ମଦ ପାଇଁ ଟଙ୍କା ଅଛି, ବହି ପାଇଁ ନାହିଁ ! କାନ୍ଦି କାନ୍ଦି ମଦୁଆ ବାପାର ଅବହେଳା କଥା କହିଲା ପୁଅ

ପାଟନା: ଭାଇରାଲ ହେବାରେ ଲାଗିଛି କଇଁ କଇଁ ହୋଇ କାନ୍ଦୁଥିବା କୁନି ପୁଅର ଭିଡିଓ। ପିଲାଟି ବିହାରର ବୋଲି ଜଣାପଡ଼ିଥିବା ବେଳେ କୁନି ପୁଅଟି ସ୍କୁଲ ଶିକ୍ଷକଙ୍କ ଆଗରେ କାନ୍ଦି କାନ୍ଦି ନିଜ ଅସହାୟତାର କଥା କହୁଥିବା ଭିଡିଓରେ ଦେଖାଯାଇଛି।

ଭିଡିଓଟି ବିହାର ରୋହତାସ୍ ଜିଲ୍ଲା ତିଲୌଥୁ ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲର ବୋଲି ଜଣାପଡ଼ିଛି। ଭିଡିଓ ଭାଇରାଲ ହେବା ପରେ ପିଲାଙ୍କୁ ପଢ଼ିବା ପାଇଁ ବହି ମିଳୁନଥିବା କଥା ସାମ୍ନାକୁ ଆସିଛି। ଭିଡିଓ ସ୍କୁଲର କିଛି ଛାତ୍ର ପଢ଼ିବା ପାଇଁ ବହିନଥିବା କଥା କହୁଥିବା ବେଳେ କୁନି ପୁଅଟି ମଧ୍ୟ ପଢ଼ିବାକୁ ବହିନଥିବା କହୁଛି। ଏଥିପାଇଁ ସେ ନିଜ ବାପାଙ୍କୁ ଦାୟୀ କରୁଥିବା ଦେଖାଯାଇଛି। ପିଲାଟି କହୁଛି ଯେ, ବାପା ବହି କିଣି ଦେଉନାହାଁନ୍ତି । ବହୁତ ଥର କହିଲିଣି ହେଲେ ଜମା କିଣି ଦେଉନାହାଁନ୍ତି । ସବୁଦିନ ମଦ ପିଇକି ଘରକୁ ଆସୁଛନ୍ତି । ବହି କିଣିବାକୁ କହିବାରୁ ରାଗୁଛନ୍ତି ।

ଭିଡିଓରେ ବାରମ୍ବାର ସେହି କଥାକୁ କୁନି ଛାତ୍ରଜଣକ ଦୋହରାଉଥିବା ଦେଖାଯାଉଛି । ହେଲେ ପଛପଟେ ଛିଡା ହୋଇ ମୁହଁ ଟାଣ କରି ଓଲଟି ପୁଅ ଉପରେ ଦୋଷ ଲଦୁଛନ୍ତି ବାପା । ପୁଅ ମିଛ କହୁଛି ବୋଲି କହୁଛନ୍ତି କୁନି ଛାତ୍ରର ବାପା । ଏହି ସମୟ‌ରେ ଧାଡିରେ ଛିଡା ହୋଇଥିବା ଛାତ୍ରର ଭଉଣୀ ଭାଇକୁ ସମର୍ଥନ କରି କହୁଛି ଯେ, ନାଁ ସାର୍ ଭାଇ ବାପାଙ୍କୁ ବହି ଆଣିବାକୁ କହିଥିଲା । ହେଲେ ବାପା ଆଣୁନାହାଁନ୍ତି । ବାପା ସବୁବେଳେ ଘରକୁ ମଦ ପିଇ ଆସୁଛନ୍ତି’ । ଏହାପରେ ମଦୁଆ ବାପାଙ୍କୁ ତାଗିଦ କରୁଛନ୍ତି ଶିକ୍ଷକ । ବହି କିଣି ତୁରନ୍ତ ପିଲାଙ୍କୁ ଦେବାକୁ କହିବା ସହ ବହି ନକିଣିଲେ ଥାନାରେ ଅଭିଯୋଗ କରିବାକୁ ଚେତାବନୀ ମଧ୍ୟ ଦେଉଛନ୍ତି ।

ସମ୍ବନ୍ଧିତ ଖବର