ଏମିତି ଥିଲା ତନ୍ଦ୍ରାଙ୍କ ସହ ବିଜୟ ମହାନ୍ତିଙ୍କ ପ୍ରେମ…ମା’ଙ୍କର ମଧ୍ୟସ୍ଥତାରେ ହୋଇଥିଲା ବିବାହ

ଭୁବନେଶ୍ବର : ଦିବଂଗତ ଅଭିନେତା ବିଜୟ ମହାନ୍ତି ନ୍ୟାସନାଲ୍ ସ୍କୁଲ୍ ଅଫ ଡ୍ରାମାରୁ ଫେରିବା ପରେ ଜାତୀୟସ୍ତରରେ ଜଣାଶୁଣା ନିର୍ଦ୍ଦେଶକ ବିପ୍ଳବ ରାୟ ଚୌଧୁରୀଙ୍କ ଦ୍ବାରା ‘ଚିଲିକା ତୀରେ’ ଛବିରେ ନାୟକ ଭୂମିକା ଲାଗି ମନୋନୀତ ହୋଇଥିଲେ। ‘ଚିଲିକା ତୀରେ’ ଥିଲା ଏକ କଳାତ୍ମକ ଛବି। ଏଥିରେ ବିଜୟଙ୍କ ବିପକ୍ଷରେ ନାୟିକା ଭାବେ ମନୋନୀତ ହୋଇଥିଲେ ବଙ୍ଗୀୟା ଅଭିନେତ୍ରୀ ତନ୍ଦ୍ରା ରାୟ। ‘ଚିଲିକା ତୀରେ’ର ସୁଟିଂ ସେଟରେ ଉଭୟଙ୍କ ଭିତରେ ପରିଚୟ ହୋଇଥିଲା ଓ ଏହାର କିଛି ବର୍ଷ ପରେ  ଦୁହେଁ ପରଦାର ନାୟକ-ନାୟିକାରୁ ଜୀବନସାଥୀ ପାଲଟି ଥିଲେ। ବିବାହ ପରେ ଏଇ ଆମ ସଂସାର ଓ ମାଣିକ ଆଦି ୧୦ଟି ଫିଲ୍ମରେ ନାୟକ-ନାୟିକା ଭାବେ ଅଭିନୟ କରିଥିଲେ।

ପ୍ରଥମ ଫିଲ୍ମରେ ବିଜୟ ତନ୍ଦ୍ରା ରାୟଙ୍କୁ ଭେଟିଥିଲେ ହେଁ ସେତେବେଳେ ତାଙ୍କର ପ୍ରେମ ହୋଇ ନ ଥିଲା ବରଂ ତନ୍ଦ୍ରାଙ୍କ ମା’ଙ୍କର ମଧ୍ୟସ୍ଥତା ପରେ ଦୁହେଁ ସମ୍ପର୍କରେ ବାନ୍ଧି ହୋଇଥିଲେ। ‌ବିଜୟ ଏତେ ରୋମାଣ୍ଟିକ ନଥିଲେ ତେବେ ତନ୍ଦ୍ରା ନିଜ ମା’ଙ୍କ ସହ ସୁଟିଂ ସେଟ୍‌କୁ ଆସୁଥିଲେ। ସେ ବିଜୟଙ୍କୁ ପସନ୍ଦ କରିବା ସହ ବିଜୟଙ୍କ ମା’ଙ୍କୁ ବାହାଘର ପ୍ରସ୍ତାବ ଦେଇଥିଲେ।

