ପ୍ରାୟ ହଜାର ବର୍ଷ ହେବ ରହସ୍ୟ ହୋଇ ପଡିରହିଛି ଏପରି ଏକ ପଥର, ଯାହାକୁ ପିଟିଲେ ବାହାରୁଛି କଂସା ବାସନକୁ ପିଟିଲା ଭଳି ଶବ୍ଦ !

ସରଗୁଦା ଜିଲ୍ଲାର ଦରିମା ନିକଟବର୍ତ୍ତୀ ଛିନ୍ଦକାଲୋ ଗାଁରେ ଏକ ବିଶାଳ ପଥର ପ୍ରାୟ ହଜାର ବର୍ଷ ହେବ ରହସ୍ୟ ହୋଇ ପଡିରହିଛି। ଏହି ପଥରକୁ ପିଟିଲେ ସେଥିରୁ ବାହାରୁଛି କଂସା ବାସନ ଭଳି ଶବ୍ଦ। ଏହି ବିଶାଳ ପଥରର ଆକୃତି ଅନ୍ୟ ପଥର ଠାରୁ ସମ୍ପୁର୍ଣ୍ଣ ଅଲଗା। ସେଠାକାର ଲୋକେ ଏହି ପଥରର ନାମ ଠିନଠିନ୍‌ ପଥର ରଖିଛନ୍ତି । ଏପରି ଅଦ୍ଭୁଦ ଶବ୍ଦ ବାହାରୁଥିବା ପଥରକୁ ନେଇ ବୈଜ୍ଞାନିକମାନେ ଅନେକ ପରୀକ୍ଷା କରିଛନ୍ତି। କିନ୍ତୁ କୌଣସି ସଫଳତା ମିଳିପାରି ନାହିଁ । ଏବେବି ଏହି ପଥର ଏକ ରହସ୍ୟ ହୋଇ ରହିଛି ।

ଗ୍ରାମୀଣ ଲୋକଙ୍କ କହିବା ଅନୁସାରେ, ବହୁ ବର୍ଷ ପୂର୍ବରୁ ଏହି ପଥର ଆକାଶରୁ ପୃଥିବୀ ପୃଷ୍ଠରେ ଗଳିଛି। ୨ବର୍ଷ ପୂର୍ବେ ଫିଜିକାଲ ଲ୍ୟାବୋରେଟ୍ରି ରିସର୍ଚ୍ଚ ଅହମଦାବାଦର ଜଣେ ବୈଜ୍ଞାନିକ ଡ.ରିଷିତୋଶ ସିନା ଏହି ପଥରକୁ ନେଇ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ। ଡ. ରିଷିତୋଶ ସିନା ପଥରକୁ ନେଇ ବିଭିନ୍ନ ପ୍ରକାର ପରୀକ୍ଷା କରିବା ସତ୍ତ୍ୱେ ବି କୌଣସି ପ୍ରକାର ସଫଳତା ପାଇପାରିନଥିଲେ। ସେ ଗଲାବେଳେ ତାଙ୍କ ସହିତ ଏହି ପଥରର କିଛି ଛୋଟ ଛୋଟ ଖଣ୍ଡ ନେଇଯାଇଥିଲେ। କାରଣ ସେ ଜାଣିବାକୁ ଚାହୁଁଥିଲେ ପ୍ରକୃତରେ ଏହି ପଥରରୁ ଏପରି ଶବ୍ଦ କିପରି ବାହାରୁଛି।

ସୂଚନା ମୁତାବକ, ୧୯୬୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଦରିମା ଏୟାରପୋର୍ଟ ବୁଲିବାକୁ ଆସିଥିଲେ। ସେତେବେଳେ ଗାଁ ଲୋକଙ୍କ ଠାରୁ ଏହି ପଥର ବିଷୟରେ ଜାଣିବା ପରେ ଇନ୍ଦିରା ଗାନ୍ଧି ଏହି ପଥରକୁ ଦେଖିବାକୁ ଯାଇଥିଲେ। ଏବେ ଯାଏ ଏହି ପଥରକୁ ନେଇ ପରୀକ୍ଷଣ କରାଯାଇ ସାରିଲାଣି ତଥାବି ଆଜି ଯାଏ କୌଣସି ସଫଳତା ମିଳିପାରି ନାହିଁ ଏବଂ ଏହି ପଥର ଏବେବି ଏକ ରହସ୍ୟ ହୋଇ ରହିଛି।

ସମ୍ବନ୍ଧିତ ଖବର