ଅଶିଣର ଅଶ୍ରୁ

ଗୌରହରି ଦାସ

ଆଖି ସାମ୍‌ନାର ଦୃଶ୍ୟ ସବୁ ଅସ୍ପଷ୍ଟ ଦିଶୁଛି। ଅଶିଣର ବର୍ଷା ନା ଆଖିର ଅଶ୍ରୁରେ ଏସବୁ ଜାଲୁଜାଲୁଆ ଦିଶୁଛି ଏସବୁ ଜାଣି ହେଉ ନାହିଁ। ବର୍ଷକ ତଳେ, ୨୦୧୯ ଭାଦ୍ରବରେ ବିଦାୟ ନେଇଯାଇଥିଲେ ବନ୍ଧୁ ରଣଜିତ୍‌ ଗୁରୁ। ଏ ବର୍ଷ ଅଶିଣ‌େର ଆପଣ ଛାଡ଼ି ଚାଲିଗଲେ, ବିଜୟ ବାବୁ। ସେପ୍‌ଟେମ୍ବର ୧୯ ଶନିବାର ଅପରାହ୍‌ଣରେ ‘ସମ୍ବାଦ ଭବନ’କୁ ଆପଣଙ୍କ ଶବ ନେଇ ଆସିଥିବା ଗାଡ଼ିଟି ଚାଲିଯିବା ପରେ ଗଲା ପଇଁତିରିଶ ବର୍ଷର ସ୍ମୃତି ସବୁ ଆପେ ଆପେ ପାଖକୁ ଚାଲିଆସୁଛନ୍ତି।

ଆଜି ରସୁଲଗଡ଼ ‘ସମ୍ବାଦ ଭବନ’ ଯେଉଁ ନୂଆ ପିଢ଼ିର ତରୁଣ ତରୁଣୀମାନଙ୍କ କର୍ମଚଞ୍ଚଳତାରେ ମୁଖରିତ, ସେମାନେ ଜାଣିପାରିବେ ନାହିଁ ଯେ ବିଜୟ ପଟ୍ଟନାୟକ ନାମଧାରୀ ବ୍ୟକ୍ତି ଜଣକ ଏକଦା ‘ସମ୍ବାଦ’ ପାଇଁ କି ଧରଣର ବିଚକ୍ଷଣ ଓ ବିସ୍ମୟ ଯୁବକ ଥିଲେ। ସେଥିପାଇଁ ସେଦିନ ତାଙ୍କର ସ୍ମୃତିସଭାରେ ମୁଁ କହିଥିଲି- ବିଜୟ ପଟ୍ଟନାୟକ ଥିଲେ ‘ସମ୍ବାଦ’ର ହନୁମାନ। ଏଭଳି କୌଣସି କାର୍ଯ୍ୟ ତାଙ୍କ ଲାଗି ଅସାଧ୍ୟ ନ ଥିଲା, ଯେମିତି ନ ଥିଲା ବୀର ହନୁମାନଙ୍କ ପାଇଁ। ସେ ଅସାଧ୍ୟ, ଦୁଃସାଧ୍ୟ ଓ କଷ୍ଟସାଧ୍ୟ ସବୁକିଛି ସାଧନ କରିପାରୁଥିଲେ। ତାଙ୍କ ଅଭିଧାନରେ ‘ଅସମ୍ଭବ’ ବୋଲି କିଛି ନ ଥିଲା। ସେ ଯେଉଁ କାମରେ ଲାଗୁଥିଲେ ତାହାକୁ ‌େଯକୌଣସି ମୂଲ୍ୟ ବିନିମୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଉଥିଲେ। ପିଲାଦିନୁ ଆଦରରେ ବଢ଼ିଥିବା ବିଜୟ ବାବୁ ନିର୍ଭୀକ ଥିଲେ, ଦୁଃସାହସୀ ଏବଂ ଉଚ୍ଚାଭିଳାଷୀ ଥିଲେ। ସେ ପୁଣି ଥିଲେ ଜଣେ କର୍ମବୀର, ଯିଏ ନିଜ ଉଦ୍ୟମରେ ନିଜ ପାଇଁ ସମ୍ମାନଜନକ ପରିଚୟଟିଏ ତିଆରି କରିନେଇଥିଲେ ଅନାୟାସରେ।

