ଥରେ ନାଟକ କରୁଥିବା ବେଳେ ପ୍ରସନ୍ନ ମହାନ୍ତି ତାଙ୍କୁ ଜାତୀୟ ନାଟ୍ୟ ବିଦ୍ୟାଳୟ ନୂଆଦିଲ୍ଲୀ (ଏନ୍ଏସ୍ଡି)ରେ ଆବେଦନ କରିବାକୁ କହିଥିଲେ। ବିଜୟ ମଧ୍ୟ ରାଜି ହୋଇଗଲେ। ଶ୍ରୀ ମହାନ୍ତି ତାଙ୍କୁ ଫର୍ମ ପଠାଇଦେଲେ। ହଠାତ୍ ଦିନେ ସାକ୍ଷାତକାର ପାଇଁ ଡାକରା ପାଇଲେ। ସେତେବେଳେକୁ ତାଙ୍କର ବି.ଏ ଶେଷ ବର୍ଷ। ଘରେ ତାଙ୍କର ନାଟକ ନିଶା କେହି ପସନ୍ଦ କରୁନଥିଲେ। ତେଣୁ ସେ ସାଙ୍ଗସାଥୀଙ୍କଠାରୁ ଟଙ୍କା ଉଧାର ନେଇ ଦିଲ୍ଲୀ ପଳାଇଥିଲେ। ଦିଲ୍ଲୀ ଯିବା ଥିଲା ତାଙ୍କର ପ୍ରଥମ। ସାକ୍ଷାତକାରକୁ ଆସିଥିବା ଅନ୍ୟ ପ୍ରତିଯୋଗୀମାନଙ୍କ ପୋଷାକ ପରିଚ୍ଛଦ, ରଙ୍ଗଢଙ୍ଗ ଦେଖି ବିଜୟ ନର୍ଭସ ହୋଇଗଲେ। ହିନ୍ଦୀ ଆଦୌ କହିପାରୁନଥିଲେ। ତେଣୁ ଇଂରାଜୀ ହିନ୍ଦୀ ମିଶାମିଶି ଭାଷାରେ ସେ ସାକ୍ଷାତକାରର ଉତ୍ତର ଦେଲେ। ବିଶ୍ବାସ ନଥିଲେ ହେଁ ଶେଷରେ ସେ ଏନ୍ଏସ୍ଡିରେ ପଢ଼ିବା ପାଇଁ ଚୟନ ହେବା ଖବର ପାଇଲେ। ଏ ଖବର ଶୁଣି ସେ ଏତେ ଖୁସି ହୋଇଗଲେ ଯେ ଚାକିରି ଛାଡ଼ି ଦିଲ୍ଲୀ ପଳେଇଲେ। ଏମିତିକି ଇସ୍ତଫା ଦେବାକୁ ମଧ୍ୟ ଭୁଲି ଯାଇଥିଲେ। ସେତେବେଳେ ଏନ୍ଏସ୍ଡିରେ ହଷ୍ଟେଲ୍ ନଥିଲା। ତେଣୁ ସେ ପ୍ରଥମେ ସିନା ପ୍ରସନ୍ନ ମହାନ୍ତିଙ୍କ ପାଖେ ରହିଲେ। କିନ୍ତୁ ପ୍ରସନ୍ନ ଦିଲ୍ଲୀରୁ ଚାଲି ଆସିବା ପରେ ଜଣେ ୱାଚମ୍ୟାନ୍ର ବଖରିକିଆ ଘର ଭଡ଼ାରେ ସେ ରହିଲେ। ୱାଚମ୍ୟାନ୍ଟି ରାତିରେ ଜଗିବାକୁ ଯାଉଥିବାରୁ ସେଠାରେ ରାତି ବେଳଟା ବିଜୟଙ୍କର କଟି ଯାଉଥିଲା। ୩ ମାସ ପରେ ହଷ୍ଟେଲ୍ ମିଳିଯାଇଥିଲା।
/sambad/media/post_attachments/wp-content/uploads/2020/07/Bijay_Mohanty_12-300x156.jpg)
‘ନାଗଫାଶ’ ସଜେଇ ଦେଲା ଖଳନାୟକ
ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ସେ ଅଧ୍ୟାପକ ଭାବେ କାମ କରୁଥାଆନ୍ତି। ଦିନେ କଲେଜ୍ରେ ବସିଥିବା ବେଳେ ସଂଗୀତ ନିର୍ଦେଶକ ଅକ୍ଷୟ ମହାନ୍ତି ପହଞ୍ଚି ତାଙ୍କ ସାଙ୍ଗରେ ଯିବାକୁ କହିଲେ। ସେଠାରେ ପ୍ରଯୋଜକ ବସନ୍ତ ନାୟକ, ସୁବାସ ମିଶ୍ର ସହ ପରିଚୟ ହେଲା। ଖାଇବା ପରେ ବସନ୍ତ ନାୟକ ଗୋଟେ କାଗଜ ବଢ଼େଇ କହିଲେ, ଏଥିରେ ଦସ୍ତଖତ କର। ତୁମେ ବ୍ରଜରାଜ ମୁଭିଜ୍ର ‘ନାଗଫାଶ’ରେ ଅଭିନୟ କରିବ। ଅଭିନୟ ସିନା କଲେ, କିନ୍ତୁ ନୂଆ କଳାକାର ଭାବରେ ତାଙ୍କୁ ଅପମାନିତ ବୋଧ ହୋଇଥିଲା। ତେବେ ଫିଲ୍ମ ପ୍ରଥମେ ରିଲିଜ୍ ହେବା ପରେ ଖଳନାୟକ ଛାପ ତାଙ୍କଠାରେ ବାଜିଗଲା। ନାଗଫାଶର ସଫଳତା ଦେଖି ପରେ ତାଙ୍କୁ କେବଳ ଖଳନାୟକ ଚରିତ୍ରରେ ଅଭିନୟ ପାଇଁ ଅଫର ଆସିଲା।
ଟ୍ରାନ୍ସପୋର୍ଟ ବିଭାଗରେ ଆକାଉଣ୍ଟ୍ କ୍ଲର୍କ
ମାଟ୍ରିକ୍ ପାସ୍ କରିବା ପରେ ଘରେ ତାଙ୍କର ଅସୁବିଧା ଥିଲା। ତେଣୁ ତାଙ୍କୁ ଚାକିରି କରିବାକୁ ପଡ଼ିଲା। ଟ୍ରାନ୍ସପୋର୍ଟ ବିଭାଗରେ ଆକାଉଣ୍ଟ୍ସ କ୍ଲର୍କ ଭାବେ ଯୋଗ ଦେଲେ। ଏଥିସହ ନାଇଟ୍ କଲେଜ୍ରେ ମଧ୍ୟ ପଢ଼ିବାକୁ ଲାଗିଲେ।
‘ଚିଲିକା ତୀରେ’ ପାଇଁ ବାଟ ଖର୍ଚ୍ଚକୁ ପାଇଥିଲେ ୨୦ ଟଙ୍କା
ଫିଲ୍ମ ‘ଅଭିମାନ’ରେ ସେ ପ୍ରଥମେ ଅଭିନୟ କରିଥିଲେ। ମାତ୍ର ଏଥିରେ ସେ ଏକ ଫିଲ୍ମ ପ୍ରଯୋଜକ ଭୂମିକାରେ ଅଭିନୟ କରିଥିଲେ। ପରେ ସେ ବିପ୍ଳବ ରାୟ ଚୌଧୁରୀଙ୍କଠାରୁ ସୁଯୋଗ ପାଇ ‘ଚିଲିକା ତୀରେ’ରେ ଅଭିନୟ କଲେ। ଏହା ହିଁ ଥିଲା ତାଙ୍କର ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର। ମାତ୍ର ସେ ଫିଲ୍ମରେ ଅଭିନୟ ପାଇଁ କିଛି ବି ପଇସା ପାଇନଥିଲେ। ସୁଟିଂ ସାରି ଘରକୁ ଫେରିବା ବେଳେ ବିପ୍ଳବ ଦା’ ତାଙ୍କୁ କେବଳ ବାଟ ଖର୍ଚ୍ଚ ବାବଦରେ ୨୦ ଟଙ୍କା ଦେଇଥିଲେ। ତାହା ହିଁ ତାଙ୍କର ପ୍ରଥମ ପାରିଶ୍ରମିକ ବୋଲି ସେ ଧରି ନେଇଥିଲେ।