ଆମ ଓଡ଼ିଆରେ ‘ଭୁସୁପଣ୍ଡିତ’ ନାମରେ ଏକ ବ୍ୟଙ୍ଗୋକ୍ତି ଅଛି। ଏହାକୁ ମୂର୍ଖତାର ଏକ ପରିଭାଷା ରୂପେ ବ୍ୟବହାର କରାଯାଏ। ଏହାର ବିପରୀତ ‘କାଶୀପଣ୍ଡିତ’। ଏହା ବିଦ୍ବତ୍ତାର ଏକ ପରିଭାଷା ରୂପେ ପ୍ରଯୁକ୍ତ ହୁଏ। ଏହାର ମୂଳଭିତ୍ତି କିନ୍ତୁ ଭିନ୍ନ।
ବିଶିଷ୍ଟ ଗବେଷକ ଡକ୍ଟର ଯଶୋବନ୍ତ ନାରାୟଣ ଧର ଗୋଟିଏ ଲେଖାରେ କହିଛନ୍ତି- ‘ଭୁସୁପଣ୍ଡିତ’ ପ୍ରକୃତରେ ନାଳନ୍ଦାର ଜଣେ ମହାପଣ୍ଡିତ। ଭୁସୁକୁପାଦ, ଅଚଳସେନ ଆଦି ଅନେକ ନାମରେ ସେ ପରିଚିତ ଥିଲେ। ସେ ଥିଲେ ବିଖ୍ୟାତ ବୌଦ୍ଧ ବିଶ୍ୱବିଦ୍ୟାଳୟ ନାଳନ୍ଦାର ଜଣେ ଆଚାର୍ଯ୍ୟ ଏବଂ ବୌଦ୍ଧଧର୍ମ ବଜ୍ରଯାନ ଶାଖାର ସୁପ୍ରସିଦ୍ଧ ନୈୟାୟିକ ତଥା ସର୍ବବିଦ୍ୟା ବିଶାରଦ। ଉଡ଼୍ଡ଼ୀୟାନ ଗୁରୁ ପଦ୍ମସମ୍ଭବଙ୍କର ସେ ଥିଲେ ସଖା ଏବଂ ବିଶିଷ୍ଟ ବୌଦ୍ଧଗୁରୁ ମଞ୍ଜୁ ବଜ୍ରଙ୍କର ଶିଷ୍ୟ। ଭୁସୁକୁପାଦ ମଧ୍ୟ ଥିଲେ ଯୋଦ୍ଧା। ଏଠାରୁ ଯାଇ ସେ ମଗଧରାଜଙ୍କର ସେନାପତି ହେବା ସହିତ ‘ଅଚଳସେନ’ ନାମରେ ପରିଚିତ ହୋଇଥିଲେ।
‘ଭୁସୁକୁପାଦ’ ବା ‘ଭୁସୁକୁ ପା’ ଥିଲେ ୮୪ ବୌଦ୍ଧ ସିଦ୍ଧାଚାର୍ଯ୍ୟଙ୍କ ମଧ୍ୟରୁ ଜଣେ। ସେ ଥିଲେ ଜଣେ ନିରବ ସାଧକ ତଥା ପ୍ରସିଦ୍ଧ ତାର୍କିକ ଓ ନୈୟାୟିକ। ନାଳନ୍ଦା ବିଶ୍ୱବିଦ୍ୟାଳୟରେ ତାଙ୍କର ପ୍ରଚୁର ଖ୍ୟାତି ରହିଥିଲା। ‘ବୋଧିଚର୍ଯ୍ୟାବତାର’, ‘ଶିକ୍ଷାସମୁଚ୍ଚୟ’ ଓ ‘ସୂତ୍ରସମୁଚ୍ଚୟ’ ନାମରେ ସେ ତିନିଖଣ୍ଡ ଗ୍ରନ୍ଥ ମଧ୍ୟ ରଚନା କରିଛନ୍ତି। ତୋଷାଳିଠାରୁ ତିବ୍ବତ ପର୍ଯ୍ୟନ୍ତ ସେ ଥିଲେ ଜଣେ ସର୍ବମାନ୍ୟ ବୌଦ୍ଧ ପଣ୍ଡିତ। ତାଙ୍କ ସମୟରେ ବୌଦ୍ଧ ଓ ଶୈବଙ୍କ ମଧ୍ୟରେ ମହାବିବାଦ ଘଟିଥିଲା। ସମ୍ଭବତଃ ଆଦି ଶଙ୍କରାଚାର୍ଯ୍ୟଙ୍କ ସହିତ ଭୁସୁକୁପାଦ ତର୍କ କରିଥିଲେ। ମାତ୍ର ଧାର୍ମିକ ବିଦ୍ୱେଷ ଯୋଗୁଁ ତାଙ୍କୁ ତୁଚ୍ଛ ତାଚ୍ଛଲ୍ୟ କରି ‘ଭୁସୁପଣ୍ଡିତ’ ଆଖ୍ୟା ଦିଅାଯାଇଥିଲା। ଧାର୍ମିକ ବିଦ୍ୱେଷ କିପରି ଜଣେ ଗୁରୁଙ୍କୁ ଗୁରୁତ୍ୱହୀନ ଭାବରେ ଚିତ୍ରିତ କରେ, ଏହା ତାହାର ଏକ ନମୁନା।