ନିଜକୁ ଲାଲୁଙ୍କ ପୁଅ ବୋଲି କହୁଥିବା ଭିକାରି ଡିଜିଟାଲ ମାଧ୍ୟମରେ ମାଗୁଛନ୍ତି ଭିକ

ପାଟନା: ସାଧାରଣତଃ ରେଳ ଷ୍ଟେସନ, ବସ ଷ୍ଟାଣ୍ଡ କିମ୍ବା ରାସ୍ତାପାର୍ଶ୍ବରେ ଭିକାରିମାନଙ୍କୁ ଭିକ ମାଗୁଥିବା ଦେଖିଥିବେ। ଅନେକ ସମୟରେ ଆମେ ଭିକାରିଙ୍କୁ ସାହାଯ୍ୟ କରିବାକୁ ଇଚ୍ଛା ରଖିଥିଲେ ବି ଖୁଚୁରା ଟଙ୍କା ନଥିବା ହେତୁ ଭିକ୍ଷା ଦେଇ ନପାରି ସେଠାରୁ ଚାଲି ଆସିଥାଉ। ଏଣିକି ଏହି ଖୁଚୁରା ବାହାନା ଆଉ ବିହାରରେ ଚଳିବ ନାହିଁ। ବିହାରର ଏବେ ଭିକାରି ମଧ୍ୟ ଡିଜିଟାଲ ହୋଇଯାଇଛନ୍ତି । ଏଭଳି ଏକ ଘଟଣା ବିହାରର ବୋତିଆ ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ।

ପ୍ରକାଶିତ ରିପୋର୍ଟ ମୁତାବକ, ବୋତିଆର ବସୱାରିଆର ୩୦ ନମ୍ବର ୱାର୍ଡରେ ରହୁଥିବା ରାଜୁ ପ୍ରସାଦ ୩୦ ବର୍ଷ ହେଲା ରେଳ ଷ୍ଟେସନରେ ଭିକ ମାଗୁଛନ୍ତି । ଆଉ ତାଙ୍କ ଭିକ ମାଗିବା ଶୈଳୀ ଚର୍ଚ୍ଚାରେ ରହିଛି। କାରଣ ଡିଜିଟାଲ ମାଧ୍ୟମରେ ସେ ଲୋକଙ୍କ ଠାରୁ ଭିକ ନେଇ ଥାଆନ୍ତି।

ରାଜୁଙ୍କ ଭିକ ମାଗିବା ଶୈଳୀ ଦେଖି ସେହି ରାସ୍ତା ଦେଇ ଯାଉଥିବା ଲୋକେ କିଛି ସମୟ ପାଇଁ ଅଟକି ଯାଇଥାଆନ୍ତି। ରାଜୁ ହାତରେ ଏକ ସ୍ମାର୍ଟ ଫୋନ ଧରି ଥିବା ବେଳେ ଗଳାରେ ଫୋନ-ପେ ସ୍କାନର ଝୁଲାଇଥାଆନ୍ତି।

ଯଦି କାହାରି ପାଖରେ ଖୁଚୁରା ପଇସା ନଥାଏ ସେ ଏହି ସ୍କାନରକୁ ସ୍କାନ କରି ଲୋକଙ୍କୁ ଅନଲାଇନ ପେମେଣ୍ଟ କରିବାକୁ କହିଥାଆନ୍ତି। ସବୁଠାରୁ ମଜାର କଥା ହେଉଛି ରାଜୁ ନିଜକୁ ଲାଲୁ ଯାଦବଙ୍କ ପୁଅ ବୋଲି କହନ୍ତି। ଏଥିସହିତ ଲାଲୁ ଯାଦବ ତାଙ୍କର ଜଣେ ପ୍ରଶଂସକ ଥିଲେ ବୋଲି ରାଜୁ କହିଛନ୍ତି।

ସମ୍ବନ୍ଧିତ ଖବର