ବିଶ୍ବର ବୃହତ୍ତମ ଦୋକାନର ମାନ୍ୟତା ରଖିଥିବା ଦକ୍ଷିଣ ସ୍ବିଡେନ୍‌ ଅନ୍ତର୍ଗତ ‘ଗିକାସ ଉଲ୍ଲାରେଡ’ ନାମକ ବିପଣିଗୃହ ଏବେ ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଏହି ଦୋକାନର ଅନେକ ବିଶେଷତ୍ବ ରହିଛି। ପାଖାପାଖି ୮୦୦ ଲୋକସଂଖ୍ୟା ବିଶିଷ୍ଟ ଉଲ୍ଲାରେଡ୍‌ ସ୍ଥିତ ଏହି ବିଶାଳ ଦୋକାନ ପ୍ରାୟ ପାଞ୍ଚଟି ଫୁଟ୍‌ବଲ୍‌ ପଡ଼ିଆ ପରିମିତ ଜାଗା ଉପରେ ନିର୍ମିତ ହୋଇଛି। ୧୯୬୩ ମସିହାରେ ଉଦ୍ୟୋଗୀ ଗୋରାନ କାର୍ଲସନ୍‌ଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ଦୋକାନରେ ୨୫ଟି ବିଭିନ୍ନ ବିଭାଗୀୟ ଭଣ୍ଡାର ରହିଛି ଏବଂ ସାମଗ୍ରିକ ଭାବେ ଲକ୍ଷେରୁ ଅଧିକ ପ୍ରକାରର ବିଭିନ୍ନ କିସମର ସାମଗ୍ରି ଉପଲବ୍‌ଧ ହେଉଛି।

Advertisment

ଆକାରରେ ଆମେରିକାର ଵାଲମାର୍ଟ ଷ୍ଟୋର୍‌ଠାରୁ କାହିଁ କେତେ ବଡ଼ ଏହି ଦୋକାନ ଭଣ୍ଡାରରେ ପାଖାପାଖି ୨,୦୦୦ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ଏକକାଳୀନ ସାଢ଼େ ପାଞ୍ଚ ହଜାର ଗ୍ରାହକ କିଣାକିଣି କରିବାର ସୁବିଧା ରହିଛି। ଏପରିକି ଗ୍ରୀଷ୍ମଦିନେ ସେଠାରେ ୩,୦୦୦ ସରିକି ପର୍ଯ୍ୟଟକ ରାତି କଟାଇବାର ବ୍ୟବସ୍ଥା ମଧ୍ୟ ରହିଛି। ଗ୍ରାହକମାନଙ୍କୁ ଖୁସି କରିବା ଲାଗି ଦୋକାନ ଭିତରେ ନିୟମିତ ବିଭିନ୍ନ ପ୍ରକାର ରିଅଲିଟି ସୋ’ ମଧ୍ୟ ଆୟୋଜିତ ହେଉଛି। ସେଠାରେ ମିଳୁଥିବା ଉତ୍ପାଦଗୁଡ଼ିକ ବଜାର ଦରଠାରୁ କମ୍‌ ବୋଲି ତାହାର ପରିଚାଳକ ଦାବି କରନ୍ତି। ଏହାର ଲୋକପ୍ରିୟତା ଦେଖି ବିଭିନ୍ନ କମ୍ପାନି ମଧ୍ୟ ସେଠାରେ ସେମାନଙ୍କର ଶାଖା ଖୋଲିବା ଆରମ୍ଭ କରିଦେଲେଣି ଏବଂ ଦୋକାନଟି ସମ୍ପ୍ରସାରିତ ହେବାରେ ଲାଗିଛି। ଫଳରେ ବର୍ଷକୁ ପ୍ରାୟ ୫୦ ଲକ୍ଷ ଗ୍ରାହକଙ୍କୁ ସେବା ଯୋଗାଉଥିବା ଏହି ଦୋକାନଟି ନିକଟ ଭବିଷ୍ୟତରେ ଏକ ସହର ପାଲଟିଯିବ ବୋଲି ଆଶା କରାଯାଉଛି।