ଗୋଟିଏ ସମୟ ଥିଲା ‘ସମ୍ବାଦ’ ଛପାଯିବା ପାଇଁ ନ୍ୟୁଜ୍‌ପ୍ରିଣ୍ଟ୍‌ କିଣାଯାଇପାରୁ ନ ଥିଲା। ସେତେବେଳେ ‘ସମ୍ବାଦ’ର ଅଫିସ୍‌ ଓ ପ୍ରେସ୍‌ ଥିଲା ସିଆର୍‌ପି ଛକ ନିକଟ ଏ/୬୨ ନୟାପଲ୍ଲୀରେ। ନ୍ୟୁଜ୍‌ପ୍ରିଣ୍ଟ୍‌ ଆଣିବାଲାଗି ବିଜୟ ବାବୁ ଯାଇ କଟକର ଓଏସ୍‌ଆଇସି ଗୋଦାମଠାରୁ ନେଇ ବାଲୁବଜାର ଓ ନୟାବଜାରର ନ୍ୟୁଜ୍‌ପ୍ରିଣ୍ଟ୍‌ ବ୍ୟବସାୟୀମାନଙ୍କ ଆଗରେ ଭିକ୍ଷାପ୍ରାର୍ଥୀ ପରି ବସି ରହୁଥିଲେ। ‘ସମ୍ବାଦ’ର ପ୍ରତିଷ୍ଠା ଲାଗି ସୌମ୍ୟରଂଜନ ପଟ୍ଟନାୟକଙ୍କର ଅକ୍ଳାନ୍ତ ଉଦ୍ୟମ ନେପଥ୍ୟରେ, ବିଜୟ ବାବୁଙ୍କର ଏହି ଉଦ୍ୟମକୁ ମଧ୍ୟ ଅନୁଷ୍ଠାନର ଇତିହାସ ସ୍ମରଣ ରଖିବ, ଯାହାର ତୁଳନା ନାହିଁ। ମୁଁ ନିଜେ କେତେଥର ତାଙ୍କ ସହ କଟକ ଯାଇଛି, ପୁରୀଘାଟ ରୋଡ୍‌ ହନୁମାନ ମନ୍ଦିର ଆଗରେ ହାତଯୋଡ଼ି ପ୍ରଣାମ କରିସାରିଲା ପରେ ‘ସେମାନଙ୍କ ତୁଣ୍ଡରେ ସରସ୍ବତୀ ବିରାଜନ୍ତୁ’ କାମନା କରି ସେ ବ୍ୟବସାୟୀମାନଙ୍କ ଘରକୁ ଯାଆନ୍ତି। ଦିନେ ଦିନେ ଅଧରାତି ହୋଇଯାଏ, ନା ନା ‘ହଁ’ ଓ ‘ନା’ ଭିତରେ ବିଜୟ ବାବୁ କାହାକୁ ଜଣକୁ ରାଜି କରାଇ କେତୋଟି କାଗଜ ରିଲ୍‌ ଧରି ଆସନ୍ତି। କେବଳ ନ୍ୟୁଜ୍‌ପ୍ରିଣ୍ଟ୍‌ ଯୋଗାଡ଼ରେ ନୁହେଁ, ବ୍ୟାଙ୍କ୍‌ର ଓଭରଡ୍ରାଫ୍‌ଟ ଉଠାଣ ଠାରୁ ନେଇ ଯାବତୀୟ ଅସମ୍ଭବ କାର୍ଯ୍ୟ କରିବାର ଦାୟିତ୍ବ ସେ ହସି ହସି ତୁଲାଇଥାନ୍ତି। ସେସବୁର ବିବରଣୀ ଦେଲେ ତାହା ଗୋଟେ ବହି ହୋଇଯିବ। ଖୋର୍ଦ୍ଧା ନିକଟରେ ପ୍ରତିଷ୍ଠିତ କେ.ଏମ୍‌.ବି.ବି. ଇଞ୍ଜିନିୟରିଂ କଲେଜ ପାଇଁ ଜମି କିଣା ଓ କୋଠା ନିର୍ମାଣ ତ ଏହି ଗତକାଲି ପରି ଘଟଣା।

