ଟାଳିକା। ଦିନେ ପୂରା ସହରର ଦୃଶ୍ୟକୁ ଉପଭୋଗ କରିବା ପାଇଁ ଲୋକେ ଖଣ୍ଡଗିରି ପାହାଡ଼ ଉପରକୁ ଚଢ଼ି ଯାଉଥିଲେ। ଆଜି କିନ୍ତୁ ବିରାଟ କୋଠାମାନ ଖଣ୍ଡଗିରି ପାହାଡ଼ର ଉଚ୍ଚତା ସହ ପ୍ରତିଯୋଗିତା କରି ବହୁ ଉଚ୍ଚକୁ ଚାଲିଯାଇଛି। ମୂଳ ଜଙ୍ଗଲ ହ୍ରାସ ପାଇଥିଲେ ହେଁ କିଛି ସ୍ଥାନରେ ନୂଆ ଜଙ୍ଗଲ ସୃଷ୍ଟି କରାଯାଇଛି। ଜୟଦେବ ବାଟିକା, ଔଷଧୀୟ ବଗିଚା, ସ୍ମୃତିବନ, ଅର୍ଚାଡ୍ ଭଳି ସ୍ଥାନ ଜଙ୍ଗଲ ହ୍ରାସଜନିତ ଅଭାବକୁ କିଛି ଅଂଶରେ ଭରଣା କରିପାରିଛି।

ଦିନେ ହାଉଜାଉ ବରଗଛର ବହଳ ଛାଇରେ ଶିଳ, ଘୋରଣା, ଚକି, କୁଣ୍ଡ ବିକ୍ରି ହେଉଥିବା ବେଳେ ଏବେ ଏଠାରେ ବଡ଼ବଡ଼ ବ୍ୟାବସାୟିକ ଅନୁଷ୍ଠାନ ପାଦ ଥାପିଛନ୍ତି। ଡିଏନ୍‌ ରେଗାଲିଆ ଭଳି ମଲ୍‌ ସହ ବଡ଼ ସୋ’ ରୁମ୍‌ରେ ଭରପୂର ହୋଇଛି ସମଗ୍ର ଅଞ୍ଚଳ। ଚିକିତ୍ସା ପାଇଁ ମଧ୍ୟ ସର୍ବାଗ୍ରେ ଭରସା ଯୋଗ୍ୟ ପାଲଟିଛି ଏହି ଅଞ୍ଚଳରେ ଥିବା ହସ୍ପିଟାଲ୍‌ସ। ଏମ୍‌ସ ଭଳି ଜାତୀୟ ସ୍ତରର ହସ୍ପିଟାଲ୍‌ ସାଙ୍ଗକୁ ଆମ୍ରି ହସ୍ପିଟାଲ୍‌, ସମ୍‌ ହସ୍ପିଟାଲ୍‌ ଭଳି କର୍ପୋରେଟ୍‌ ଚିକିତ୍ସାନୁଷ୍ଠାନ ପାଇଁ ଖଣ୍ଡଗିରି ମୂଳ ପରିଚୟ ହରାଇ ନୂଆ ପରିଚୟରେ ପରିଚିତ ହୋଇଛି। ‌

ସମ୍ବନ୍ଧିତ ଖବର