Orissa Cinema

ବାରିପଦାରେ ବୁଲିବୁଲି ନିଜ ନାଟକର ପୋଷ୍ଟର ମ‌ାରୁଥିଲେ
ବାରିପଦା ଏମ୍‌ପିସି କଲେଜ୍‌ର ପ୍ରଥମ ବର୍ଷ ନାଟକରେ ଅଭିନୟ କରି ସେ ‘ଶ୍ରେଷ୍ଠ ଅଭିନେତା’ ପୁରସ୍କାର ଅର୍ଜନ କଲେ। ସେଇଦିନଠୁ ତାଙ୍କର ନାଟକ ପ୍ରତି ଆଗ୍ରହ ବଢ଼ିଗଲା। କେତେଜଣ ସାଙ୍ଗ ଠିକ୍‌ କଲେ ଯେ ଏଣିକି ଥିଏଟର କରିବେ। ବନ୍ଧୁ ସେବାନନ୍ଦ ଦେବଙ୍କ ସହ ମିଶି ସେ ‘ଯୁଗେଚ୍ଛା’ ନାଟ୍ୟ ସଂସ୍ଥା ଗଢ଼ିଲେ। ନାଟକ ପ୍ରତି ଏମିତି ଝୁଙ୍କ୍‌ ବଢ଼ିଲା ଯେ ବାରମାସରେ ୧୨ଟା ନାଟକ କଲେ। ସେତେବେ‌େଳ ତାହା ରେକର୍ଡ ଥିଲା। ତଥାପି ରାତି ରାତି ଟାଉନ୍‌ ସାରା ବୁଲି ନିଜେ ନିଜ ନାଟକର ପୋଷ୍ଟର ମାରୁଥିଲେ। ବିଜୟ ନିଜେ କହିଥିଲେ, ବାରିପଦାର ପରିବେଶଟା ଟିକେ ବିଚିତ୍ର। କୌଣସି କାରଣରୁ ଯଦି ଜଣେ କଳାକାର ଭାବେ ପରିଚିତ ହୋଇଗଲା, ତେବେ ସମସ୍ତଙ୍କ ଘରେ ତା’ର ଆଦର ଓ ସାମାଜିକ ସ୍ବୀକୃତି ବଢ଼ିଯାଏ। ତେଣୁ ଲଗାତାର ନାଟକ କରିବା ଭିତରେ ବାରିପଦା ଟାଉନ ତାଙ୍କ ପଛରେ ପଡ଼ିଯାଇଥିଲା।

ସ୍କୁଲ ନାଟକ ମଞ୍ଚରେ ଗାମୁଛା ଖସି ଯାଇଥିଲା
ଅଭିନେତା ହେବେ ବୋଲି କେବେ ଚିନ୍ତା କରିନଥିଲେ। ୧୦ମ ପଢ଼ିବା ବ‌େଳେ ଜଣେ ଶିକ୍ଷକ ନାଟକ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ। ତେବେ ‘ଜିସ୍‌ ଦେଶ ମେ ଗଙ୍ଗା ବେହତି ହୈ’ ଦେଖିବା ପରେ ସେ ନିଜ ଶିକ୍ଷକଙ୍କ ପରାମର୍ଶ ମୁତାବକ ସ୍କୁଲ୍‌ ନାଟକରେ ଅଭିନୟ କଲେ। ତେବେ ଯେବେ ସେ ମଞ୍ଚରେ ଥିଲେ ତାଙ୍କ ଗାମୁଛା ଖସିଯାଇଥିଲା। ପୁଣି ସେଠାରେ ବାଳିକା ଉଚ୍ଚ ବିଦ୍ୟାଳୟର ବହୁ ଛାତ୍ରୀ ଉପସ୍ଥିତ ଥିଲେ। ‌ତେଣୁ ‌ଗାମୁଛା ଖସି ପଡ଼ିବାରୁ ଅପମାନିତ ହୋଇ ବିଜୟ ଝରକା ବାଟ ଦେଇ ଦୌଡ଼ିଲେ। ଏମିତିକି ଦେଢ଼ମାସ ପର୍ଯ୍ୟନ୍ତ ଶିକ୍ଷକଙ୍କ ଭୟରେ ସେ ସ୍କୁଲ୍‌ ଗଲେ ନାହିଁ। ଏହି ତିକ୍ତ ଅନୁଭୂତି ସତ୍ତ୍ବେ କଲେଜ ନାଟକରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଲେ।

ସମ୍ବନ୍ଧିତ ଖବର