ବହୁବର୍ଷ ଆମେ ଦୁହେଁ ଗୋଟିଏ ରୁମ୍‌ରେ ଏକ ଲମ୍ବା ଟେବୁଲ୍‌ର ଦୁଇପଟେ ବସୁଥିଲୁ। ‘ସମ୍ବାଦ’ ସଂପାଦକଙ୍କୁ ତାଙ୍କର ସଂପାଦକୀୟ କାର୍ଯ୍ୟରେ ସାହାଯ୍ୟ କରିବା ମୋର ଦାୟିତ୍ବ ଥିବାବେଳେ ସବୁ ପ୍ରକାର ପ୍ରଶାସନିକ କାର୍ଯ୍ୟରେ ସାହାଯ୍ୟ ଥିଲା ବିଜୟ ବାବୁଙ୍କ ଦାୟିତ୍ବ। ମୁଁ କେତେଥର ଶ୍ରୀଯୁକ୍ତ ସୌମ୍ୟରଂଜନ ପଟ୍ଟନାୟକଙ୍କଠାରୁ ଶୁଣିଛି, ‘ଏଇ କାମ? ଏହା ପାଇଁ ଆମ ବିଜୟ ଏକା ଯଥେଷ୍ଟ।’ ତାଙ୍କ କଥାରେ ଅବଶ୍ୟ ଅତିଶୟୋକ୍ତି ନ ଥିଲା। ସେଥିପାଇଁ ସେ ବିଜୟ ବାବୁଙ୍କ ହାତରେ ଗୁରୁତ୍ବପୂର୍ଣ୍ଣ କାମ ନ୍ୟସ୍ତ କରୁଥିଲେ। ବାସ୍ତବରେ ବିଜୟ ବାବୁ ଥିଲେ ତାଙ୍କର ଡାହାଣ ହାତ।

‘ସମ୍ବାଦ’ ବହୁ ଦୁର୍ଦ୍ଦିନ ଦେଖିଛି। ଯେଉଁମାନେ ଭାବନ୍ତି ସୌମ୍ୟବାବୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କର ଜ୍ବାଇଁ ଏବଂ ମନ୍ତ୍ରୀ ଶ୍ରୀ ନିରଂଜନ ପଟ୍ଟନାୟକଙ୍କର ଭାଇ ହୋଇଥିବାରୁ ତାଙ୍କର କୌଣସି ଅସୁବିଧା ହୋଇ ନ ଥିବ, ସେମାନେ ବାସ୍ତବ ସତ୍ୟ ଜାଣନ୍ତି ନାହିଁ। ଗୋଟେ ଗୋଟେ ସମୟ‌େର ଆମେମାନେ ତିନି ତିନି ମାସ ପର୍ଯ୍ୟନ୍ତ ଦରମା ପାଉ ନ ଥିଲୁ। ନ୍ୟୁଜ୍‌ପ୍ରିଣ୍ଟ୍‌ ନ ଥିବାରୁ ଏଣୁତେଣୁ ବାହାନାରେ ଛୁଟି ଘୋଷଣା କରାଯାଉଥିଲା। ମନେପଡୁଛି ୧୯୮୬ ମସିହାରେ, କବି ରବୀନ୍ଦ୍ରନାଥଙ୍କ ଜୟନ୍ତୀରେ ମଧ୍ୟ ‘ସମ୍ବାଦ’ର ପ୍ରକାଶନ ବନ୍ଦ ଥିଲା। ଏଇ ଥିଲା ସେତେବେଳର ଅବସ୍ଥା ‘ସମ୍ବାଦ’ର, ଯାହାକୁ ବର୍ତ୍ତମାନର ସହକର୍ମୀମାନେ ବିଶ୍ବାସ କରିବେ ନାହିଁ।

କେବଳ ‘ସମ୍ବାଦ’ର ବରିଷ୍ଠ ଅଧିକାରୀ ଭାବେ ଅନୁଷ୍ଠାନ ପ୍ରତି ନୁହେଁ, ପ୍ରତିଟି ସହକର୍ମୀଙ୍କ ପାଇଁ ବିଜୟ ବାବୁଙ୍କ ମନରେ ସ୍ନେହ-ଶ୍ରଦ୍ଧା ଥିଲା। ‘ସମ୍ବାଦ’ର କୌଣସି ସହକର୍ମୀ ଅସୁସ୍ଥ ହୋଇପଡ଼ିଲେ ପ୍ରଥମେ ଯାଇ ବିଜୟ ବାବୁ ତାଙ୍କ ଘରେ କିମ୍ବା ଡାକ୍ତରଖାନାରେ ଯାଇ ପହଞ୍ଚୁଥିଲେ। ହାତରେ କିଛି ଫଳ, ହର୍ଲିକ୍ସ୍‌ ଏବଂ ପ୍ରୟୋଜନ ଥିଲେ କିଛି ଟଙ୍କା ଧରେଇ ଦେଇ ଆସୁଥିଲେ। ତାଙ୍କ ପାଖକୁ ମାଗି ଆସିଥିବା ଲୋକକୁ ସେ ଖାଲି ହାତରେ ଫେରାଇ ଦିଅନ୍ତି ନାହିଁ।

