ପାଟନା: ବିହାର ବିଧାନସଭା ନିର୍ବାଚନ ଘୋଷଣା ହେବାପରେ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।। କିଶନଗଞ୍ଜ ଜିଲ୍ଲାରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି।

Advertisment

ସବୁଥର ପରି କିଶନଗଞ୍ଜର ଛୋଟେଲାଲ ମହାତୋ ନିର୍ବାଚନୀ ମଇଦାନରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି। 
ଛୋଟେଲାଲ ଗ୍ୟାସ ସିଲିଣ୍ଡର ଡେଲିଭରି ବଏ ଭାବେ କାମ କରନ୍ତି। ସେ  ଗତ ୨୦ ବର୍ଷ ଧରି ଲୋକସଭା ଏବଂ ବିଧାନସଭା ଉଭୟ ନିର୍ବାଚନ ଲଢ଼ି ଆସୁଛନ୍ତି। ସେ ପୌର ନିର୍ବାଚନ ମଧ୍ୟ ଲଢ଼ିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ସେ କୌଣସି ନିର୍ବାଚନରେ ବିଜୟୀ ହୋଇପାରି ନାହାନ୍ତି। ଏନେଇ ସେ ମନ ଊଣା କରନ୍ତି ନାହିଁ ବରଂ କୁହନ୍ତି, ‘ପ୍ରତ୍ୟେକ ନିର୍ବାଚନରେ ଜିତିବାର ସମ୍ଭାବନା କମ୍ ଥାଏ, କିନ୍ତୁ ଉତ୍ସାହ ଅଧିକ ଥାଏ।’

କିଶନଗଞ୍ଜ ସହରର ବାସିନ୍ଦା ଛୋଟେଲାଲ ମହାତୋ ୨୩ବର୍ଷ ବୟସରେ ରାଜନୀତିରେ ପ୍ରବେଶ କରିଥିଲେ। ଏକ ଛୋଟିଆ ଘରେ ରହୁଥିବା ଛୋଟେଲାଲ ପ୍ରତିଦିନ ଘରଘର ବୁଲିବୁଲି ଗ୍ୟାସ ସିଲିଣ୍ଡରର ଡେଲିଭରି କରି ତାଙ୍କ ପରିବାର ପୋଷି ଥାଆନ୍ତି। 

ଛୋଟେଲାଲ ଚଳିତବର୍ଷ ନିର୍ବାଚନ ଲଢ଼ିବାକୁ ନେଇ କହିଛନ୍ତି, ‘ମୁଁ ୨୦୦୦ ମସିହାରେ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ୨୩ ବର୍ଷ ବୟସରେ ନାମାଙ୍କନ ଦାଖଲ କରିଥିଲି। ୨୦୦୪ ମସିହାରୁ ନିରନ୍ତର ନିର୍ବାଚନ ଲଢ଼ି ଆସୁଛି। ଆଜି ପର୍ଯ୍ୟନ୍ତ ମୁଁ କୌଣସି ନିର୍ବାଚନ ଜିତିନାହିଁ ସତ କିନ୍ତୁ ମୁଁ କେବେ ହାର ବି ମାନିନାହିଁ। ମୁଁ ଏଥର ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବି। ଜନସାଧାରଣ ମୋତେ ବିଭିନ୍ନ କ୍ଷେତ୍ରରେ ଖୁବ ସାହାଯ୍ୟ କରନ୍ତି । ଏମିତି କି ନିର୍ବାଚନ ପ୍ରଚାର ପାଇଁ ଆର୍ଥିକ ଭାବେ ସହଯୋଗ ବି କରନ୍ତି। 

ମୋ ସ୍ତ୍ରୀ ମଧ୍ୟ ଛେଳି, କୁକୁଡ଼ା ଏବଂ ଅଣ୍ଡା ବିକ୍ରି କରି ମୋର ନିର୍ବାଚନ ପ୍ରଚାର ପାଇଁ ଟଙ୍କା ଯୋଗାଡ଼ କରନ୍ତି। ମୁଁ ଯେପର୍ଯ୍ୟନ୍ତ ବଞ୍ଚିଛି ସେପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବି। ମାନବ ସେବା ମୋର ପ୍ରଥମ ପ୍ରାଥମିକତା। ଯଦି ମୁଁ ନିର୍ବାଚନ ଜିତେ ତେବେ କେବଳ ଗରିବଙ୍କ ଲୁହ ପୋଛିବି ନାହିଁ ବରଂ ବିକାଶ ଏବଂ ନିଯୁକ୍ତି କ୍ଷେତ୍ରରେ ମଧ୍ୟ କାମ କରିବି।’

ଆବଶ୍ୟକ ଲୋକଙ୍କୁ ସାହାଯ୍ୟ କରିବା ଦେଖି ଜନସାଧାରଣ ଛୋଟେଲାଲଙ୍କୁ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରିଥିଲେ। ସେବେଠାରୁ ସେ  ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।