ଆଜି ଏସବୁ ଲେଖି ବସିଲେ ଅନେକ କଥା ମନେପଡୁଛି। ଦୁଃଖ କଥା, ସୁଖ କଥା। ବିଜୟ ବାବୁ ଥିଲେ ଅତ୍ୟନ୍ତ ସ୍ପଷ୍ଟବାଦୀ। କେଉଁଠି କ’ଣ କହିବା ଉଚିତ କି ଅନୁଚିତ ନ ଭାବି କହିଦେଉଥିଲେ। ମୁଁ ତାଙ୍କୁ ବେଳେବେଳେ ବାରଣ କରୁଥିଲି। ସେଥିପାଇଁ ସେ ମୋତେ ପରିହାସରେ କହୁଥିଲେ, ଆପଣ ମୋ ଲାଗି ବିଦୁର। ଯେଉଁଠି ନ କହିବା କଥା କହିବସିଲେ ଆପଣ ଠାରିଦେବେ। ଏହା ସତ୍ତ୍ବେ ସେ ଠାରର ବାଧାକୁ ନ ମାନି ଅନେକ କଥା କହି ଦେଉଥିଲେ। ତାଙ୍କର ସେହିସବୁ ସରଳ ଅକପଟ କଥା ଥିଲା ‘ସମ୍ବାଦ’ ଭବନର ମଧୁର ଆଲୋଚନାର ବିଷୟ। ବହୁବାର ବନ୍ଧୁ ଅଶୋକ ମହାପାତ୍ର, ରତିକାନ୍ତ ଶତପଥୀଙ୍କ ସହ ସେସବୁ ଆଲୋଚନା କରି ଖୁସି ବାଣ୍ଟିଥିବୁ। କେତୋଟି ଶବ୍ଦର ଉଚ୍ଚାରଣ ତାଙ୍କ କଣ୍ଠରେ ଅଦ୍ଭୁତ ଶୁଭୁଥିଲା। ଆମେ ସେଥିପାଇଁ ପରିହାସରେ ତାଙ୍କୁ ଲାଲୁ ଯାଦବ ବୋଲି କହୁଥିଲୁ। ସେ ସେଇକ୍ଷଣି ସେଇ ଶବ୍ଦର ସଂଶୋଧନ କରିଦେଉଥିଲେ ମଧ୍ୟ ଆରଥରକୁ ପୁଣି ପୂର୍ବବତ୍‌ କହୁଥିଲେ!

ବିଜୟ ବାବୁଙ୍କ ପିଲାଦିନ, ଯୌବନ ଓ ତାଙ୍କ ସମୁଦାୟ ଜୀବନର କାହାଣୀ ଗୋଟେ ଉପନ୍ୟାସର କାହାଣୀ। ସମୟେ ସମୟେ ସେ ମୋତେ କହୁଥିଲେ, ‘ମୋ ବାପା ଆପଣଙ୍କର ମୁଗ୍ଧ ପାଠକ। ଆପଣ ଏତେ ବହି ଲେଖିଲେଣି, ମୁଁ ଖାଲି କାଗଜପତ୍ର କାମରେ ରହିଗଲି।’ ମୁଁ ତାଙ୍କୁ କହେ, ‘କିଛି ଲୋକ ବହି ଲେଖନ୍ତି, ଆଉ କିଛି ଲୋକଙ୍କୁ ନେଇ ବହି ଲେଖାଯାଏ। ଆପଣ ଏହି ଦ୍ବିତୀୟ କିସମର ଲୋକ। ଆପଣଙ୍କୁ ନେଇ ବହି ଲେଖାଯିବ।’

ଜଣେ ଭଲ ସହକର୍ମୀ, ପ୍ରିୟ ବନ୍ଧୁ, ଆଦର୍ଶ ବଡ଼ଭାଇ ଏବଂ ଦାୟିତ୍ବସଂପନ୍ନ ପିତା ଭାବରେ ବିଜୟ ପଟ୍ଟନାୟକଙ୍କର ତୁଳନା ନାହିଁ। ନିଜର ସାନଭାଇଙ୍କୁ ଯେ ପୁଅ ପରି କିଭଳି ଆଦର କରୁଥିଲେ ତାହା ମୁଁ ଅନ୍ତତଃ ଜାଣିଛି। ସେମିତି ତାଙ୍କର ସାଂଗଠନିକ ଦକ୍ଷତା। ସିଆର୍‌ପି ଛକ ପୁରୁଣା ‘ସମ୍ବାଦ’ ପରିସରରେ ଆଜି ମୁଣ୍ଡ ଟେକିଥିବା ହନୁମାନ ମନ୍ଦିରର ନିର୍ମାଣ ତାଙ୍କର ଉଦ୍ୟମର ଫଳଶ୍ରୁତି। ସେହି ମନ୍ଦିର ପରିସରରେ ପ୍ରତିବର୍ଷ ଶ୍ରୀରାମ ନବମୀରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହେଉଛି ଏବଂ ହଜାର ହଜାର ଲୋକ ଭୋଜିରେ ଯୋଗ ଦେଉଛନ୍ତି। ବିଜୟ ବାବୁ ଏ ସମସ୍ତର ‌ଥିଲେ ନେପଥ୍ୟ ନାୟକ।

‌ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା ବେଳେ ସବୁବେଳେ ଆଶା ଥିଲା, ନିଶ୍ଚୟ ସୁସ୍ଥ ହୋଇ ଫେରିବେ। ସହଯୋଗୀ ଶ୍ରୀମତୀ ବୈଜୟନ୍ତୀ କର କାନ୍ଦ କାନ୍ଦ ହୋଇ କହନ୍ତି, ‘ଟିକିଏ ବୁଝନ୍ତୁ, ତାଙ୍କର ଭାଇ କହୁଥିଲେ ବିଜୟ ବାବୁଙ୍କ ସ୍ବାସ୍ଥ୍ୟ ବିଗିଡ଼ିଯାଇଛି।’ ମୁଁ ମଧ୍ୟ ସମ୍‌ ହସ୍‌ପିଟାଲ୍‌ର ପ୍ରତିଷ୍ଠାତା ଶ୍ରୀ ମନୋଜ ରଂଜନ ନାୟକ ଏବଂ ତାଙ୍କର ସହଯୋଗୀ ମହେନ୍ଦ୍ର ପ୍ରସାଦ ବାବୁଙ୍କୁ ବରାବର ପଚାରୁଥିଲି। ମନୋଜ ବାବୁ କହିଥିଲେ ଆମେ ବି ତାଙ୍କ ଲାଗି ଦୀପ ଜାଳୁଛୁ। ଅଥଚ ସବୁ ଚେଷ୍ଟା ବିଫଳ ହେଲା। ଦୀର୍ଘ ଚାଳିଶ ଦିନ କାଳ ସେ ଡାକ୍ତରଖାନାର ବିଛଣାରେ ମରଣ ସହ ସଂଗ୍ରାମ କରି ଶେଷକୁ ଚାଲିଗଲେ।

ଜଣେ ଭଲ ଲୋକର ମୃତ୍ୟୁରେ ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଜଣାଯାଏ ନାହିଁ, ତାଙ୍କୁ ତାଙ୍କର କାମ ଲାଗି କୃତଜ୍ଞତା ଜଣାଯାଇ ଶ୍ରଦ୍ଧାଞ୍ଜଳି ଜଣାଯାଏ। ମୁଁ ସେଇଆ କରିବାକୁ ଚାହୁଛି, ‘ସମ୍ବାଦ’ ପକ୍ଷରୁ ଏବଂ ‘ସମ୍ବାଦ’ ପରିବାରର ଶହ ଶହ ସହଯୋଗୀଙ୍କ ତରଫରୁ। ବିଜୟ ବାବୁ ଆମ ଗହଣରୁ ଖୁବ୍‌ ଶୀଘ୍ର ଚାଲିଗଲେ। ମାତ୍ର ଯେତେ ଚାହିଲେ ବି ତାଙ୍କର ଅସ୍ତିତ୍ବକୁ ଏ ଶ୍ମଶାନର ମାଟି ସବୁ ହଜେଇ ଦେଇପାରିବ ନାହିଁ। ଶ୍ମଶାନ ଓ ସ୍ମୃତିର ଊର୍ଦ୍ଧ୍ବରେ ତାଙ୍କ ଅସ୍ତିତ୍ବର ବଡ଼ ଅଂଶ ସବୁଦିନ ଅମ୍ଳାନ ହୋଇ ରହିବ।

ବିଜୟବାବୁଙ୍କ ଶବ ନେଇ ଗାଁକୁ ଯାଉଥିବା ଫୁଲ ସଜାଣି ଗାଡ଼ିଟି ରସୁଲଗଡ଼ର ‘ସମ୍ବାଦ ଭବନ’ରୁ ଯିବା ପରେ ଅସରାଏ ଝିପିଝିପି ବର୍ଷା ହେଲା। ମୋର ମନେହେଲା, ଅଶିଣ ଯେପରି ତାଙ୍କର ବିୟୋଗରେ ଦୁଇଟୋପା ଅଶ୍ରୁ ଢାଳି ଦେଇଥିଲା।

-ଫିଚର ସଂପାଦକ: ସମ୍ବାଦ, ଭୁବନେଶ୍ବର
ମୋ: ୯୪୩୭୦୭୭୨୮୮

ସମ୍ବନ୍ଧିତ ଖବର